ଶିବବିବାହ ଉତ୍ସବ ପାଇଁ ପ୍ରାଚୀ ଉପତ୍ୟକା ଉତ୍ସବ ମୁଖର

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ପବିତ୍ର ଶୀତଳ ଷଷ୍ଠୀ ତିଥି। ପୁଣ୍ୟତୋୟା ପ୍ରାଚୀ ଉପତ୍ୟକା ରେ ଥିବା ଶିବ ମନ୍ଦିର ମାନଙ୍କରେ ପାରମ୍ପରିକ ପ୍ରଥାନୁସାରେ ରେ ଶିବ ପାର୍ବତୀ ବିବାହ ଉତ୍ସବ ଧୁମ ଧାମ ରେ ଅନୁଷ୍ଠିତ ହେଉଛି। ପ୍ରାଚୀ ଉପତ୍ୟକା ର କପିଳେଶ୍ୱର, ଗୋ କର୍ଣେଶ୍ୱର, ଅଙ୍ଗେଶ୍ୱର, ଶୋଭନେଶ୍ୱର, ରାମେଶ୍ୱର, ଅମରେଶ୍ୱର, ବନ୍ଦେଶ୍ୱର,ସୋମେଶ୍ୱର, ଗ୍ରାମେଶ୍ୱର, ସିଦ୍ଧେଶ୍ୱର,ନାଟେଶ୍ୱର, ମୁକ୍ତେଶ୍ଵର ପ୍ରଭୁତି ଶୈବ ପୀଠ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ଜିଉଁନ୍ତି ଗ୍ରାମର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଈଶ୍ୱରନାଥ ମହାଦେବଙ୍କ ପୀଠରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଶୀତଳଷଷ୍ଠୀ ତିଥି ରେ ପାରମ୍ପରିକ ପ୍ରଥା ନୁସାରେ ଶିବବିବାହ ଉତ୍ସବ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଆଜି ସକାଳୁ ହାଣ୍ଡି ମଙ୍ଗୁଳା, ଦିଅଁ ମଙ୍ଗୁଳା, ଶିବପାର୍ବତୀଙ୍କ ମହାସ୍ନାନ, ବାଟବରଣ ନିତୀ ପରେ ପ୍ରଥମ ବରଣ, ଦ୍ଵିତୀୟ ବରଣ ହୋଇଥିଲା l ପରେ ହରି ବୋଲ, ହୁଳହୁଳି ଶବ୍ଦ ମଧ୍ୟରେ ଶିବ -ପାର୍ବତୀ ଙ୍କ ବିବାହ କାର୍ଯ୍ୟ ସମ୍ପାଦନ ହୋଇଥିଲା l ପଣ୍ଡିତ ରୋଶନ କର ଏବଂ ପଣ୍ଡିତ ବିଶ୍ୱନାଥ ମିଶ୍ର ବିବାହ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ମନ୍ଦିରର ବଡ଼ପଣ୍ଡା ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ପୁରୋହିତ କାର୍ଯ୍ୟ ତୁଲାଇଥିଲେ l ବରପିତା ଭାବେ ଦେବେନ୍ଦ୍ର ଦାଶ ଓ କନ୍ୟାପିତା ଭାବେ ଶରତ ଚନ୍ଦ୍ର ପଣ୍ଡା ଦାୟିତ୍ୱ ନିଭାଇଥିଲେ l ଶିବ -ପାର୍ବତୀ ଙ୍କ ବିବାହ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳର ଅଗ୍ରଣୀ ଅନୁଷ୍ଠାନ ଗୋପବନ୍ଧୁ ଯୁବ ସାମାଜିକ ସଂଗଠନ ର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ l ଉକ୍ତ ବିବାହ କାର୍ଯ୍ୟରେ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇ ଶିବ ପାର୍ବତୀଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ପ୍ରସାଦ ସେବନ କରିଥିଲେ l ଗୁରୁବାର ସନ୍ଧ୍ୟାରେ ଶିବ ପାର୍ବତୀ ଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ମଣି ବିମନରେ ବସାଇ ନଗର ପରିକ୍ରମା କରାଯିବାପରେ ପୁନର୍ବାର ମନ୍ଦିରକୁ ଫେରାଇ ଅଣାଯିବ ବୋଲି ସଂଗଠନର ଉପଦେଷ୍ଟା ପୂର୍ଣଚନ୍ଦ୍ର ଖଣ୍ଡୁଆଳ ପ୍ରକାଶ କରିଛନ୍ତି । ଶିବ ପାର୍ବତୀ ବିବାହ ଉତ୍ସବ ପାଇଁ ସମଗ୍ର ପ୍ରାଚୀ ଉପତ୍ୟକା ଉତ୍ସବ ମୁଖର ହୋଇ ପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ