ବାଲେଶ୍ୱରରେ ଜିଲାସ୍ତରୀୟ ଓଡ଼ିଶା ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରରେ ଜିଲାସ୍ତରୀୟ ୮୮ତମ ଓଡ଼ିଶା ଦିବସ ଶନିବାର ପାଳିତ ହୋଇଯାଇଛି । ଦିବସବ୍ୟାପୀ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପ୍ରତ୍ୟୁଷରୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଦ୍ୱାରା ଡାକବାଜି ଯନ୍ତ୍ର ଜରିଆରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ ପୂର୍ବକ ସହର ପରିକ୍ରମା କରାଯାଇଥିଲା । ପରେ ଛାତ୍ରଛାତ୍ରୀ ସ୍କୁଲ ଛାତ୍ରଛାତ୍ରୀ ଓ ଏନସିସି କ୍ୟାଡେଟଙ୍କୁ ନେଇ ଏକ ଶୋଭାଯାତ୍ରା ସ୍ଥାନୀୟ ପବ୍ଲିକ ହାଇସ୍କୁଲ ନିକଟରୁ ବାହାରିଥିଲା । ଅତିରିକ୍ତ ଜିଲାପାଳ ନୀଲୁ ମାହାପାତ୍ର ପତାକା ଦେଖାଇ ଏହାକୁ ଶୁଭାରମ୍ଭ କରିଥିଲେ । ଜିଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୂତାର, ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ପରେ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେଙ୍କ ତତ୍ତ୍ୱାବଧାନରେ ସଦର ବିଧାୟକ ସ୍ୱରୂପ କୁମାର ଦାସ ଓ ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ ସହରର ମହାପୁରୁଷମାନଙ୍କ ପ୍ରତିମର୍ତ୍ତିରେ ମାଲ୍ୟାର୍ପଣ ସହ ସ୍ୱତନ୍ତ୍ର ଭାଷା ଭିତ୍ତିକ ଓଡ଼ିଶା ରାଜ୍ୟ ଗଠନର ଇତିହାସକୁ ମନେ ପକାଇଥିଲେ । ଉତ୍କଳ ଦିବସ ପାଳନ ଅବସରରେ ଜିଲାମୁଖ୍ୟ ଚିକିତ୍ସାଳୟ ସ୍ଥିତ ରକ୍ତଭଣ୍ଡାର ପରିସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ଅତିଥିମାନେ ଉଦଘାଟନ ସହ ପରେ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ । ଏହି ଅବସରରେ ସଂସ୍କୃତି ଭବନ ଆର୍ଟ ଗ୍ୟାଲେରିରେ ଅନୁଷ୍ଠିତ ଚିତ୍ରକଳା ପ୍ରଦର୍ଶନୀ ଓ ଗାନ୍ଧୀସ୍ମୃତି ଭବନରେ ସ୍ତମ୍ଭକାର ସର୍ବେଶ୍ୱର ଦାସଙ୍କ ଦ୍ୱାରା ଆୟୋଜିତ ଫଟୋ ପ୍ରଦର୍ଶନୀକୁ ଅତିଥିମାନେ ଉଦଘାଟନ କରିଥିଲେ । ସଂଧ୍ୟାରେ ଗାନ୍ଧୀ ସ୍ମୃତି ଭବନରେ ଆୟୋଜିତ ଜିଲାସ୍ତରୀୟ ସାଧାରଣ ସଭାରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଅଧ୍ୟକ୍ଷତା କରିବା ସହିତ ଓଡ଼ିଶା ଦିବସ ପାଳନର ଆଭିମୁଖ୍ୟ ଓ ଯଥାର୍ଥତା ସମ୍ପର୍କରେ ଆଲୋଚନା କରିଥିଲେ । ଜିଲା ପରିଷଦ ସଭାପତି ଶ୍ରୀ ପ୍ରଧାନ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଦେଶର ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଉତ୍କଳ ଗଠନର ପଟ୍ଟଭୂମି ଓ ଆଗାମୀ ଦିନରେ ଓଡ଼ିଆ ଭାଷାକୁ ନେଇ ଆମେ ସାମ୍ନା କରିବାକୁ ଯାଉଥିବା ଆହ୍ୱାନ ସମ୍ପର୍କରେ ଆଲୋକପାତ କରିଥିଲେ । ବିଶେଷ କରି ଓଡ଼ିଆ ଭାଷାର ସୁରକ୍ଷା, ସମୃଦ୍ଧି, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ତ୍ୟାଗ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲା ପରିଷଦ ଉପ-ସଭାପତି ଅନସୂୟା ପ୍ରଧାନ, ଉପ-ଜିଲାପାଳ କୁନାଲ ମୋତିରାମ ଚୌହାନ ଓ ଜିଲା ଶିକ୍ଷାଧିକାରୀ ବିଷ୍ଣୁ ଚରଣ ସୂତାର ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସଂସ୍କୃତି, କଳା, ଭାସ୍କର୍ଯ୍ୟର ବିକାଶରେ ପ୍ରତ୍ୟେକ ଓଡ଼ିଆଙ୍କ କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ଓ ଉଲ୍ଲେଖନୀୟ ଅବଦାନ ପାଇଁ କ୍ରୀଡ଼ାବିତ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅତିଥିମାନେ ଏହି ଅବସରରେ ପୁରସ୍କୃତ କରିଥିଲେ । ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭୂୟାଁ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ଜଗନ୍ନାଥ ବେହେରା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଜିଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟକାଳୟର କର୍ମଚାରୀମାନେ ଉତ୍ସବ ପାଳନରେ ସହଯୋଗ କରିଥିଲେ ।


