୫ଟି ବିଦ୍ୟାଳୟର ଅଗ୍ରଗତି ସମ୍ପର୍କିତ ସମୀକ୍ଷା ବୈଠକ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ରେ ଥିବା ୫ଟି ଉଚ୍ଚ ବିଦ୍ୟାଳୟ ମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ଏବଂ ଆବଶ୍ୟକତା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁସ୍ଥିତ ଏହି ବୈଠକରେ ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଏବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢୀ,ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ଏବଂ ସହକାରୀ ନିର୍ବାହୀଯନ୍ତ୍ରୀ ତୁଷାରକାନ୍ତ ସାମଲ୍ ପ୍ରମୁଖ ମଞ୍ଚାସୀନ ରହି ବ୍ଳକ୍ ରେ ତିନୋଟି ପର୍ଯ୍ୟାୟରେ ରୂପାନ୍ତରିତ ହୋଇଥିବା ୧୯ ଟି ଉଚ୍ଚ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ I ଏହା ସହିତ ବିଦ୍ୟାଳୟ ଗୁଡିକର ଶୈକ୍ଷିକ ଏବଂ ସହ ଶୈକ୍ଷିକ କାର୍ଯ୍ୟକ୍ରମ ଗୁଡ଼ିକର ସମିକ୍ଷା କରାଯିବା ସହିତ ପ୍ରତି ବିଦ୍ୟାଳୟରେ ଥିବା ଆବଶ୍ୟକତା ସମ୍ପର୍କରେ ଆଲୋଚନା କରାଯାଇ ଏଗୁଡ଼ିକର ପୂରଣ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବ୍ଳକ୍ ଅଧ୍ୟକ୍ଷ ଶ୍ରୀ ନାୟକ ପ୍ରକାଶ କରିଥିଲେ I ସେହିପରି ଯେଉଁ ବିଦ୍ୟାଳୟ ଗୁଡିକରେ ଅଦ୍ୟାବଧି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ ସେହି ବିଦ୍ୟାଳୟ ଗୁଡ଼ିକୁ ସ୍ଵତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟକ୍ରମକୁ ତ୍ଵରାନ୍ୱିତ କରିବ ପାଇଁ ବିଡ଼ିଓ ଶ୍ରୀ ଶତପଥୀ ବିଭାଗୀୟ ଯନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ I ଏହା ସହିତ ବିଦ୍ୟାଳୟ ଗୁଡ଼ିକରେ ମୋ ସ୍କୁଲ୍ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପୁରାତନ ଛାତ୍ରଛାତ୍ରୀ ଏବଂ ବଦାନ୍ୟ ବ୍ୟକ୍ତି ମାନଙ୍କୁ ବିଦ୍ୟାଳୟ ସହ ଯୋଡ଼ିବା ପାଇଁ ଉପସ୍ଥିତ ପ୍ରଧାନ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ I କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ମାନଙ୍କ ସମେତ ବିଭିନ୍ନ ବିଭାଗର କନିଷ୍ଠ ଯନ୍ତ୍ରୀ ଏବଂ ଜନପ୍ରତିନିଧି ଉପସ୍ଥିତ ଥିଲେ I