ସ୍ଥାୟୀ ନିଯୁକ୍ତି ଦାବିରେ ରାଜ୍ୟ ଆରବିଏସ୍‌କେ ଆୟୁଷ ଡାକ୍ତର ସଂଘ ତରଫରୁ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଆନ୍ଦୋଳନ ଆରମ୍ଭ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ସ୍ଥାୟୀକରଣ ଦାବି ଜଣାଇବା ପାଇଁ ଓଡ଼ିଶା ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଦୀର୍ଘ ୯ ବର୍ଷରୁ ଅଧିକ ଦିନ ଧରି ଚୁକ୍ତିଭିତ୍ତିକ ପ୍ରଥାରେ ସ୍ୱଳ୍ପ ଦରମାରେ କାର୍ଯ୍ୟରତ ୧୧୭୨ ଜଣ ଆର.ବି.ଏସ୍‌.କେ ଆୟୁଷ ଡାକ୍ତର ସୋମବାରଦିନ ଭୁବନେଶ୍ୱର ଲୋୟର ପିଏମ୍‌ଜିଠାରେ ଏକତ୍ରିତ ହୋଇ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ବାରମ୍ବାର ଓଡ଼ିଶା ସରକାରଙ୍କୁ ନିଯୁକ୍ତି ସ୍ଥାୟୀକରଣ ପାଇଁ ନିବେଦନ କରିବା ପରେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ରାଜ୍ୟ ଆରବିଏସ୍‌କେ ଆୟୁଷ ଡାକ୍ତର ସଂଘ, ଓଡ଼ିଶାର ଆହ୍ୱାନରେ ଓଡ଼ିଶାରେ କାର୍ଯ୍ୟତରତ ସମସ୍ତ ଆରବିଏସ୍‌କେ ଆୟୁଷ ଡାକ୍ତର ଚଳିତ ଫେବୃୟାରୀ ମାସ ୧୧ ତାରିଖ ଠାରୁ ନିଜ ନିଜ କାର୍ଯ୍ୟସ୍ଥଳରେ କଳା ବ୍ୟାଜ୍ ପରିଧାନ କରି ଓଡ଼ିଶା ସରକାରଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ନିଜର ଦାବି ଜଣାଇଥିଲେ । ୧୫ ତାରିଖ ଯାଏ ଓଡ଼ିଶା ସରକାରଙ୍କ ଠାରୁ କିଛି ଉତ୍ତର ନ ମିିଳିବାରୁ ଏମାନେ ନିଜ ନିଜର କାର୍ଯ୍ୟସ୍ଥଳରେ ଉପସ୍ଥିତ ରହି ଦୈନନ୍ଦିନ କାର୍ଯ୍ୟରେ ଅସହଯୋଗ କରିଥିଲେ । ଇତିମଧ୍ୟରେ ଚଳିତ ଫେବୃୟାରୀ ମାସ ୧୬ ତାରିଖ ଦିନ ଓଡ଼ିଶା ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟାଳୟରେ ନିର୍ଦ୍ଦେଶିକା ମହୋଦୟାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଆରବିଏସ୍‌କେ ଆୟୁଷ ଡାକ୍ତର ସଂଘ, ଓଡ଼ିଶାର କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆରବିଏସ୍‌କେ ଆୟୁଷ ଡାକ୍ତରମାନଙ୍କ ନିଯୁକ୍ତିକୁ ସ୍ଥାୟୀକରଣ କରାଯିବା ଓ ଅନ୍ୟାନ୍ୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଓଡ଼ିଶା ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଆୟୁଷ ଡାକ୍ତରମାନଙ୍କ ବେତନ ବୃଦ୍ଧି ପାଇଁ ପଦକ୍ଷେପ ନେବାକୁ ମୌଖିକ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆୟୁଷ ଡାକ୍ତରମାନଙ୍କ ନିଯୁକ୍ତିକୁ ସ୍ଥାୟୀକରଣ କରିବା ତାଙ୍କର କ୍ଷମତା ପରିସରଭୁକ୍ତ ନୁହେଁ ବୋଲି ପ୍ରକାଶ କରିଥିଲେ । ସେଥିପାଇଁ ରାଜ୍ୟ ଆରବିଏସ୍‌କେ ଆୟୁଷ ଡାକ୍ତର ସଂଘ, ଓଡ଼ିଶା ଆୟୁଷ ଡାକ୍ତରମାନଙ୍କ ନିଯୁକ୍ତିକୁ ସ୍ଥାୟୀକରଣ କରିବା ଦାବିରେ ସୋମବାର ୨୦.୨.୨୦୨୩ରିଖ ଭୁବନେଶ୍ୱର ଲୋୟର ପିଏମ୍‌ଜିଠାରେ ଆନ୍ଦୋଳନକୁ ଓହ୍ଲାଇବା ସହିତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବାକୁ ନିଷ୍ପତ୍ତି ନେଇଛି । ଓଡ଼ିଶାରୁ ଆସିଥିବା ୧୦୦୦ରୁ ଉର୍ଦ୍ଧ୍ୱ ରାଜ୍ୟ ଆରବିଏସ୍‌କେ ଆୟୁଷ ଡାକ୍ତର କଂଗ୍ରେସ ଭବନଠାରୁ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଯାଇ ଗାନ୍ଧୀମାର୍ଗରେ ବସି ରହିଛନ୍ତି । ସଂଘର ସଭାପତି ପ୍ରଭାତ ମହାନ୍ତି ଗଣମାଧ୍ୟମ ଜରିଆରେ ଓଡ଼ିଶା ସରକାରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ସମଗ୍ର ଭାରତବର୍ଷରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଓ ଜଣେ ଅତ୍ୟନ୍ତ ଉଦାରଶୀଳ ବ୍ୟକ୍ତିତ୍ୱ ଅଟନ୍ତି । ତାଙ୍କ ନିକଟକୁ ଗୁହାରି କରିବାକୁ ଯାଇ କେହି କେବେ ଖାଲି ହାତରେ ଫେରେ ନାହିଁ । ସଂଘର ବରିଷ୍ଠ ଉପଦେଷ୍ଟା ଡା. ବିଶ୍ୱରଞ୍ଜନ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ଯେ, ନିଶ୍ଚିତ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ଆୟୁଷ ଡାକ୍ତରମାନଙ୍କ ପରିବାରର ସୁଖସମୃଦ୍ଧି ଓ ଭବିଷ୍ୟତକୁ ଆଖି ଆଗରେ ରଖି ଯଥାଶୀଘ୍ର ସେମାନଙ୍କ ନିଯୁକ୍ତିକୁ ସ୍ଥାୟୀକରଣ କରିବା ପାଇଁ ପଦକ୍ଷେପ ନେବେ । ସଂଘର ସାଧାରଣ ସମ୍ପାଦକ ଡାକ୍ତର ରବିନ୍ଦ୍ର ସେଠି କହିଛନ୍ତି ଯେ ଆମ୍ଭେମାନେ ଏକ ଜରୁରୀକାଳୀନ ବିଭାଗରେ କାର୍ଯ୍ୟ କରୁଥିବାରୁ ଆମେ କେବେ ଚାହିଁବୁ ନାହିଁ କି ଆମ ପାଇଁ ଓଡ଼ିଶାର ଜନସାଧାରଣ କୌଣସି ସ୍ୱାସ୍ଥ୍ୟସେବାରୁ ବଞ୍ôଚତ ହୁଅନ୍ତୁ । ତେଣୁ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରୁଛି ଯଥାଶୀଘ୍ର ସେମାନଙ୍କ ଗୁହାରି ତଥା ଦାବି ବିଷୟରେ ସରକାରଙ୍କ ପକ୍ଷରୁ ରାଜ୍ୟ ଆରବିଏସ୍‌କେ ଆୟୁଷ ଡାକ୍ତର ସଂଘ, ଓଡ଼ିଶା ସହିତ ଆଲୋଚନା ପାଇଁ ବ୍ୟବସ୍ଥା କରାଗଲେ ଆରବିଏସ୍‌କେ ଆୟୁଷ ଡାକ୍ତରମାନେ ଆନ୍ଦୋଳନକୁ ବନ୍ଦ କରି ନିଜ ନିଜର କାର୍ଯ୍ୟରେ ଯୋଗଦାନ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ