ହାବଳେଶ୍ୱର ବେଆଇନି ବାଲିଘାଟରେ ୧୪୪ଧାରା ଜାରିକଲା ପ୍ରଶାସନ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ତହସିଲ ଅଧିନସ୍ଥ ବୈତରଣୀ ନଦୀର ହାବଳେଶ୍ୱର ବେଆଇନ ବାଲି ଘାଟରେ ୧୪୪ଧାରା ଜାରି କରିଛି ପ୍ରଶାସନ । ଏହି ବାଲିଘାଟକୁ ପ୍ରଶାସନ ପକ୍ଷରୁ ଲିଜ ଦିଆଯାଇଥିଲେ ମଧ୍ୟ ଲିଜଧାରୀ ବାଲି ଉତ୍ତୋଳନ କରିନଥିବାବେଳେ ବାଲି ମାଫିଆଙ୍କ ଦ୍ୱାରା ଦେନିକ ଶହଶହ ଟ୍ରିପ ବାଲି ଚୋରା ଚାଲାଣ ହେଉଥିବା ନେଇ ଲିଜଧାରୀଙ୍କ ପକ୍ଷରୁ ଅଭିଯୋଗ ହେବାପରେ ପ୍ରଶାସନ ପକ୍ଷରୁ ଆଜି ହାବଳେଶ୍ୱର ବାଲିଘାଟର ଖାତାନଂ-୧୬୫, ପ୍ଲଟ ନଂ- ୧୨୨୫/୧୨୪୦ର ୧୩ଏକର ପରିମିତ ବାଲି ଖାଦାନରୁ ବେ ଆଇନ ବାଲି ଉତ୍ତୋଳନ ରୋକିବାପାଇଁ ୧୪୪ଧାରା ଜାରି କରାଯାଇଛି । ଆଜି ଡିଡିଏମ ସୁପ୍ରଭା ନାଏକ, ପଦ୍ମନାଭ ହୋତା, ହାଟଡିହି ତହସିଲଦାର ମିତାଲି ମଧୁଛନ୍ଦା ପାତ୍ର, ଆନନ୍ଦପୁର ତହସିଲଦାର ଦେବୀ ପ୍ରସନ୍ନ ସାରସ୍ୱତ, ଅତିରିକ୍ତ ତହସିଲଦାର ରଶ୍ମୀ ରଞ୍ଜନ ଦାସ, ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ ବେହେରା, ନନ୍ଦିପଦା ଥାନା ଆଇଆଇସି ରବିନ୍ଦ୍ର କୁମାର ପାତ୍ର, ସୋସୋ ଥାନା ଆଇଆଇସି ଅନିଲ କୁମାର ସାମଲ ପ୍ରମୁଖ ଏହି ବେ ଆଇନ ବାଲି ଘାଟ ଉପରେ ୧୪୪ଧାରା ଜାରି କରିବା ସହିତ ବାଲିଘାଟ ସୀମାରେ ନାଲିପତାକା ମାରିଥିଲେ । ଯେପରି ଆଉ ବାଲି ପରିବହନ କରା ନଯାଇ ପାରିବ ସେନେଇ ସେଠାରେ ପ୍ରଶାସନ ପକ୍ଷରୁ ଟ୍ରେଞ୍ଚ ଖୋଳାଯାଇଛି । ବିଶେଷକରି ଏଠାରୁ ଉଠାଯାଇଥିବା ବାଲିର ଆକଳନ କରାଯାଇ ବାଲି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲିଜଧାରୀ ବିକାଶ ବଳ ଦାବି କରିଛନ୍ତି । ଅନ୍ୟପକ୍ଷରେ ଡିଡିଏମ ସୁପ୍ରଭା ନାଏକ କହିଛନ୍ତି ଯେ ଆଗ ଆଜିର ଏହି କାର୍ଯ୍ୟକ୍ରମ ସରୁ ତା ପରେ କଣ କଣ କରାଯାଇ ପାରିବ ସେନେଇ ପଦକ୍ଷେପ ନେବୁ ବୋଲି କହିଛନ୍ତି । ଗତ ଦେଢ଼ ମାସ ତଳେ ଲିଜଧାରୀଙ୍କ ପକ୍ଷରୁ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଲିଜ ଏରିଆ ଚିହ୍ନଟ କରାଯାଇ ଖୁଣ୍ଟ ପକାଯିବାକୁ ଉଦ୍ୟମ କରାଯାଉଥିବାବେଳେ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ତାହା ସମ୍ଭବ ହୋଇନଥିଲା । ଏଥିପାଇଁ ୧୪୪ଧାରା ଜାରି ସମୟରେ ଆଇନି ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ ଫୋର୍ସ ମୃତୟନ କରାଯାଇଥିଲା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ