ଦୃଷ୍ଟିବାଧିତ ପାରାସେଲରଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବଙ୍ଗୋପସାଗର ଉପରେ ପାରାସେଲିଂ କରି ଇତିହାସ ସୃଷ୍ଟି କରିଥିବା ରାଜ୍ୟର ପ୍ରଥମ ଦୃଷ୍ଟିବାଧିତ ବାପିନା ନାୟକଙ୍କୁ ନୟାଗଡ଼ ଜିଲ୍ଲା ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ସତ୍ୟନାରାୟଣ ପ୍ରଧାନ ଭୁବନେଶ୍ୱର ଗୋପବନ୍ଧୁ ଛକ ସ୍ଥିତ ସରକାରୀ ବାସଭବନ ପରିସରରେ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ଏହି ସମ୍ବର୍ଦ୍ଧନା ସଭାରେ ଅତିଥି ରୂପେ ସାମାଜିକକର୍ମୀ ସୁଶାନ୍ତ ସାହୁ, ଶିକ୍ଷାବିତ୍ ଚନ୍ଦ୍ରଶେଖର ପାଲ୍, ସେଞ୍ଚୁରିଆନ୍ ବ୍ଲଡ ଡ଼ୋନର ଗୋପୀମୋହନ ପଟ୍ଟନାୟକ, ଦୃଷ୍ଟିବାଧିତ ଖେଳାଳିଙ୍କ କୋଚ୍ ତ୍ରିଲୋଚନ ବେଉରା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ବାପିନାଙ୍କୁ ଉତ୍ତରୀୟ, ଫଳକ, ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହ ତାଙ୍କର ଏହି ଦୁଃସାହସିକ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଥିଲେ । ଆମ ଅଞ୍ଚଳ ଓ ସାରା ଓଡ଼ିଶା ପାଇଁ ଏହିଭଳି ଉଦୀୟମାନ ଖେଳାଳି ଗର୍ବ ଓ ଗୌରବର ବିଷୟ । ଖେଳ ପ୍ରତି ରୁଚି ରଖିଥିବା ବାପିନାଙ୍କ ଆଗ୍ରହକୁ ଦେଖି ଶ୍ରୀ ପ୍ରଧାନ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସୂଚନାଯୋଗ୍ୟ, ନୟାଗଡ଼ ଜିଲ୍ଲା ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଭିକାରୀପଡ଼ା ଗ୍ରାମରେ ବାପିନାଙ୍କ ଘର । ସେ ଏବେ ଓଡ଼ିଶା ଫୁଟ୍ବଲ ଦଳର କ୍ୟାପ୍ଟେନ୍ ରୂପେ ଦାୟିତ୍ୱ ତୁଲାଉଛନ୍ତି ।