ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିରେ ବାଇକ ଶୋଭାଯାତ୍ରା ଓ ଗଣ ସମାବେଶ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବି କ୍ରମଶଃ ଏକ ଜନ ଆନ୍ଦୋଳନରେ ପରିଣତ ହେଉଥିବାର ଝଲକ ଆଜି ଦେଖିବାକୁ ମିଳିଛି । ମିଳିତ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ଦିଆଯାଇଥିବା ଆହ୍ୱାନ ପରିପ୍ରେକ୍ଷୀରେ ଆଜି ଜିଲ୍ଲାର ସମସ୍ତ ବ୍ଲକ ଓ ପୈାରାଞ୍ଚଳରୁ ବୁଦ୍ଧିଜୀବୀ, ରାଜନୈତିକ ଓ ସାମାଜିକ କର୍ମୀ ଏବଂ ବିଭିନ୍ନ ଗଣସଙ୍ଗଠନର କର୍ମକର୍ତ୍ତାମାନେ ରାଜକନିକାର ବାସୁ-ବିସୁନୀ ସହିଦ ପୀଠରୁ ଏକ ବାଇକ୍ ଶୋଭାଯାତ୍ରାରେ ବାହାରି ଜିଲ୍ଲା ସଦର ମହକୁମାର ମେଡିକାଲ ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତି ନିକଟରେ ଅପରାହ୍ଣରେ ପହଞ୍ଚିଥିଲେ । ଏହାପରେ ସେଠାରେ କମିଟି ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ସଂପାଦକ ରମଣୀ ରଞ୍ଜନ ରାଉତରାୟ, ଫକିର ଖଟୁଆ, ପ୍ରଫୁଲ୍ଲ ଦାସ, ଆଦିକନ୍ଦ ରାଉଳ, ଗୟାଧର ଧଳ, ମୁକ୍ତାର ଖାଁ, ପଣ୍ଡିତ ଶରତ ମିଶ୍ର, ହଳଧର ଦାସ, ଡଃ. ଉପେନ୍ଦ୍ର ପ୍ରଧାନ, ବିଧୁଭୂଷଣ ମହାପାତ୍ର, ପ୍ରଦୀପ ଦାଶ, ଦ୍ରୈାପଦୀ ରାଉତ ପ୍ରମୁଖ ନେତୃବୃନ୍ଦ ଜିଲ୍ଲାବାସୀଙ୍କ ଏହି ନ୍ୟାର୍ଯ୍ୟ ଦାବୀ ପ୍ରତି ସରକାରଙ୍କର ଉଦାସୀନ ମନୋଭାବ ପାଇଁ କ୍ଷୋଭ ପ୍ରକାଶ କରିଥିଲେ । ସେମାନେ ବିଜୁବାବୁଙ୍କୁ ଆୟୁଧ କରି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିବାକୁ ଚାହିଁଥିଲେ କି କେନ୍ଦ୍ରାପଡାକୁ ନିଜର ରାଜନୈତିକ କର୍ମଭୂମି ବୋଲି କହି ଆସିଥିବା ବିଜୁବାବୁଙ୍କୁ ରାଜନୈତିକ ପୁନର୍ଜୀବନ ଦେଇଥିବା କେନ୍ଦ୍ରାପଡାବାସୀ ରାଜ୍ୟ ବିକାଶ ସୂଚୀର ପଛ ଧାଡିରେ ରହିବା କ’ଣ ସେମାନଙ୍କର କପାଳ ଲିଖନ ହୋଇ ରହିବ? ବିଜୁବାବୁଙ୍କ ପବିତ୍ର ନାମରେ ଚାଲଥିବା ସରକାରଙ୍କୁ ଅକୁଣ୍ଠ ସମର୍ଥନ ଦେବାରେ କେନ୍ଦ୍ରାପଡାବାସୀ ଉଣା କରିନାହାନ୍ତି । ମୁଖ୍ୟମନ୍ତ୍ରୀ ନିଜେ କେନ୍ଦ୍ରାପଡାର ଦାୟିତ୍ୱ ନେବାର ଘୋଷଣା କରିବା ସତ୍ୱେ ଜିଲ୍ଲାବାସୀଙ୍କ ଏହି ଦାବି ଅପୁରଣୀୟ ରହିବା ବିଡମ୍ବନା ନୁହେଁତ? ରାଜ୍ୟ ବିକାଶ ପାଇଁ ଜିଲ୍ଲା ବାସୀଙ୍କୁ ନିଜର ମୂଲ୍ୟବାନ ଜମି, ଜୀବନ, ରାଜସ୍ୱ ଆଉ କେତେ ତ୍ୟାଗ କରିବାକୁ ପଡିବ? ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ ଜିଲ୍ଳାବାସୀଙ୍କୁ ଆଉ କେତେ କାଳ କଟକ, ଭୁବନେଶ୍ୱର ଉପରେ ନିର୍ଭର କରିବାକୁ ହେବ? ଏହି ମର୍ମରେ ଲିଖିତ ଏକ ଦାବିପତ୍ରକୁ ସଭାସ୍ଥଳରୁ ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରି ଜିଲ୍ଲାରେ ଏକ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ନିମନ୍ତେ ଘୋଷଣା କରିବାକୁ ଅନୁରୋଧ କରଥିଲେ । ଏଥିରେ ବିଳମ୍ବ ହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ବକ୍ତାମାନେ ଘୋଷଣା କରିଥିଲେ । ଏହି ପରିପ୍ରେକ୍ଷୀରେ ପୂର୍ବାହ୍ଣ ୯ଟା ଠାରୁ ରାଜକନିକାର ବାସୁ ବିଶୁନି ଶହୀଦ ପୀଠରୁ ଆରମ୍ଭ ହୋଇଥିବା ବାଇକ ଶୋଭାଯାତ୍ରାରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଦାମୋଦର ଧଳ, ଭାଗିରଥୀ ମହାନ୍ତି, କାଳୀପ୍ରସାଦ ନାୟକ, ସତ୍ୟପ୍ରିୟ ସାମଲ, ନରୋତ୍ତମ ପ୍ରାର୍ଥ ସାରଥୀ, କେଦାର ସାମନ୍ତରାୟ, ଦୁର୍ଯ୍ୟୋଧନ ମହାନ୍ତି, ରାଜକିଶୋର ବିଶ୍ୱାଳ, ପ୍ରାଧ୍ୟାପକ ଦୁର୍ଯ୍ୟୋଧନ ପରିଡା, କୈଳାସ ଚନ୍ଦ୍ର ମହାନ୍ତି ପ୍ରମୁଖ ସାମିଲ ହୋଇ ରାଜକନିକାର ଚନ୍ଦନ ପୋଖରୀ ଛକ, ଆଳି ବସଷ୍ଟାଣ୍ଡ, ପଟ୍ଟାମୁଣ୍ଡାଇ ମେଡିକାଲ ଛକ, ବାରୋ ଛକ, ଗରାପୁର ଛକ ଓ ତିନିମୁହାଣୀ ଛକ ପ୍ରଭୃତି ସ୍ଥାନରେ ଅପେକ୍ଷାରତ ଜନସାଧାରଣଙ୍କ ଠାରୁ ସମ୍ବର୍ଦ୍ଧନା ଗ୍ରହଣ କରିବା ସହ ଜିଲ୍ଲାବାସୀଙ୍କର ଏହି ନ୍ୟାର୍ଯ୍ୟ ଦାବି ହାସଲ ପର୍ଯ୍ୟନ୍ତ ଆନ୍ଦେଳନ ଚଳାଇ ରଖିବାକୁ ସ୍ଥାନୀୟ ଅଧିବାସୀଙ୍କୁ ଆହ୍ୱାନ ଦେଇଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକ ଅଂଚଳ ଦେଇ ଆସିଥିବା ଏହି ଶୋଭାଯାତ୍ରାକୁ ମାଗୁଣୀ ଚରଣ ବେହେରା, ସୋହାନା ବେଗମ, ଦୋଳଗୋବିନ୍ଦ ସାହୁ, ମଳୟ କୁମାର ଦାସ, ଗୋପିନାଥ ତ୍ରିପାଠୀ, ଅମରେନ୍ଦ୍ର ଦାସ ପ୍ରମୁଖ ନେତୃତ୍ୱ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ