ଓ୍ବାଶିଂଟନ: ଦୁନିଆରେ ଏମିତି କେତେକ ପ୍ରାଣୀ ରହିଛନ୍ତି, ଯାହାଙ୍କ ଜୀବନଶୈଳୀ ସମସ୍ତଙ୍କୁ ଆଚମ୍ବିତ କରିଦିଏ। ସେହିଭଳି ଏକ ଜୀବ ହେଉଛି ଜେଲିଫିଶ୍। ଏହାର ବିଷ ଦ୍ୱାରା ନିମିଷକେ ମଣିଷର ମୃତ୍ୟୁ ଘଟିଥାଏ। ତେବେ ଏହି ଜୀବଟିର ମୃତ୍ୟୁ କେବେ ହୋଇ ନ ଥାଏ ବୋଲି ପ୍ରାଣୀ ବିଜ୍ଞାନୀ କହିଥାନ୍ତି। ଏହାକୁ ଦୁଇ ଭାଗ କରି କାଟିଦେଲେ ପ୍ରତି ଅଂଶ ସ୍ବତନ୍ତ୍ର ଭାବେ ବଞ୍ଚିରହିଥାଏ। ଡାଇନାସୋର ଥିବା ସମୟରେ ଏହି ଜୀବଟି ମଧ୍ୟ ପୃଥିବୀରେ ଥିଲା। ସମୁଦ୍ରର ସୂର୍ଯ୍ୟାଲୋକ ପଡୁ ନ ଥିବା ଅଞ୍ଚଳରେ ଏହି ଜୀବଟି ବାସ କରେ। ଏହାର ସମଗ୍ର ଶରୀର ଜଳରେ ପୂର୍ଣ୍ଣ। ଏହାର ଶରୀରରେ ୯୫ ପ୍ରତିଶତ ଜଳ ଭରି ରହିଥାଏ। ପ୍ରାଣୀ ବିଜ୍ଞାନୀଙ୍କ ଅନୁସାରେ ଜେଲିଫିଶ୍ର ମସ୍ତିଷ୍କ ନ ଥାଏ। ଏହା ନିକଟରେ ଛୋଟ ଛୋଟ ମାଛ ଅଧିକ ସଂଖ୍ୟାରେ ଦେଖା ଯାଇଥାନ୍ତି। ଜେଲିଫିଶ୍ ସେମାନଙ୍କର କୌଣସି କ୍ଷତି କରି ନ ଥାଏ। ଜେଲିଫିଶ୍ର ଲମ୍ବ ସର୍ବାଧିକ ୬ ଫୁଟ ଏବଂ ଓଜନ ୨ ଶହ କିଲୋଗ୍ରାମ୍ ପର୍ଯ୍ୟନ୍ତ ହୋଇଥାଏ। ସମୁଦ୍ରର ଗଭୀରତମ ଅଞ୍ଚଳରେ ବାସ କରୁଥିବାରୁ ମଣିଷ ଉପରେ ଏହାର ବିପଦ ପ୍ରାୟତଃ ନ ଥାଏ।