ପ୍ରାଥମିକ ଶିକ୍ଷକମାନଙ୍କ ପଦୋନ୍ନତି ଦୋଛକିରେ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ପ୍ରାଥମିକ ଶିକ୍ଷକମାନଙ୍କ ନିଯୁକ୍ତି ଓ ପଦୋନ୍ନତି ନିମନ୍ତେ ୨୦୧୯ ମସିହାରେ କ୍ୟାଡ଼ର ରୁଲକୁ ସଂଶୋଧନ କଲେ । ତଦନୁଯାୟୀ ୨୦୧୯ ମସିହା ଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ଦୁଇ ତିନିଥର ଲେଖାଏଁ ପ୍ରାଥମିକ ଶିକ୍ଷକମାନଙ୍କ ପଦୋନ୍ନତି କରାଯାଇଛି । ଏହି କ୍ୟାଡ଼ର ରୁଲ୍‌ରେ ରେସିଡେନି୍ସ ପରିୟଡ଼ ଅଧିକ ଥିବାରୁ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବିଜ୍ଞାନ ଓ କଳା ବିଷୟଭିତ୍ତିକ ଶିକ୍ଷକ ଓ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକର ବହୁ ପଦବୀ ଖାଲି ପଡୁଥିଲା । ତେଣୁ ଶିକ୍ଷକମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ରେସିଡେନ୍ସି ପିରିୟଡ଼କୁ ଗତ ଜାନୁୟାରୀ ମାସ ପତ୍ରାଙ୍କ ସଂଖ୍ୟା-୬୨୪ ଜରିଆରେ ଲେବୁଲ-୩ ପଦବୀ ନିମନ୍ତେ ରେସିଡେନ୍ସି ପିରିୟଡ଼କୁ ୨ ବର୍ଷରୁ ୧ ବର୍ଷ, ଲେବୁଲ-୪ ଓ ବିଷୟଭିତ୍ତିକ ଶିକ୍ଷକ ୨ ବର୍ଷରୁ ୧ ବର୍ଷ, ଲେବୁଲ-ଭି (ବି)କୁ ୧ ବର୍ଷ କରାଯାଇଥିଲା । ଯାହାଦ୍ୱାରା ପ୍ରାଥମିକ ଶିକ୍ଷକମାନଙ୍କ ପଦୋନ୍ନତି ସହଜ ଓ ସରଳ ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ଗତ ତା ୦୬.୦୫.୨୦୨୩ରିଖ ପ୍ରାଥମିକ ନିର୍ଦ୍ଦେଶକ ତାଙ୍କ ପତ୍ରାଙ୍କ ସଂଖ୍ୟା-୧୦୬୮୬ରେ ସମସ୍ତ ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ଦର୍ଶାଇଛନ୍ତି ଯେ, ଯେଉଁମାନେ ନିଯୁକ୍ତି ପରେ ଉଚ୍ଚଶିକ୍ଷା କରିଥିବେ, ସେମାନେ ପଦୋନ୍ନତି ନିମନ୍ତେ ଓଟିଇଟି-୨ ପାସ୍ କରିବାକୁ ପଡ଼ିବ ଯାହାକି ସମସ୍ତ ପ୍ରାଥମିକ ଶିକ୍ଷକମାନଙ୍କ ମନରେ ଦ୍ୱନ୍ଦ ସୃଷ୍ଟି କରିଛି ।କ୍ୟାଡ଼ର ରୁଲ୍‌୨୦୧୯ରେ ଦର୍ଶାଯାଇଛି ଯେ, ୨୦୧୧ ମସିହା ପୂର୍ବରୁ ଯେଉଁମାନେ ନିଯୁକ୍ତି ପାଇଛନ୍ତି ସେମାନଙ୍କ ପଦୋନ୍ନତି ପାଇଁ ଓଟିଇଟିର ଆବଶ୍ୟକତା ନାହିଁ । ଏହା କେବଳ ୨୦୧୧ ମସିହା ପରେ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ପ୍ରଯୁଜ୍ୟ । ଯଦି ବିଷୟଭିତ୍ତିକ ଶିକ୍ଷକ ଯେଉଁମାନେ ନିଯୁକ୍ତି ପରେ ଉଚ୍ଚଶିକ୍ଷା କରିଛନ୍ତି, ସେମାନଙ୍କ ପାଇଁ ଓଟିଇଟି-୨ର ଆବଶ୍ୟକତା ଅଛି ତେବେ୨୦୧୯ ମସିହା ପରଠାରୁ ଆଜି ପର୍ଯ୍ୟନ୍ତ ପଦୋନ୍ନତି କିପରି ଓ କାହିଁକି ହେଉଥିଲା । ଯଦି ଏହି ନିୟମ କ୍ୟାଡ଼ର ରୁଲ୍‌-୨୦୧୯ରେ ତେବେ କାହିଁକି ଶିକ୍ଷାଧିକାରୀମାନେ ୪ ବର୍ଷ ଧରି ଚୁପ୍ ବସିଥିଲେ ଓ କାହା ସ୍ୱାର୍ଥରେ ପଦୋନ୍ନତିକୁ ଅନୁମୋଦନ ଦେଉଥିଲେ ବୋଲି ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ପ୍ରଶ୍ନ କରିଛନ୍ତି । ଅନ୍ୟ ବିଭାଗ ଭଳି ପ୍ରାଥମିକ ଶିକ୍ଷାରୁ ଚୁକ୍ତିଭିତ୍ତିକ ନିଯୁକ୍ତି ବାତିଲ କରି କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା, ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକ କାର୍ଯ୍ୟକାଳକୁ ନୋସନାଲ ଇନ୍‌କ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗ୍ରହଣ କରିବା, ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ଦେବା ଓ ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା ଆଦି ୩ଟି ପ୍ରମୁଖ ଦାବି ନେଇ ରାଜ୍ୟର ସମସ୍ତ ପ୍ରାଥମିକ ଶିକ୍ଷକ ଆନ୍ଦୋଳନ କଲାବେଳେ ସେମାନଙ୍କୁ ଖୁସି କରିବା ପାଇଁ ସରକାର ରେସିଡ଼େନ୍ସି ପିରିୟଡ଼ କମାଇଥିଲେ । ଏହି ତିନୋଟି ପ୍ରମୁଖ ଦାବି ପୂରଣ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଓ ପରେ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରି ସରକାର ବସିଛନ୍ତି । ତିନୋଟି ପ୍ରମୁଖ ଦାବି ପୂରଣ ନିମନ୍ତେ ଆନ୍ଦୋଳନ ଉପରୁ ଶିକ୍ଷକମାନଙ୍କୁ ଲକ୍ଷ୍ୟଚ୍ୟୁତ କରିବା ପାଇଁ ରାଜ୍ୟ ସରକାର ପଦୋନ୍ନତି ନିମନ୍ତେ ଏକ ତ୍ରୁଟିପୂର୍ଣ୍ଣ ଓ ବିବାଦୀୟ ନିର୍ଦ୍ଦେଶନାମା ଜାରି କରିଛନ୍ତି ବୋଲି ସଂଘ ଦାବି କରିଛି । କୌଣସି ବିଭାଗରେ ରେସିଡେନ୍ସି ପିରିୟଡ଼ ନ ଥିବା ବେଳେ ଓ ଶିକ୍ଷା ବିଭାଗରେ ଶିକ୍ଷକମାନଙ୍କ ପାଇଁ ରେସିଡେନ୍ସି ପିରିୟଡ଼ କାିହଁକି ରଖାଯାଇଛି । ତେଣୁ ପ୍ରାଥମିକ ଶିକ୍ଷକ ମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ପ୍ରାଥମିକ ନିର୍ଦ୍ଦେଶକ ତୁରନ୍ତ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରି ଶିକ୍ଷକମାନଙ୍କୁ ପଦୋନ୍ନତି ଦେବାକୁ ସଂଘ ଦାବି କରିଛି । ପିଷ୍ଟାର ସଭାପତି ବ୍ରହ୍ମାନନ୍ଦ ମହାରଣାଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ସଭାପତି ଶ୍ରୀକାନ୍ତ ବାରିକ, ସରୋଜ କୁମାର ବେହେରା, ସାରଦା ପ୍ରସନ୍ନ ଖଟୁଆ, ରଞ୍ଜନ ବେହେରା ପ୍ରମୁଖଙ୍କୁ ନେଇ ଏକ ପାଞ୍ଚଜଣିଆ ପ୍ରତିନିଧି ଦଳ ଗଣଶିକ୍ଷା ମନ୍ତ୍ରୀ, ଗଣଶିକ୍ଷା ସଚିବ, ଅନୁଶାସନ ସଚିବ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଓ ଉପ ନିର୍ଦ୍ଦେଶକଙ୍କୁ ଭେଟି ଆଲୋଚନା କରି ଦାବିପତ୍ର ପ୍ରଦାନ କରିବା ସହ ଏହି ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ