ସହରାଞ୍ଚଳ ପାଶ୍ୱର୍ରେ ଜୁର୍ଡ଼ିସିଆଲ ହବ ପ୍ରତିଷ୍ଠା ଉପରେ ଗୁରୁତ୍ୱ
ବାଲେଶ୍ୱର, (ସରୋଜ ପଣ୍ଡା):ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱରରେ ମଡେଲ କୋର୍ଟ ତଥା ଜୁର୍ଡ଼ିସିଆଲ ହବ ପ୍ରତିଷ୍ଠା ପାଇଁ ସ୍ଥାନ ଚୟନ ଆରମ୍ଭ ହୋଇଥିବା ବେଳେ ସହର ପାଖାପାଖି ଜମି ନିରୂପଣ ଉପରେ ଗୁରୁତ୍ୱ ଦେଇଛି ବାର ଆସୋସିଏସନ । କୋର୍ଟ ସ୍ଥାନାନ୍ତର ପାଇଁ ଜମି ଚୟନ ନେଇ ଓକିଲ ସଂଘର କର୍ମକର୍ତ୍ତାମାନେ ନିକଟ ଅତୀତରେ ଜିଲା ଓ ଦୌରା ଜଜଙ୍କ ସହ ଆଲୋଚନା କରିଥିବା ବେଳେ ଗୁରୁବାର ଜିଲାପାଳଙ୍କୁ ସାକ୍ଷାତ ସହ ସହରର ପାଖାପାଖି ଅଞ୍ଚଳରେ ଥିବା ସରକାରୀ ଜମି ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି । ଗୋଟିଏ ସ୍ଥାନରେ ଜୁର୍ଡ଼ିସିଆଲ ହବ ପ୍ରତିଷ୍ଠାକୁ ସେମାନେ ସ୍ୱାଗତ କରୁଥିବା ବେଳେ ଜନସାଧାରଣଙ୍କ ସୁବିଧା ପାଇଁ ଯୋଗାଯୋଗ ବ୍ୟବସ୍ଥା ଥିବା ସ୍ଥାନ ଚୟନ ନିମନ୍ତେ ସଂଘ ଗୁରୁତ୍ୱାରୋପ କରିଛି ।ଏନେଇ ସଂଘର କର୍ମକର୍ତ୍ତାମାନେ ଜିଲାପାଳଙ୍କୁ ସହର ଆଖପାଖ ଅଞ୍ଚଳର କେତେକ ସ୍ଥାନ ସମ୍ପର୍କରେ ସୂଚନା ଦେଇଛନ୍ତି । ହାଇକୋର୍ଟଙ୍କ ମାର୍ଗଦର୍ଶିକା ଅନୁସାରେ ସର୍ବନିମ୍ନ ୧୦ ଏକର ଜମିରେ ଏହି ଜୁଡ଼ିସିଆଲ ହମ ପ୍ରତିଷ୍ଠା ହେବ । ଏଥିରେ ସଦର ମହକୁମାର ସମସ୍ତ କୋର୍ଟ ସମେତ ସମ୍ପୂର୍ଣ୍ଣ ବିଚାର ବିଭାଗୀୟ ବ୍ୟବସ୍ଥା ରହିବ । ରେମୁଣା ପଲିଟେକ୍ନିକ ଶିକ୍ଷାନୁଷ୍ଠାନ ନିକଟରେ ଥିବା ସରକାରୀ ଜମିରେ ଏହାକୁ ପ୍ରତିଷ୍ଠା ପାଇଁ ଜିଲା ବିଚାର ବିଭାଗ ପ୍ରସ୍ତାବ ରଖିଥିବା ସଂଘ ଜିଲାପାଳଙ୍କୁ ସୂଚିତ କରିଥିଲା । ତେବେ ଏହା ସଦର ମହକୁମାରୁ ଦୂର ହେଉଥିବା ବେଳେ ଜିଲାର ବିଭିନ୍ନ ଅଞ୍ଚଳରୁ ଲୋକଙ୍କ ଯାତାୟତ ପାଇଁ ସମସ୍ୟା ହେବ ବୋଲି କର୍ମକର୍ତ୍ତାମାନେ ଆରୋପ କରିଥିଲେ । ଏନେଇ ସଂଘ ପକ୍ଷରୁ ବତୀଘର ନିକଟରେ ଥିବା ଜଳସେଚନ ବିଭାଗର ଥିବା ୯ ଏକରରୁ ଊର୍ଦ୍ଧ୍ୱ ଜମି, କୁରୁଡ଼ା ପଞ୍ଚାୟତ ହରିଡ଼ା ଅଞ୍ଚଳରେ ଥିବା ବିସ୍ତିର୍ଣ୍ଣ ପଡ଼ିଆ, ବାଲିଆରେ ଥିବା ଅବ୍ୟବହୃତ ସରକାରୀ କୃଷିଫାର୍ମ ଜମି, ନୁଣିଆଯୋଡ଼ି ପାଖ ଦହପଡ଼ା ମୌଜାରେ ଥିବା ୫୦ ଏକରରୁ ଅଧିକ ଜମି ଥିବା ସ୍ଥାନ ଚୟନ ପାଇଁ ଜିଲାପାଳଙ୍କୁ ପ୍ରସ୍ତାବ ଦିଆଯାଇଥିବା କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ସମ୍ପୃକ୍ତ ଜମି ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ ସହ ଏହାରି ମଧ୍ୟରୁ ଗୋଟିଏ ସ୍ଥାନରେ ଜୁଡ଼ିସିଆଲ ହବ ପ୍ରତିଷ୍ଠା ଦାବିରେ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି କର୍ମକର୍ତ୍ତାମାନେ କହିଛନ୍ତି । ଜିଲାପାଳଙ୍କ ସହ ଆଜିର ଆଲୋଚନା ବେଳେ ଆସୋସିଏସନର ସଭାପତି ମନୋଜ କୁମାର ନାୟକ, ଉପ-ସଭାପତି ରଣଜିତ ପଣ୍ଡା, ସମ୍ପାଦକ ଦୀପକ କୁମାର ଦାଶ, ସହ-ସମ୍ପାଦକ ଜିତେନ୍ଦ୍ର ଉପାଧ୍ୟାୟ ଓ ଅନ୍ନପୂର୍ଣ୍ଣା ରାଉତ, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ସହ-କୋଷାଧ୍ୟକ୍ଷ ପିନାକୀ ଧୀରଙ୍କ ସମେତ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ ।