ନଦୀବନ୍ଧ ନଥିବାରୁ ହାଟଡିହି ବ୍ଳକ ପ୍ରତି ବନ୍ୟା ବିପତ୍ତି ବଢ଼ୁଛି
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକ ତରଭା ଠାରୁ ସମଣା ପର୍ଯ୍ୟନ୍ତ ଦୀର୍ଘ ୫କିଲୋମିଟର ଦୁର ବୈତରଣୀ ନଦୀବନ୍ଧ ନିର୍ମାଣ ହୋଇନଥିବାରୁ ହାଟଡିହି ବ୍ଳକ ପ୍ରତି ବନ୍ୟା ବିପତ୍ତି ବୃଦ୍ଧି ପାଉଥିବା ନେଇ ବାରମ୍ବାର ଅଭିଯୋଗ ଏବଂ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଜଳସମ୍ପଦ ବିଭାଗ ପକ୍ଷରୁ ତରଭା ଠାରୁ ଆମ୍ବୋ ପର୍ଯ୍ୟନ୍ତ ନଦୀବନ୍ଧ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଆମ୍ବୋ ଠାରୁ ସମଣା ପର୍ଯ୍ୟନ୍ତ ନଦୀବନ୍ଧ ନୀର୍ମାଣ ହୋଇ ନଥିବାରୁ ଏବେ ବି ବନ୍ୟା ଆଶଙ୍କା ଲାଗି ରହିଛି । ତରଭା ଠାରୁ ଆମ୍ବୋ ପର୍ଯ୍ୟନ୍ତ ବୈତରଣୀ ନଦୀ କଡେ କଡେ ମାଟି ବନ୍ଧ ନିର୍ମାଣ କରାଯାଇଛି । କିନ୍ତୁ ଢ଼େଙ୍କାନାଳ ଉପରେ କୌଣସି ପୋଲ ନିର୍ମାଣ ହୋଇନଥିବାରୁ ଲୋକମାନେ ଚାଷଜମିକୁ ଯାତାୟତ ପାଇଁ ନାନା ସମସ୍ୟା ଦେଖାଦେଇଥିବାବେଳେ ଏଠାରେ ସୁଇସ ଗେଟ ନିର୍ମାଣ କରାଯାଇ ନଥିବାରୁ ଏହା ୬ଟି ଗ୍ରାମପାଇଁ ବିପଦର କାରଣ ପାଲଟିବ ବୋଲି ଲୋକମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଆମ୍ବୋ ଠାରୁ ସମଣା ପର୍ଯ୍ୟନ୍ତ ନଦୀବନ୍ଧ କେବେ ନିର୍ମାଣ ହେବ ତାହାକୁ ନେଇ ପ୍ରଶ୍ନ ଉଠିଛି । ବୈତରଣୀ ନଦୀର ଆନନ୍ଦପୁର ଠାରୁ ତରଭା ଓ ସମଣାରୁ ହାବଳେଶ୍ୱର ପର୍ଯ୍ୟନ୍ତ ନଦୀବନ୍ଧ ଥିବାବେଳେ ମଝିରେ ତରଭା ଠାରୁ ସମଣା ଓ ହାବଳେଶ୍ୱର ଠାରୁ ଆମାଙ୍ଗମେଣ୍ଟ ପର୍ଯ୍ୟନ୍ତ ଏହି ନଦୀବନ୍ଧ ନିର୍ମାଣ ହୋଇ ନଥିବାରୁ ପ୍ରତିବର୍ଷ ବନ୍ୟା ଆସି ହାଟଡିହି ବ୍ଳକର ଆମ୍ବୋ, ସମଣା, ହାବଳେଶ୍ୱର, ଗେଡମା, ଆଇତିପୁର, ସୁଲଣ, ପଞ୍ଚଗୋଛିଆ ଆଦି ପଞ୍ଚାୟତର କରଗୋଳା, ତେଲସିଙ୍ଗା, ଆମ୍ବୋ, ଗିରିଗାଁ, ବହାରିପୁର, ଚାପୁଣ୍ଡିଆ, କଦମଡିହି, ବରାଙ୍ଗ, ସିମିଳିଆ, ଶଙ୍ଖୋ, ଅଣତିରା, ବିରିଡି, ଗୋବିନ୍ଦପୁର, ଜମ୍ଭରା, ହାବଳେଶ୍ୱର, ମଝିଗାଁ, ଡିମିରିଆ, ଆଗିରିଆ, ସମଣା, ଜାବିନିପୁର, ମଙ୍ଗରାଜପୁର, ଗେହମା, ଜଳସରପୁର, ସାହାପୁର, ଶାଳବଣୀ, ସରିଦା, ଢ଼ାଇପୋଖରୀ, ଆଇତିପୁର, ରାଘବପୁର, ଅମୃତପୁର, ନୁଆଗାଁ, ତରଭା, ସୁଲଣ, ଜଳସରପୁର, ଆବୁଲୁପୁରା, ପଞ୍ଚୁଗୋଛିଆ, ବଳଭଦ୍ରପୁର, ହୀରାପୁର, ନୀଳାପୁର ଆଦି ୫୦ରୁ ଉର୍ଦ୍ଧ ଗ୍ରାମର ଲୋକମାନେ ଜଳବନ୍ଦି ଜୀବନ ବିତାଇଥାନ୍ତି । ବୈତରଣୀ ନଦୀରେ ସାମାନ୍ୟ ବର୍ଷା ଆସିଲେ ଏହିସବୁ ଗ୍ରାମ ଗୁଡିକ ପାଣିଘେରରେ ରହୁଥିବାବେଳେ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇ ରହିଯାଉଛି । ଗତ ୨୦୧୧ ଓ ୨୦୧୩ ଓ ୨୦୧୭ବନ୍ୟାରେ ଏହିସବୁ ଅଞ୍ଚଳର ଲୋକମାନେ ଦୀର୍ଘଦିନ ହେବ ଘରଦ୍ୱାର ଛାଡି ବାହାରେ ଆଶ୍ରୟ ନେଇଥିଲେ । ୨୦୧୧ବନ୍ୟାର କରୁଣ ଦୃଶ୍ୟ ଆଜି ପର୍ଯ୍ୟନ୍ତ ସ୍ଥାନୀୟ ଲୋକମାନେ ଭୂଲିପାରି ନାହାନ୍ତି । ବୈତରଣୀ ନଦୀର ଦକ୍ଷିଣପାଶ୍ୱର୍ର ଶାଳଦେଇ ପଟେ ବନ୍ୟାପ୍ରତିରୋଧକ ବନ୍ଧ ନିର୍ମାଣ କରାଯାଇଥିବାରୁ ବାମପାଶ୍ୱର୍ ଗ୍ରାମ ଗୁଡିକ ପ୍ରତି ଅଧିକ ବିପଦ ସୃଷ୍ଟି କରିଛି । ବନ୍ୟା ଆସିଲେ ବାମପାଶ୍ୱର୍ରେ ମାଡ କରି ଏହା ଏହି ଅଞ୍ଚଳକୁ ପସି ବ୍ୟାପକ କ୍ଷୟକ୍ଷତି କରିବା ଆଶଙ୍କାରେ ଲୋକମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଗତବର୍ଷ ବନ୍ୟାରେ ଆଇତିପୁର ପଞ୍ଚାୟତର ନୁଆଗାଁ, ରାଘବପୁର, ହାବଳେଶ୍ୱର ପଞ୍ଚାୟତର ବାଲିପଦା, ସମଣା ପଞ୍ଚାୟତର ସମଣା, ଚାପୁଣ୍ଡିଆ, କଦମଡିହି, ଗୋବିନ୍ଦପୁର ଆମ୍ବୋ ପଞ୍ଚାୟତର କରଗୋଳା ଗ୍ରାମ ପାଣି ଘେରରେ ରହିଥିଲା । ଏହିସବୁ ଗ୍ରାମର ଚାରିପାଖେ ବନ୍ୟାପାଣି ମାଡିଯିବାରୁ ଗ୍ରାମଗୁଡିକୁ ଯୋଗାଯୋଗ ବିଛିନ୍ନ ହୋଇପଡିଥିଲା । ନୁଆଗାଁ ଓ ରାଘବପୁର ରାସ୍ତା, ଅଣା-ସମଣା ରାସ୍ତାର ଚାପୁଣ୍ଡିଆ ନିକଟରେ ରାସ୍ତା ଗୁଡିକ ପ୍ରତିବର୍ଷ ବୁଡିଯାଉଥିଲେବି ବିଭାଗ ପକ୍ଷରୁ ଏହାକୁ ଉଚ୍ଚା କରାଯାଉ ନାହିଁ । ଫଳରେ ଚାପୁଣ୍ଡିଆ, ସମଣା, କଦମଡିହୀ, ଗୋବିନ୍ଦପୁରକୁ ଯାତାୟତ ବନ୍ଦ ହୋଇଯାଉଛି । ସେହିପରି ଆମ୍ବୋ ପଞ୍ଚାୟତର କରଗୋଳା ଗାଁର ତେଲସିଙ୍ଗା ନିକଟରେ ପ୍ରତି ବନ୍ୟାରେ ରାସ୍ତା ଉପରେ ବହୁ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଗ୍ରାମଟି ସମ୍ପୁର୍ଣ୍ଣ ରୁପେ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡେ । ନଦୀବନ୍ଧ ନିର୍ମାଣ ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି କରାଯାଉଥିଲେବି ସରକାର କୌଣସି ପ୍ରତିକାର କରୁନଥିବା ଆମ୍ବୋ, ସମଣା, କରଗୋଳା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏହି ନଦୀବନ୍ଧ ନିର୍ମାଣ ସମ୍ପୁର୍ଣ୍ଣ କରାଗଲେ ହାଟଡିହି ବ୍ଲକରୁ ବନ୍ୟା ଦୁର ହୋଇପାରନ୍ତା ବୋଲି ସେମାନେ ମତ ଦେଇଛନ୍ତି । ଗତ ୫ବର୍ଷ ତଳେ ଗୋବିନ୍ଦପୁର ଠାରୁ ସମଣା ପର୍ଯ୍ୟନ୍ତ ନଦୀବନ୍ଧ ଆରମ୍ଭ ହୋଇଥିବାବେଳେ ଏବର୍ଷ ତରଭା ଠାରୁ ଆମ୍ବୋ ପର୍ଯ୍ୟନ୍ତ ମାଟିବନ୍ଧ ନିର୍ମାଣ କରାଯାଉଛି । କିନ୍ତୁ ଏହି ମାଟିବନ୍ଧ ନିର୍ମାଣକାର୍ଯ୍ୟ ନିମ୍ନାମାନର କରାଯାଉଥିବାରୁ ଏହାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି ଆମ୍ବୋ ନିକଟରେ ଯେଉଁଠି ଢ଼େଙ୍କା ନାଳଟି ଯାଇ ବୈତରଣୀରେ ମିଶିଛି ତାହା ଏବେ ବିପଦର କାରଣ ପାଲଟିଛି । ସେଠାରେ ବନ୍ଧଟି ୧୦/୧୨ ଫୁଟ ଉଚ୍ଚ ହୋଇ ଥିବାରୁ ତରଭା ପଟେ ଥିବା ଚାଷଜମିକୁ ଲୋକମାନେ ଯାଇପାରୁ ନାହାନ୍ତି । ଏପରିକି ନାଳରେ ପାଣିଆସିଲେ କିମ୍ବା ବୈତରଣୀରେ ବନ୍ୟା ଆସିଲେ ତାହା ସେହିଢ଼େଙ୍କାନାଳ ଦେଇ ପଞ୍ଚୁଗୋଛିଆ, ବିରିଡି, ତରଭା, ଅଣତିରା, ଆବୁଲୁପୁରା, ସୁଲଣ, ମୁଗୁପୁର, ବଞ୍ଚୋ ପର୍ଯ୍ୟନ୍ତ କ୍ଷତି କରିବ ବୋଲି ଲୋକମାନେ କହିଛନ୍ତି । ସେଠାରେ ଏକ ସୁଇସ ଗେଟ କରାଗଲେ ବନ୍ୟାଜଳକୁ ପ୍ରତିହତ କରାଯାଇ ପାରିବ ବୋଲି ଲୋକମାନେ କହିଛନ୍ତି । ସେହିପରି ଆମ୍ବୋ ଠାରୁ ସମଣା ପର୍ଯ୍ୟନ୍ତ ୩କିଲୋମିଟର ନଦୀବନ୍ଧ ଆଜି ପର୍ଯ୍ୟନ୍ତ ନିର୍ମାଣ ହେଲାନି । ବିଶେଷକରି ଜମି ଅଧିଗ୍ରହଣ ହୋଇପାରି ନଥିବାରୁ ନଦୀବନ୍ଧ ନିର୍ମାଣ ହୋଇପାରୁନି ବୋଲି ଜଳସମ୍ପଦ ବିଭାଗର ଅଧିକାରୀ ମାନେ କହୁଛନ୍ତି । କିଛି ଲୋକ ବିଶେଷ ଭାବେ କ୍ଷତିଗ୍ରସ୍ଥ ହେଉଥିବାରୁ ସେମାନେ ଜମି ଛାଡିବାକୁ ରାଜି ହେଉନଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ସେହିପରି ହାବଳେଶ୍ୱର ଠାରୁ ଆମାଙ୍ଗମେଣ୍ଟ ପର୍ଯ୍ୟନ୍ତ ନଦୀବନ୍ଧ ନିର୍ମାଣ ନହୋଇ ମୁକୁଳା ପଡିଥିବାରୁ ନଦୀରେ ସାମାନ୍ୟ ବନ୍ୟା ଆସିଲେ ରାଘବପୁର, ଅମୃତପୁର, ନୁଆଗାଁ, ରତକଣା, ଆଇତିପୁର ଆଦି ଗ୍ରାମର ଲୋକମାନେ ଜଳବନ୍ଦୀ ହେଉଥବବାବେଳେ ଶହଶହ ଏକର ଚାଷଜମି ନଷ୍ଟ ହୋଇଥାଏ । କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ନଦୀବନ୍ଧଟିକୁ ପୁର୍ଣ୍ଣାଙ୍ଗ କରିବାକୁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉ ନାହିଁ । ଯାହାକୁ ତଳଅଞ୍ଚଳର ଗାଁ ଗୁଡିକ ପ୍ରତି ବିପଦ ସୃଷ୍ଟି କରୁଛି । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ନଦୀବନ୍ଧ ନିର୍ମାଣ ସମ୍ପୁର୍ଣ୍ଣ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି ।


