ଘରୁ ପ୍ରେତାତ୍ମା ହଟାଇବା ଓ ଗୁପ୍ତଧନ କାଢିବା ନାଁରେ ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କା ଲୁଟ

ଘରୁ ପ୍ରେତାତ୍ମା ହଟାଇବା ଓ ଗୁପ୍ତଧନ କାଢିବା ନାଁରେ ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କା ଠକିଥିବା କେଶରପୁରର ଭଣ୍ଡ ତାନ୍ତ୍ରିକ ମୌଲାନା କୈଫ ଖାନଙ୍କୁ ପୋଲିସ୍ ଗିରଫ କରିଥିଲା । ତାଙ୍କ ନାମରେ ମଙ୍ଗଳାବାଗ ଓ ସଦର ଥାନାରେ ୫ଟି ମାମଲା, ତିର୍ତ୍ତୋଲର ଜଣେ ବ୍ୟକ୍ତିଙ୍କ ଠାରୁ ୨୨ ଲକ୍ଷ ଠକେଇ ସମେତ ବର୍ତ୍ତମାନ ପର୍ଯ୍ୟନ୍ତ ସେ ୧ କୋଟି ୧୪ଲକ୍ଷ ଟଙ୍କା ଠକିଥିବା ଜଣାପଡ଼ିଥିଲା । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ଦେବୀ ପ୍ରସାଦ ମହାନ୍ତି ଭୁବନେଶ୍ୱର ପଟିଆରେ ରହୁଥିଲେ । ସେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ । ତେଣୁ ସେ ଏହାର ନିରାକରଣ ପାଇଁ ୨୦୧୮ ମସିହାରେ ଜଣେ ପରିଚିତଙ୍କ ମାଧ୍ୟମରେ ତାନ୍ତ୍ରିକ କୈଫ ଖାନଙ୍କ ସହ ଯୋଗାଯୋଗ କରିଥିଲେ । କୈଫ ତାଙ୍କ ଘରକୁ ଆସି ଭୂତପ୍ରେତ ଓ ଗୁପ୍ତଧାନର କାହାଣି ଶୁଣାଇଥିଲେ । ସେ ପ୍ରଥମେ ଘରୁ ପ୍ରେତାତ୍ମା ବାହାର କରିବା ପାଇଁ ତନ୍ତ୍ର ପାଠ କରି ଲକ୍ଷାଧିକ ଟଙ୍କା ନେଇଥିଲେ ଏବଂ ଘରେ ଗୁପ୍ତଧନ ଥିବା କହିଥିଲେ । ଏଥିପାଇଁ ତାନ୍ତ୍ରିକ ଜଣକ ରାତି ଅଧରେ ଦେବୀ ମହାନ୍ତିଙ୍କ ଘର ଅଗଣାରେ ଏକୁଟିଆ ବସି ତନ୍ତ୍ରପାଠ କରିଥିଲେ ଓ ପରେ ଦେବୀଙ୍କ ପରିବାର ଉପସ୍ଥିତିରେ ଗୋଟେ କୋଣରେ ୩ ଫୁଟ ଗାତ ଖୋଳି ସୁନା ଭଳି ଦିଶୁଥିବା ଏକ ବଡ଼ହଣ୍ଡା, ରାଧାକୃଷ୍ଣଙ୍କ ପ୍ରତିମୂର୍ତ୍ତି ସମେତ ବହୁ ଜିନିଷ ବାହାର କରିଥିଲେ ଏଗୁଡ଼ିକୁ ଅସଲି ସୁନା ଏବଂ ଶୁଦ୍ଧ କରିସାରିବା ପରେ ଏହାକୁ ବ୍ୟବହାର କରିହେବ ବୋଲି କହିଥିଲେ । ଏଥିପାଇଁ ଆବଶ୍ୟକ ଖର୍ଚ୍ଚ ପାଇଁ ସେ ଟଙ୍କା ମାଗିଥିଲେ । ଦେବୀ ପ୍ରସାଦ ଅକାଉଣ୍ଟ ଟ୍ରାନ୍ସଫର ଏବଂ ଚେକ୍ ଜରିଆରେ ଭଣ୍ଡ ତାନ୍ତ୍ରିକଙ୍କୁ ୨୧ ଲକ୍ଷ ୯୫ ହଜାର ଟଙ୍କା ପ୍ରଦାନ କରିଥିଲେ । ମାତ୍ର ଦୀର୍ଘଦିନ ବିତିଯିବା ପରେ ଗୁପ୍ତଧନ ଗୁଡ଼ିକୁ ଶୁଦ୍ଧ କରିବାକୁ ଆସିନଥିଲେ ଏବଂ ନିଜର କାରସାଦି ଧରାପଡ଼ିବା ଭୟରେ ଦେବୀ ମହାନ୍ତିଙ୍କ ଘରକୁ ଯାଇ ତାନ୍ତ୍ରିକ ନିଜ ଘରେ ଶୁଦ୍ଧ କରିବା ପାଇଁ ନକଲି ଗୁପ୍ତଧନ ଗୁଡ଼ିକୁ ନେଇ ଆସିଥିଲେ । ସେହି ଦିନ ଠାରୁ ଭଣ୍ଡ ତାନ୍ତ୍ରିକ ଆଉ ଧରାଛୁଆଁ ଦେଇନଥିଲେ ।ସେହିପରି କଟକ ସଦର ଥାନା ଅନ୍ତର୍ଗତ ଭାଣପୁରର ମୁସଲିମ ସାହିରେ ରହୁଥିବା ଶର୍ମିଲା ବିବି ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହୁନଥିଲା । ତାଙ୍କର ଜଣେ ଭଉଣୀଙ୍କ ପରାମର୍ଶ କ୍ରମେ ଶର୍ମିଲା ତାନ୍ତ୍ରିକ କୈଫ ଖାନଙ୍କୁ ନିଜ ଘରକୁ ଡ଼କାଇଥିଲେ । ତାନ୍ତ୍ରିକ ଜଣକ ଶର୍ମିଲାଙ୍କ ଘରକୁ ଯାଇ ତାଙ୍କୁ ସମାନ ଢଙ୍ଗରେ ପ୍ରେତାତ୍ମା ବଶୀକରଣ ଓ ଗୁପ୍ତଧନ କଥା କହିଥିଲେ । ପ୍ରତିକାର ପାଇଁ ତାନ୍ତ୍ରିକଜଣକ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ । ମାତ୍ର ସମସ୍ୟାରେ ଛନ୍ଦି ହୋଇଥିବା ଶର୍ମିଲା ୧୦ ଲକ୍ଷ ଟଙ୍କା ଦେଇପାରିବେ ବୋଲି କହିଥିଲେ ଏବଂ ଆକାଉଣ୍ଟ ଏବଂ ଚେକ୍ ଜରିଆରେ ମୋଟ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ତାନ୍ତ୍ରିକ କୈଫ ତନ୍ତ୍ରପାଠ କରି ଶର୍ମିଲାଙ୍କ ଘର ପଛପାଖରୁ ୨ଟି ହୀରା ବାହାର କରିଥିଲା । ଉକ୍ତ ହୀରାକୁ ଏକ ଘରେ ରଖି ଶୁଦ୍ଧ କରାନଯିବା ପର୍ଯ୍ୟନ୍ତ କେହି ନ ଛୁଇଁବାକୁ ପରାମର୍ଶ ଦେଇ ସେଠାରୁ ପଳାଇ ଆସିଥିଲେ । କିଛିଦିନ ପରେ ଶୁଦ୍ଧ କରିବା ନିମନ୍ତେ ଆବଶ୍ୟକ କସ୍ତୁରୀ ଆଣିବି କହି ପୁଣି ଶର୍ମିଲାଙ୍କୁ ଟଙ୍କା ମାଗିଥିଲେ । ମାତ୍ର ଶର୍ମିଲା ଟଙ୍କା ଦେବାକୁ ମନା କରିଥିଲେ ଏବଂ ଉକ୍ତ ହୀରା ଦୁଇଟି ଯାଞ୍ଚ କରିବାରୁ ତାହା ଗିଫ୍ଟ ଦୋକାନରେ ମିଳୁଥିବା କ୍ରିଷ୍ଟାଲ ବୋଲି ଜଣାପଡ଼ିଥିଲା । ଏ ନେଇ ଶର୍ମିଲା କୈଫଙ୍କୁ ପଚାରିବାରୁ ଶୁଦ୍ଧ କରିବାରେ ବିଳମ୍ବ ହେବାରୁ ହୀରା ଗୁଡ଼ିକ କାଚ ହୋଇଯାଇଛି ବୋଲି କହିଥିଲେ । ଏହାପରେ ଶର୍ମିଲା ଭଣ୍ଡ ତାନ୍ତ୍ରିକ କାରନାମା ବିଷୟରେ ଜାଣି ଥାନାରେ ଏତଲା ଦେବା ପରେ କୈଫର କଳା କାରନାମା ଧରା ପଡ଼ିଥିଲା । କେବଳ ଏହି ଦୁଇଟି ଘଟଣା ନୁହେଁ, ଏଭଳି ଅନେକ ଲୋକ ଅଛନ୍ତି, ନିଜ ସମସ୍ୟାର ସମାଧାନ ପାଇଁ ସକରାତ୍ମକ ଭାବେ କାର୍ଯ୍ୟ ନକରି ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସକୁ ଗ୍ରହଣ କରନ୍ତି ଏବଂ ଲୁଟର ଶିକାର ହୁଅନ୍ତି । ତେଣୁ ପ୍ରଥମେ ଭୂତପ୍ରେତ, ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସ ଧାରଣାକୁ ମନରୁ ଦୂର କରିବାକୁ ପଡ଼ିବ ଏବଂ ନିଜର ସମସ୍ୟାକୁ ନିଜେ ସମାଧାନ କରିବାକୁ ପଡ଼ିବ । ତେବେ ଯାଇ ଏଭଳି ଅନ୍ଧବିଶ୍ୱାସ ଦୂର ହୋଇପାରିବ ।

କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ