ଜିଲା ବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା ବିଦ୍ୟାଳୟସ୍ତରୀୟ କ୍ରୀଡ଼ା ଓ ଦୌଡ଼କୁଦ ପ୍ରତିଯୋଗିତା -୨୦୨୩ ସ୍ଥାନୀୟ ମିଶନ ପଡ଼ିଆରେ ବୁଧବାର ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାର୍ଷିକ କ୍ରୀଡ଼ାକୁ ଉଦ୍‌ଘାଟନ କରିବା ସହ ଶାରୀରିକ ଓ ମାନସିକ ବିକାଶରେ କ୍ରୀଡ଼ାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ତେବେ ପ୍ରତ୍ୟେକ କ୍ରୀଡ଼ାକୁ ନିୟମ ମଧ୍ୟରେ ସତର୍କତାର ସହ ଖେଳିବାକୁ ସେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ବିଜୟ ଓ ପରାଜୟକୁ ବିଶେଷ ଗୁରୁତ୍ୱ ନଦେଇ କ୍ରୀଡ଼ା ପ୍ରତିଯୋଗିତାରେ ସର୍ବଦା ଭାଇଚାରା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୁତାର ଏଥିରେ ସଭାପତିତ୍ୱ କରିଥିଲେ । ଅତରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଧରଣୀଧର ପାତ୍ର ଓ ପ୍ରାଚୀତନୟା ଗିରି ଉଦଘାଟନୀ ଉତ୍ସବରେ ମଞ୍ଚାସୀନ ଥିଲେ । ଜିଲା ଶାରୀରିକ ଶିକ୍ଷା ନିରୀକ୍ଷକ ଅଶୋକ ନାୟକ ଅତିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଖ୍ରୀଷ୍ଟିୟାନ ହାଇସ୍କୁଲର ପ୍ରଧାନ ଶିକ୍ଷକ ନାରାୟଣ ପୃଷ୍ଟି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଫ୍ଲାଗମାର୍ଚ୍ଚ ପ୍ରଦର୍ଶିତ ହୋଇଥିଲା । ଏହି ଜିଲାସ୍ତରୀୟ କ୍ରୀଡ଼ାର ୧୪ ବର୍ଷ ଓ ୧୭ ବର୍ଷରୁ କମ୍ ବୟସର ଉଭୟ ବାଳକ ଓ ବାଳିକା ବର୍ଗରେ ଜିଲ୍ଲାର ୧୨ ଗୋଟି ବ୍ଲକରୁ ୧୨ଶହ ଛାତ୍ରଛାତ୍ରୀ ଅଂଶଗ୍ରହଣ କରୁଛନ୍ତି । ଏଥିରେ ଦୌଡ଼କୁଦ, ଯୋଗ, ଭଲିବଲ୍‌, ବିଚ୍ ଭଳିବଲ, ଚେସ, କବାଡି, ତୀର ଚାଳନା, ଫୁଟବଲ ଓ ଖୋ-ଖୋ,ସଫ୍ଟ ବଲ, ରଗ୍‌ବି, ଟେନିକୋଏଟ୍‌, ବ୍ୟାଡମିଂଟନ ପ୍ରଭୃତି ମିଶନ ପଡ଼ିଆ, ମୋର୍କୋଣାର ଆରଏନ ହାଇସ୍କୁଲ ଓ ପରମିଟ୍ ପଡିଆରେ ଅନୁଷ୍ଠିତ ହେଉଛି । ପ୍ରତିଯୋଗିତାରୁ ଉତ୍ତୀର୍ଣ୍ଣ ଶ୍ରେଷ୍ଠ ଛାତ୍ରଛାତ୍ରୀ ଆଗାମୀ ଦିନରେ ହେବାକୁ ଥିବା ରାଜ୍ୟସ୍ତରୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବେ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ