ଏଲିମେଣ୍ଟାରୀ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ପ୍ରତି ସରକାରଙ୍କ ସଦୟ ଦୃଷ୍ଟି ପଡ଼ୁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ଏଲିମେଣ୍ଟାରୀ ଶିକ୍ଷକ ସଂଘର ଭୁବନେଶ୍ୱରସ୍ଥିତ ୟୁନିଟ୍‌-୯ ସଂଘ କାର୍ଯ୍ୟାଳୟଠାରେ ସଂଘର ସଭାପତି ଶ୍ରୀଯୁକ୍ତ ଧନଞ୍ଜୟ ନାଏକଙ୍କ ସଭାପତିତ୍ୱରେ ନୂତନ ପେନସନଭୁକ୍ତ ଏଲିମେଣ୍ଟାରୀ ଶିକ୍ଷକମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପଦେଷ୍ଟା ଶ୍ରୀଯୁକ୍ତ ଧୀରେନ୍ଦ୍ର କୁମାର ଜେଠି ଶିକ୍ଷକ ମଉଡ଼ମଣି ସ୍ୱର୍ଗତ ଅବନୀ ବରାଳଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ବୈଠକର ଶୁଭାରମ୍ଭ କରିଥିଲେ । ସୂଚନାଯୋଗ୍ୟ ନଭେମ୍ବର ୨୦୨୨ରେ ଦୀର୍ଘ ୪ ଦିନ ଧରି ଏନ୍‌ପିଏସ୍ ଏଲିମେଣ୍ଟାରୀ ଶିକ୍ଷକମାନଙ୍କର ଆନ୍ଦୋଳନକୁ ୫ ମାସ ପୁରିବାକୁ ଯାଉଛି । ସେହିପରି ୨୯ ଡିସେମ୍ବର ୨୦୨୨ରେ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକର ୪ ମାସ ମଧ୍ୟ ପୁରିବାକୁ ବସିଲାଣି । ମାତ୍ର ସରକାର ୩ଟି ଦାବି ମଧ୍ୟରୁ କୌଣସି ଗୋଟିଏ ଦାବି ପୂରଣ କରିନାହାଁନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶିକ୍ଷକ ପ୍ରତିନିଧିଙ୍କ ସହିତ ଆଲୋଚନା ସମୟରେ ଯେକୌଣସି ଗୋଟିଏ ଦାବିକୁ ଅଗ୍ରାଧିକାର କଥା କହିଥିଲେ । ଇତି ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଗତ ତା ୧୩.୦୪.୨୦୨୩ରିଖରେ ସେକୋଣ୍ଡାରୀ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କିନ୍ତୁ ଅତ୍ୟନ୍ତ ହତାଶାଭାବ ଖେଳିଯାଇଛି, ଯେଉଁମାନେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ପଢାନ୍ତି, ସେହି ନୂତନ ପେନସନଭୁକ୍ତ ଶିକ୍ଷକମାନଙ୍କ ମନରେ ସେହି ଗୁଣାତ୍ମକ ଶିକ୍ଷାର ମୂଳଦୁଆ ପକାଉଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦୀର୍ଘଦିନର ଦାବି ଗୁଡ଼ିକ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ଜଣାଇବାକୁ ନିବେଦନ କରୁଅଛୁ । ଗଣଶିକ୍ଷା ବିଭାଗ ରିଜୋଲେସନ ନଂ-୨୩୨୯୨ ତା ୨୯.୧୧.୨୦୧୭ ଅନୁସାରେ ଏଲିମେଣ୍ଟାରୀ ବିଦ୍ୟାଳୟରେ ଶିକ୍ଷକମାନଙ୍କ ନିମ୍ନତମ ଯୋଗ୍ୟତା +୨ ସିଟି, ସୁତରାଂ ୨୦୧୯ କ୍ୟାଡ଼ର ରୁଲ୍ ସଂଶୋଧନ କରି ନିମ୍ନତମ ଯୋଗ୍ୟତା +୨ ସିଟି / ଗ୍ରାଜୁଏଟ ସିଟି ଏବଂ ବି.ଏଡ୍ ରଖାଯାଉ । ତଦନୁଯାୟୀ ୨୮୦୦/-ଏଣ୍ଟ୍ରି ଲେବୁଲରେ ଦିଆଯାଉ । ସେହିପରି ଓଡ଼ିଶାରୁ ଠିକା ନିଯୁକ୍ତି ଉଚ୍ଛେଦ ହୋଇଥିବାରୁ ୨୦୧୮ରୁ ନିଯୁକ୍ତ ଜେଟିସି/ଜେଟି ମାନଙ୍କର ମୂଳ କାର୍ଯ୍ୟକାଳ ଗଣନା କରି ଇନ୍‌କ୍ରିମେଣ୍ଟ ଦେଇ ନିୟମିତ କରାଯାଉ । ଗଣଶିକ୍ଷା ବିଭାଗ ଯେପରି ସେକୋଣ୍ଡାରୀ ଶିକ୍ଷକମାନଙ୍କୁ ୨୦୧୩ କଣ୍ଟ୍ରାକ୍‌ଚୁଆଲ ପଲିିସି ଆଧାରରେ ସୁବିଧା ସୁଯୋଗ ପ୍ରଦାନ କରିଛନ୍ତି, ଠିକ୍ ସେହିପରି ଓଟିଇଟି ଯୋଗ୍ୟତା ଭିତ୍ତିକ ଶିକ୍ଷକମାନଙ୍କୁ ଓ ୨୦୦୧ ଠାରୁ ନିଯୁକ୍ତ ଶିକ୍ଷକମାନଙ୍କୁ ଦରମା ସୁରକ୍ଷା ପ୍ରଦାନ କରନ୍ତୁ । ଶିକ୍ଷକମାନଙ୍କୁ ଜନଗଣନା ଓ ବିପର୍ଯ୍ୟୟ ପରିଚାଳନା ବ୍ୟତୀତ ଅନ୍ୟ ସମସ୍ତ ଅଣଶୈକ୍ଷିକ କାର୍ଯ୍ୟକ୍ରମରୁ ବାଦ୍ ଦିଅନ୍ତୁ । ଉଚ୍ଚଯୋଗ୍ୟତାଧାରୀ ବି.ଏଡ୍‌, ଏମ୍‌.ଏଡ୍ କରିଥିବା ଶିକ୍ଷକମାନଙ୍କୁ ବିଭାଗୀୟ ପରୀକ୍ଷା ଜରିଆରେ ମାଧ୍ୟମିକ ବିଦ୍ୟାଳୟକୁ ପଦୋନ୍ନତି ଦିଆଯାଉ । ଏଲିମେଣ୍ଟାରୀ ଶିକ୍ଷକମାନଙ୍କର ବଦଳି ନୀତିକୁ କୋହଳ କରାଯାଉ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶିକ୍ଷକମାନଙ୍କ ସହିତ ବର୍ଷକୁ ଅନ୍ୟୁନ ଗୋଟିଏ ଦିନ ଖୋଲା ଆଲୋଚନା କରନ୍ତୁ । ଯଦି ସରକାର ଦାବିଗୁଡ଼ିକୁ ବିଚାର ନକରନ୍ତି ତେବେ ସଂଘ ବାଧ୍ୟ ହୋଇ ଧାରଣାକୁ ଓହ୍ଲାଇବ ବୋଲି କହିଛନ୍ତି । ଏହି ବୈଠକରେ ସଂଘର ସମ୍ପାଦକ ସୁବ୍ରତ କୁମାର ବଡ଼ଜେନା, ଯୁଗ୍ମ ସମ୍ପାଦକ ପ୍ରିୟମ୍ବଦା ଆଚାର୍ଯ୍ୟ, ବ୍ରହ୍ମାନନ୍ଦ ପରିଡ଼ା, ଜିତେନ୍ଦ୍ର ନାୟକ, ବିଜୟିନୀ ନନ୍ଦ, ଅସିତ ପଣ୍ଡା, ମାନସ ମିଶ୍ର, ଧୀରେନ ଜେନା, ଅଭିମନ୍ୟୁ ପଳେଇ, ମଙ୍ଗୁଳି ପରିଡ଼ା, ପ୍ରିୟତମା ଜେନା, ଜିତେନ୍ଦ୍ର ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ