ଶତାୟୁ ହୋଇ ବି କର୍ମଚଞ୍ଚଳ ରଘୁନାଥ
ନିମାପଡ଼ା, (ସନ୍ତୋଷ ଦାଶ):କୁହାଯାଏ ଯାହାର ଯେତିକି ଦିନ ପରମାୟୁ ସେ ସେତିକି ଦିନ ବଞ୍ଚିବ। କିନ୍ତୁ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ବାହାରେଣା ପଞ୍ଚାୟତ ଓଡଗୁଆଁ ଗ୍ରାମ ର ରଘୁନାଥ ମିଶ୍ର ଙ୍କ କହିଛନ୍ତି ଅଲଗା କଥା। ଜଣେ ବ୍ୟକ୍ତି ଯଦି ଶାସ୍ତ୍ରାନୁମୋଦିତ ଦିନଚର୍ଯ୍ୟା କରି ଚଳିବ ତେବେ ନିଶ୍ଚୟ ଶହେ ବର୍ଷ ବଞ୍ଚିପାରିବ। ରଘୁନାଥ ଙ୍କୁ ଏବେ ୧୦୦ ବର୍ଷ ଆଉ ତାଙ୍କ ପତ୍ନୀଙ୍କୁ ୯୧ ବର୍ଷ। ରଘୁନାଥ ଜଣେ ନୈଷ୍ଠିକ ବ୍ରାହ୍ମଣ। ପୁରୋହିତ କାର୍ଯ୍ୟ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି।ସନ୍ତୁଳିତ ଖାଦ୍ୟ ଓ ସମୟାନୁବର୍ତ୍ତି ଜୀବନ ଯୋଗୁଁ ସେ ୧୦୦ ଟି ବସନ୍ତ ଅତିକ୍ରାନ୍ତ କରି ସାରିଲେଣି। କିନ୍ତୁ କେବେ ମେଡ଼ିକାଲ ମାଟି ମାଡି ନାହାନ୍ତି। କେବେ ପାଦରେ ଚପଲ ପିନ୍ଧି ନାହାନ୍ତି। ଏବେ ବି ରଘୁନାଥ କର୍ମଚଞ୍ଚଳ। ପ୍ରତିଦିନ ପ୍ରାତଃ ୪ଟା ରେ ଶଯ୍ୟା ତ୍ୟାଗ କରି ସ୍ନାନ ଶୌଚ ଓ ନିତ୍ୟକର୍ମ ସାରି ଗୋଟିଏ କପ୍ ଚା ପିଅନ୍ତି। ଘରେ ଠାକୁର ପୂଜା ସାରି ଜଳଖିଆ ଖାଇ ନିର୍ଦିଷ୍ଟ ସମୟ ରେ ପହଞ୍ଚି ଯାଆନ୍ତି ଯଜମାନ ଙ୍କ ଘରେ। ସେଠାରେ ପୂଜା ପାଠ କାର୍ଯ୍ୟ ସାରି ଘରକୁ ଫେରନ୍ତି। ମଧ୍ୟାହ୍ନ ଭୋଜନ ଖାଇ ବିଶ୍ରାମ ନିଅନ୍ତି। ଅପରାହ୍ନ ରେ ଉଠି ପୂଜା ପାଠ ସଂକ୍ରାନ୍ତିୟ ପୋଥି, ପୁସ୍ତକ ପାଠ ପଢିଥାନ୍ତି। ରାତି ୯ଟା ସୁଦ୍ଧା ଶଯ୍ୟା କୁ ଯାଇ ବିଶ୍ରାମ କରିଥାନ୍ତି। ରଘୁନାଥ ନିରାମିଂଶ ଭୋଜନ ଖାଇଥାନ୍ତି। ନିଜ କାର୍ଯ୍ୟ ନିଜେ ଆରାମ ରେ କରିଥାନ୍ତି। କାହା ଉପରେ ନିର୍ଭର କରିନାହାନ୍ତି କେବେ। ଖରା ହେଉ କି ବର୍ଷା, ଶୀତ ହେଉ କି ଗ୍ରୀଷ୍ମ। ଛତା ଖଣ୍ଡିଏ ଧରି ଖାଲି ପାଦରେ ଚାଲି ନିଜ କର୍ମ କରି ଚାଲିଛନ୍ତି ରଘୁନାଥ।ସ୍ଥାନୀୟ ଅଞ୍ଚଳ ରେ ରଘୁନାଥ ଜଣେ ନୈଷ୍ଠିକ ବ୍ରାହ୍ମଣ ଓ ପୁରୋହିତ ଭାବେ ପରିଚିତ। ନିଜ ଜୀବନ ଶୈଳୀ କୁ ଶୃଙ୍ଖଳିତ କରି ପାରିଲେ ଜଣେ ଦୀର୍ଘଜୀବି ହୋଇ ପାରିବ ବୋଲି ରଘୁନାଥ କୁହନ୍ତି। ଶତାୟୁ ହୋଇଥିଲେ ବି ରଘୁନାଥ ଆଜି ଯେପରି କର୍ମତତ୍ପର ଅଛନ୍ତି ଦେଖିଲେ ଆଶ୍ଚଯ୍ୟ ଲାଗିଥାଏ।