ଜମୁଛି ତାଳସଜ ବେପାର

ନିମାପଡା, (ସନ୍ତୋଷ ଦାଶ):ଖରାଦିନ ଆସିଲେ ମନେ ପଡ଼ିଯାଏ ତାଳସଜ କଥା।ଏହା ପାଟିକୁ ସୁଆଦ ଲାଗୁଥିବା ବେଳେ ଏହାର ଶୀତଳ, ମଧୁର ପାଣି ପେଟକୁ ଥଣ୍ଡା ରଖିଥାଏ। ତାଳସଜ ଖାଇବାକୁ ପିଲା ଠୁ ବୁଢ଼ା ସମସ୍ତ ଙ୍କ ଆଗ୍ରହ ରହିଥାଏ। ଏହା ସବୁ ସମୟରେ ବି ମିଳି ନଥାଏ। ଏହା ଋତୁ ଅନୁସାରେ ମିଳୁଥିବାରୁ ଏହାରଚାହିଦା ରହିଥାଏ। ଏବେ ଏହି ତାଳ ସଜ ବିକ୍ରୀ କରି କିଛି ବ୍ୟକ୍ତି ନିଜ ପରିବାର ବି ପ୍ରତିପୋଷଣ କରି ପାରୁଛନ୍ତି।ନିମାପଡା- କାକଟପୁର ମୁଖ୍ୟ ରାସ୍ତା କଡ଼ରେ ଏବେ ତାଳ ସଜ ବେପାର ଜମୁଛି।କାକଟପୁର ର ମଙ୍ଗଳା ମନ୍ଦିର ଓ ଅସ୍ତରଙ୍ଗ ର ଜାହାନିଆଁ ପୀର ପୀଠ, ଚଉରାଶୀ ର ବାରାହୀ ମନ୍ଦିର କୁ ବୁଲିବାକୁ ଯାଉଥିବା ଆସୁଥିବା ଯାତ୍ରୀ, ପର୍ଯ୍ୟଟକ ମାନେ ଗାଡ଼ି ଅଟକାଇ ତାଳ ସଜ ଖାଉଥିବା ବେଳେ କିଛି ବ୍ୟକ୍ତି ଘର ଲୋକ ମାନଙ୍କ ପାଇଁ ତାଳ ସଜ କିଣି ନେଉଥିବା ଦେଖିବାକୁ ମିଳୁଛି। ତାଳ ସଜକାଟି, ବିକ୍ରୀ କରି କିଛି ବ୍ୟକ୍ତି ନିଜ ପରିବାର ବି ପ୍ରତିପୋଷଣ କରୁଛନ୍ତି। ନିମାପଡା- କାକଟପୁର ମୁଖ୍ୟ ରାସ୍ତାର ପାଣିଛତ୍ର, ତୁଳସୀପୁର,ଚାରିଛକ, ଅମରେଶ୍ଵର, ନୟାହାଟ, ଜଗନ୍ନାଥପୁର ପ୍ରଭୃତି ସ୍ଥାନରେ ତାଳ ସଜ ବେପାର ଜମିବାରେ ଲାଗିଛି। ତାଳସଜ ବ୍ୟବସାୟ କରୁଥିବା ତୁଳସୀପୁର ଗ୍ରାମ ର ଗୁରିଆ ଭୋଇ କୁହନ୍ତି ସକାଳୁ ଉଠି ବିଭିନ୍ନ ସ୍ଥାନ କୁ ଯାଇ ତାଳ ଗଛ ଚଢ଼ି ତାଳ ତୋଳି ସାଇକେଲ, ଗାଡ଼ି, ଅଟୋ ଯୋଗେ ଆଣୁଛି। ତାପରେ ତାଳ କାଟି ସଜ କୁ ଲୋକମାନଙ୍କୁ ପ୍ରଦାନ କରୁଛି। ସଜ ଗୋଟାକୁ ୫ରୁ ୭ ଟଙ୍କା ରେ ବିକ୍ରି ହେଉଛି। ଏବେ ଆଉ ପୂର୍ବପରି ସେତେ ତାଳ ଗଛ ନାହିଁ। ତେଣୁ ଦିନକୁ ଦିନ ତାଳ ଆଉ ସଜ କମିବାରେ ଲାଗିଛି। ଅତୀତ ରେ ନିଜ ବାଡି ରେ ଲୋକମାନେ ନଡ଼ିଆ, ତାଳ ଗଛ ଲଗାଉଥିଲେ। ଗଛ ପୁରୁଣା ହୋଇଗଲେ ଗୃହ ନିର୍ମାଣ ରେ ଲାଗିବା ସହିତ ଗଛ ର ପତ୍ର ଓ ଅନ୍ୟାନ୍ୟ ଜିନିଷ ଜାଳ ଓ ଅନ୍ୟ ସାମଗ୍ରୀ ନିର୍ମାଣ କାର୍ଯ୍ୟ ରେ ଲାଗୁ ଥିଲା। ଖରାଦିନେ ତାଳ ସଜ ଓ ବର୍ଷା ଦିନେ ପାଚିଲା ତାଳ ଖାଇବାକୁ ମିଳୁଥିଲା। ପାଚିଲା ତାଳ ରସ ରୁ କିଛି ପରିବାର ପୋଡ଼ପିଠା ତିଆରି ମଧ୍ୟ କରୁଥିଲେ। ତାଳ ଗଛ ଡେଙ୍ଗା ହୋଇଥିବାରୁ ଏଗୁଡ଼ିକ ଘର, ମଣିଷ, ଜୀବଜନ୍ତୁ ମାନଙ୍କୁ ବଜ୍ରପାତ ରୁ ବି ରକ୍ଷା କରୁଥିଲା ବୋଲି କୁହନ୍ତି ପରିବେଶବିତ୍ ତ୍ରିଲୋଚନ ମିଶ୍ର। ସେ ଯାହା ହେଉ ଏବେ ତାଳସଜକିଛି ପରିବାର ପାଇଁ ଜୀବିକା ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ