ସିଡ୍ସ ବଲ୍ ମାଧ୍ୟମରେ ଜଙ୍ଗଲ ହେବ ସବୁଜିମା ବଣ ତିଆରିରେ ରାଜଯୋଗିନୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦିନକୁ ଦିନ ମାନବୀୟ ହସ୍ତକ୍ଷେପ ଓ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ସବୁଜିମା ଉଜୁଡି ଯାଉଛି । ଉଜୁଡି ଯାଇଥିବା ଜଙ୍ଗଲର ସବୁଜିମାକୁ ଫେରାଇ ଆଣିବା ଏବଂ ଜଳବାୟୁର ଜ୍ୱାଳାରୁ ମୁକ୍ତି ଲାଗି ଭୁବନେଶ୍ୱର ଉପକଣ୍ଠ ହରିଡ଼ାମଡ଼ା ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ରାଜଯୋଗିନୀମାନେ ଅଣ୍ଟାଭିଡି ଆଗେଇ ଆସିଛନ୍ତି । ପରିବେଶବିତ୍ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ରାଜଯୋଗିନୀମାନେ ମାଟି, ଜୈବିକ ସାର ସହିତ ତେନ୍ତୁଳି, ଅଁଳା ଆଦି ମଞ୍ଜିକୁ ଗୋଳାଇ ପାଖାପାଖି ୧ ହଜାରରୁ ଉର୍ଦ୍ଧ୍ୱ ବିହନପେଣ୍ଡୁ ଅର୍ଥାତ୍ ସିଡ୍ସବଲ୍ ତିଆରି କରିପାରିଛନ୍ତି । ଏହି ବିହନ ପିଣ୍ଡୁଳା ଗୁଡ଼ିକ ଆଖପାଖରେ ଥିବା ଜଙ୍ଗଲର ଟାଙ୍ଗରା ଭୂଇଁରେ ପକାଯିବ । ଏହି ପ୍ରକ୍ରିୟା ମାଧ୍ୟମରେ ୫୦ ପ୍ରତିଶତ ଗଛ ସୃଷ୍ଟି ହୋଇପାରିଥାଏ । ବର୍ଷାଋତୁରେ ଏଭଳି କାର୍ଯ୍ୟକ୍ରମ ଦ୍ୱାରା କମ୍ ସମୟରେ ପ୍ରଭାବୀ ବନୀକରଣ ସୃଷ୍ଟି ହେବା ସହ ଅନେକଙ୍କ ଜୀବିକା ସୁଦୃଢ଼ ହୋଇପାରିବ ଏବଂ ବନ୍ୟଜନ୍ତୁଙ୍କ ଖାଦ୍ୟ ଅଭାବ ଦୂର ହୋଇପାରିବ ବୋଲି ସୁଶାନ୍ତ କହିଥିଲେ । ଏହି ପରିପ୍ରେକ୍ଷୀରେ ରାଜଯୋଗିନୀ ବିକେ ଲିନା ଭଉଣୀ କହିଥିଲେ ପ୍ରକୃତିକୁ ସମସ୍ତେ ଭଲପାଇବା ସହ ସମ୍ମାନ ଦେବା ନିହାତି ଦରକାର । ପରିବେଶ ବଞ୍ôଚଲେ ସଭିଏଁ ବଞ୍ôଚବା । କମ୍ ଖର୍ଚ୍ଚରେ ଏଭଳି ପ୍ରଭାବୀ ବନୀକରଣ କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆହୁରି ବ୍ୟାପକ କରାଯିବ ବୋଲି ସେ ସୂଚନା ଦେଇଥିଲେ । ସାମାଜିକ କର୍ମୀ ସନ୍ତୋଷୀ ଜୈନଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ବିଶିଷ୍ଟ ଶିକ୍ଷାବିତ୍ ଚନ୍ଦ୍ରଶେଖର ପାଲ୍, ସାମାଜିକ କର୍ମୀ ତ୍ରିଲୋଚନ ବେଉରା, ପ୍ରଦୀପ୍ତ ରଞ୍ଜନ ରାଉତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ରାଜଯୋଗିନୀ ମାନଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ବନୀକରଣ କାର୍ଯ୍ୟକୁ ବହୁ ମହଲରେ ଉଚ୍ଚ ପ୍ରଶଂସିତ ହୋଇପାରିଥିବାର ଜଣାପଡିଛି ।