୩ୟ ଗାନ୍ଧୀଗୌରବ ସମ୍ମାନ ଉତ୍ସବ-୨୦୨୩

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ନ୍ୟାସ ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନଙ୍କ ୯୮ତମ ଜୟନ୍ତୀକୁ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ବିଶିଷ୍ଟ ସନ୍ଥ ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ କହିଲେ ଯେ, ମାନନୀୟ ଦୋଳଗୋବିନ୍ଦ ପ୍ରଧାନଙ୍କୁ ମୁଁ ଦୀର୍ଘ ୬୦ ବର୍ଷ ଧରି ଅତି ନିକଟରୁ ଦେଖିଆସୁଛି । ସେ ଥିଲେ ଜଣେ ନୀତିନିଷ୍ଠ ମଣିଷ । ତାଙ୍କର ଏକ ଆଦର୍ଶ ଜୀବନଚର୍ଯ୍ୟା ଥିଲା, ଯେଉଁଥିପାଇଁ ସେ ୯୫ବର୍ଷ କାଳ ସମ୍ପୂର୍ଣ୍ଣ ନିରୋଗୀ ହୋଇ ବଞ୍ôଚଥିଲେ । ତାଙ୍କ ଜୀବନଶୈଳୀର ଆଜି ମଧ୍ୟ ପ୍ରାସଙ୍ଗିକତା ରହିଛି । ଯୁବକ ଓ ଛାତ୍ରମାନେ ତାଙ୍କ ଜୀବନୀ ପଢିବା ଉଚିତ୍ ।ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ, ବୁଦ୍ଧମନ୍ଦିରଠାରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ଓଡ଼ିଶାର ଜଣେ ବିଶିଷ୍ଟ ଚିକିତ୍ସକ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ଠାରେ ଦୀର୍ଘ ୫୦ ବର୍ଷ ଧରି ସେବା ଯୋଗାଉଥିବା ଡାକ୍ତର ବାବାଜୀ ଚରଣ ଦାସଙ୍କୁ ମୁଖ୍ୟ ଅତିଥି ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ସାଲ୍‌, ସ୍ମୃତିଫଳକ ଦେଇ ଗାନ୍ଧୀ ଗୌରବ ସମ୍ମାନ-୨୦୨୩ରେ ସମ୍ମାନିତ କରିଥିଲେ । ମୁଖ୍ୟ ଅତିଥି, ବିଶିଷ୍ଟ ଭାଷାତତ୍ତ୍ୱବିତ୍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଦୋଳଗୋବିନ୍ଦ ବାବୁ ଭାରତବର୍ଷର ସ୍ୱାଧୀନତା ସଂଗ୍ରାମ ସମୟରେ ବ୍ରହ୍ମପୁର ଜେଲ୍‌ରେ ଥିବାବେଳେ ବରିଷ୍ଠ ରାଜନେତା ମାନଙ୍କ ଠାରୁ ଯାହା ଶିକ୍ଷା କରିଥିଲେ ତାହାକୁ ସେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ନିଜ ଉପରେ ଓ ସମାଜରେ ପ୍ରୟୋଗ କରି ସଫଳ ହୋଇଥିଲେ । ସ୍ମୃତିଚାରଣ କରି ଗାନ୍ଧୀ ସ୍ମାରକ ନିଧିର ସମ୍ପାଦକ ତଥା ପୂର୍ବ ପ୍ରଶାସକ ଜୟନ୍ତ ଦାସ କହିଲେ ଯେ, ରାଜନୀତି ମଧ୍ୟରେ ଥିଲେ ମଧ୍ୟ ଦୋଳଗୋବିନ୍ଦ ବାବୁ ଥିଲେ ଜଣେ ରାଜଯୋଗୀ । ପୂର୍ବତନ ଜିଲ୍ଲାଜଜ୍ ରତିକାନ୍ତ ମହାପାତ୍ର ଓ ପୂର୍ବତନ ଅଧ୍ୟକ୍ଷ ଡଃ ଆର୍ତ୍ତତ୍ରାଣ ମିଶ୍ର ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କୁ ଜଣେ ଶୃଙ୍ଖଳା ଓ ସମୟାନୁବର୍ତ୍ତିତାର ପ୍ରତୀକ ଥିଲେ ବୋଲି କହିଥିଲେ । ମୁଖ୍ୟବକ୍ତା ବାଗ୍ମୀ ପ୍ରଦ୍ୟୁମ୍ନ କୁମାର ଶତପଥୀ ଶ୍ରଦ୍ଧାସୁମନ ଜଣାଇ କହିଲେ ଯେ, ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ଗାନ୍ଧୀ କଥା ବହିକୁ ଯେ ନ ପଢିଛି, ସେ ଗାନ୍ଧୀ ମଣିଷ ଦୋଳଗୋବିନ୍ଦଙ୍କୁ ଚିହ୍ନିପାରିବ ନାହିଁ । ଗାନ୍ଧୀ ବିଚାରଧାରାକୁ ସେ କେବଳ ନିଜ ଜୀବନଶୈଳୀରେ ପ୍ରୟୋଗ କରିନାହାଁନ୍ତି, ସମାଜରେ ଗାନ୍ଧୀବାଦର ପ୍ରୟୋଗ ପାଇଁ ଶେଷ ଜୀବନ ପର୍ଯ୍ୟନ୍ତ ସେ ସକ୍ରିୟ ଭାବେ କାର୍ଯ୍ୟ କରିଛନ୍ତି । ଭାଷା ଆନ୍ଦୋଳନରେ ତାଙ୍କର ନିଷ୍ଠାକୁ ମୁଁ କୋଟି କୋଟି ପ୍ରଣାମ ଜଣାଉଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ପ୍ରଫେସର ବୁଦ୍ଧଦେବ ମିଶ୍ର ସ୍ୱାଗତ ଭାଷଣ, ଶ୍ରୀମତୀ ନିବେଦିତା ଭଞ୍ଜ ବେଦପାଠ ଓ ପୁଷ୍ପରାଜ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ ।ସ୍ୱର୍ଗତ ପ୍ରଧାନଙ୍କ ଜନ୍ମଦିନ ଉପଲକ୍ଷେ ପାତ୍ରପଡ଼ାସ୍ଥିତ ସ୍ମୃତିବନରେ ବୃକ୍ଷପୂଜା କରାଯାଇଥିଲା । ରେଞ୍ଜର ଶ୍ରୀମତୀ ପରିଡ଼ା, ଦେବରାଜ ପ୍ରଧାନ, ପୃଥିରାଜ ପ୍ରଧାନ ପ୍ରମୁଖ ସେଠାରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ନହରକଣ୍ଟାସ୍ଥିତ ପଲ୍ଲି ଉନ୍ନୟନ ସେବାସଦନଠାରେ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଆଡ଼ଭୋକେଟ ମିତ୍ରଭାନୁ ମହାପାତ୍ର ଓ ପ୍ରଜ୍ଞାରାଜ ପ୍ରଧାନଙ୍କ ତତ୍ତ୍ୱାବଧାନରେ ହୋଇଥିଲା । ବୁଦ୍ଧମନ୍ଦିର କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ପ୍ରତି ଶ୍ରଦ୍ଧାସୁମନ ଜଣାଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଇଂ ବିବେକାନନ୍ଦ ପାତ୍ର, ବାସ୍ତୁବିତ ଡଃ ମନୋଜ ଲେଙ୍କା, ସମାଜସେବୀ ବରୁଣରାଜ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ