ଜମିବାଡ଼ି ବିବାଦକୁ କେନ୍ଦ୍ରକରି ବାପାଙ୍କୁ ହତ୍ୟା କଲା ପୁଅ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ନିମାପଡ଼ା ଥାନା ଅନ୍ତର୍ଗତ ଏକମୋକଣା ଗ୍ରାମରେ ଜମିବାଡ଼ି ବିବାଦ ଓ ଭାଗବଣ୍ଟା ଘଟଣାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ଏହି ବିବାଦକୁ କେନ୍ଦ୍ରକରି ବୃଦ୍ଧ ବାପା ବିମ୍ବାଧର ସ୍ବାଇଁ (୮୦)ଙ୍କୁ ତାଙ୍କ ବଡ଼ପୁଅ ବିଜୟକୃଷ୍ଣ ଅତି ନିର୍ମମ ଭାବେ ହତ୍ୟା କରିଥିବା ପୋଲିସ ରେ ଅଭିଯୋଗ ହୋଇଛି ।ପ୍ରକାଶ ଯେ, ଘରେ ବାପା ଓ ପୁଅଙ୍କ ମଧ୍ୟରେ ଜମିବାଡ଼ି କୁ ନେଇ ଯୁକ୍ତିତର୍କ, ବଚସା ହେବାରୁ ବିଜୟକୃଷ୍ଣ ରାଗିଯାଇ ବାପାଙ୍କ ତଣ୍ଟି ଚିପି କାନ୍ଥରେ ବାରମ୍ବାର ପିଟିବାରୁ ତାଙ୍କ ମୁଣ୍ଡ ଓ କାନମୁଣ୍ଡା ଫାଟିଯାଇ ପ୍ରବଳ ରକ୍ତସ୍ରାବ ହୋଇଥିଲା। ପରେ ସେ ତଳେପଡ଼ି ସଂଜ୍ଞାହୀନ ହୋଇପଡ଼ିଥିଲେ। ବୃଦ୍ଧ ବାପାଙ୍କୁ ଗୁରୁତର ଅବସ୍ଥାରେ ପରିବାରବର୍ଗ ଓ ପଡ଼ୋଶୀ ମାନେ ନିମାପଡ଼ା ମେଡିକାଲ ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବୃଦ୍ଧ ବିମ୍ବାଧର ସ୍ବାଇଁଙ୍କୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ମୃତ ବିମ୍ବାଧରଙ୍କ ମଝିଆ ପୁଅ ବିଦ୍ୟୁତ ଭୂଷଣ ଥାନା ରେ ଅଭିଯୋଗ କରିବାପରେ ପୋଲିସ ମେଡିକାଲରେ ପହଞ୍ଚି ବାପା ଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଚାରିଛକ ମେଡିକାଲ ପଠାଇଛି। ପୋଲିସ ଏ ସମ୍ପର୍କରେ ଏକ ମାମଲା ( ନଂ୧୦୯/୨୬) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ପୁରୀରୁ ସାଇଣ୍ଟିଫିକ୍ ଟିମ ଆସି ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ କରିଛି। ବାପା ଙ୍କୁ ହତ୍ୟା କରିଥିବା ହତ୍ୟାକାରୀ ପୁଅ ବିଜୟକୃଷ୍ଣ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଜଣାପଡିଛି। ଜଣେ ପିତୃହନ୍ତା ପୁଅର ଏଭଳି ଅମାନୁଷିକ କାଣ୍ଡକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଆଲୋଡ଼ନ ସୃଷ୍ଟି କରିଛି।


