ଜର୍ଦ୍ଦା ଦୋକାନୀଙ୍କ ଠାରୁ ଲୁଟ ମାମଲାରେ ୫ଗିରଫ

ବାଲେଶ୍ୱର, (ସରୋଜ ପଣ୍ଡା):ଜର୍ଦ୍ଦା ବ୍ୟବସାୟୀଙ୍କ ନିକଟରୁ ଟଙ୍କା ଲୁଟ ଘଟଣାରେ ଟାଉନ ଥାନା ପୁଲିସ ୫ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଟାଉନଥାନା ଅର୍ନ୍ତଗତ ହର୍ସପୁରା ଅଞ୍ଚଳର ବିଜୟ ଦାସ(୨୮), ସମାୟ ମହାଳିକ(୨୦), ସାଗର ମହାଳିକ(୨୦), ଗଣେଶ ମହାଳିକ(୨୦) ଏବଂ ସଚିନ ମହାଳିକ(୨୦) । ସେମାନଙ୍କଠାରୁ ଲୁଟ ୫ଲକ୍ଷ ୨୨ ହଜାର ଟଙ୍କା ସମେତ ୪ଟି ବାଇକ, ୫ଟି ମୋବାଇଲ ଏବଂ ଦୁଇଟି ଖଣ୍ଡା ଜବତ କରାଯାଇଥିବା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି । ଏହି ଲୁଟ ମାମଲାରେ ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତକୁ ଖୁବଶୀଘ୍ର ଧରାଯିବ ବୋଲି ଏସପି କହିଛନ୍ତି । ଟାଉନଥାନା ଅନ୍ତର୍ଗତ ବଟେଶ୍ୱର ତନ୍ତୀସାହି ଅଞ୍ଚଳର ବଲାଇ କୁମାର ଜେନାଙ୍କର ଓଟି ରୋଡରେ ‘ଜେନା ସେଲସ ଏଜେନସି’ ନାମରେ ଏକ ଜର୍ଦ୍ଦା ଦୋକାନ ରହିଛି । ଗତ ୧୫ ତାରିଖ ଅପରାହ୍ନ ୨ଟା ୩୦ମିନିଟ ବେଳେ ସେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ବଟେଶ୍ୱର ଠାରେ ଦୁଇଟି ବାଇକ ଯୋଗେ ୬ଜଣ ଯୁବକ ତାଙ୍କୁ ଅଟକାଇବା ସହ ତାଙ୍କ ଗାଡି ଡିକିରୁ ୮ ଲକ୍ଷ ଟଙ୍କା ଥିବା ଏକ ବ୍ୟାଗକୁ ଛଡ଼ାଇ ନେଇ ଯାଇଥିଲେ । ଶ୍ରୀ ଜେନା ପ୍ରତିବାଦ କରିବାରୁ ଯୁବକମାନେ ତାଙ୍କୁ ଖଣ୍ଡା ଦେଖାଇ ସେଠାରୁ ଫେରାର ହୋଇଯାଇଥିଲେ । ପରେ ଶ୍ରୀ ଜେନାଙ୍କ ଲିଖତ ଅଭିଯୋଗ କ୍ରମେ ଟାଉନ ଥାନା ପୁଲିସ ୪୦/୨୦୨୩ ନଂର ଏକ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ କରିଥିଲା । ସଦର ଏସଡିପିଓଙ୍କ ନେତୃତ୍ୱରେ ଦୁଇଟି ପୁଲିସ ଟିମ ଜରିଆରେ ତଦନ୍ତ ଆରମ୍ଭ କରାଯାଇଥିଲା । ତଦନ୍ତକାରୀ ଅଧିକାରୀ ପ୍ରଶାନ୍ତ ପାଣି ଓ ସାଇବର ସେଲର ମାନସ ବିଶ୍ୱାଳଙ୍କ ସହଯୋଗରେ ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ପୁଲିସ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ଏସପି ଶ୍ରୀମତୀ ନାଥ ସୂଚନା ଦେଇଛନ୍ତି । ସେହିପରି ଅଭିଯୁକ୍ତଙ୍କ ଠାରୁ ଲୁଟ ଅର୍ଥରୁ ୫ଲକ୍ଷ ୨୨ହଜାର ଟଙ୍କା ଜବତ କରାଯାଇଥିବା ବେଳେ ବାକି ଟଙ୍କା ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି । ଏସପିଙ୍କ ସମେତ ସଦର ଏସଡିପିଓ ଡ. ଶଶାଙ୍କ ଶେଖର ବେଉରିଆ, ସିଟି ଡିଏସପି ଗାୟତ୍ରୀ ପ୍ରଧାନ ଓ ଟାଉନଥାନା ଅଧିକାରୀ ପର୍ଶୁରାମ ସାହୁ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ