ଏମ୍ କେ ସି ଜି ସ୍ଵତନ୍ତ୍ର ବିଦ୍ୟାଳୟରେ ମହାଦୁର୍ନୀତି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ସ୍ଥିତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ରେ ସଂପାଦକ ଙ୍କ ଦୁର୍ନୀତି କୁ ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବା ଯୋଗୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି. ମୋହନା ଅଞ୍ଚଳବାସୀ ଏନେଇ ଗଜପତି ଜିଲ୍ଲାରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲାପାଳ ବିହିତ ତଦନ୍ତ ଦ୍ୱାରା ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ନିବେଦନ କରିଛନ୍ତି. ମୋହନା ଅଞ୍ଚଳର କେତେକ ସଚେତନ ନାଗରିକ ସୂଚନା ଅଧିକାର ଆଇନ ତଥ୍ୟ ଅନୁସାରେ ବିଦ୍ୟାଳୟର ସଂପାଦକ ଦଣ୍ଡାସି ସାହୁ ଅନୁଷ୍ଠାନର ବାଇଲକୁ ଜାଲି କରି କେନ୍ଦ୍ରୀୟ ଅନୁଦାନକୁ ହଡ଼ପ କରିବା, ବିଦ୍ୟାଳୟଟି ଜଂଗଲ ଜମିରେ ଅବସ୍ଥିତ ହୋଇଥିଲେ ମଧ୍ୟ ଅନ୍ୟ ଏକ ପ୍ଲଟରେ ବିଦ୍ୟାଳୟ ଚାଲୁଥିବା ଦର୍ଶାଇ ଅନୁଦାନ ଟଙ୍କା ହଡ଼ପ କରିବା, ଏମ୍ ଆର ଓ ସିପି ବିଭାଗର ପରିମିଶନଟିକୁ ଜିଲ୍ଲା ପ୍ରଶାସନ ରିଜେକ୍ଟ କରିଥିଲେ ମଧ୍ୟ ବିଦ୍ୟାଳୟ ନାମ ଚେଞ୍ଜ କରି ଚଲାଇବା, ବିଦ୍ୟାଳୟରେ ସର୍ବମୋଟ ୪୦ ଛାତ୍ର ଛାତ୍ରୀ ରହି ପାଠପଢୁ ଥିଲା ବେଳେ ସରକାରଙ୍କ ଠାରୁ ୨୦୦ ପିଲାଙ୍କର ଦେଖାଇ ଅନୁଦାନ ଆଣି ହଡ଼ପ କରିବା, ଓଡ଼ିଶା ସରକାରଙ୍କ ଠାରୁ ରିହାତି ଦରରେ ବିଦ୍ୟାଳୟକୁ ଯୋଗାଣ ହେଉଥିବା ଚାଉଳକୁ ବାଟ ମାରଣା କରିବା।,ବିଦ୍ୟାଳୟର ସିସି କ୍ୟାମେରା ଚେକ୍ କଲେ ଜଣା ପଡ଼ିବ ବିଦ୍ୟାଳୟରେ ସର୍ବମୋଟ କେତେ ପିଲା ରହି ପାଠ ପଢ଼ୁଛନ୍ତି। କର୍ମଚାରୀ ମାନଙ୍କର ଦରମା ୫୦ ପ୍ରତିଶତ ଦେଇ ଅବଶିଷ୍ଟ ଟଙ୍କାକୁ କମିଟି ବୃନ୍ଦ ହଡ଼ପ କରିବା, କର୍ମଚାରୀ ମାନଙ୍କ ଠାରୁ ସରକାରୀ ଚାକିରି ହୋଇଯିବ କହି ଡୋନେସନ ଆଦାୟ କରିବା, ବିଦ୍ୟାଳୟରେ ଗୋଟିଏ ହେଲେ ପିଲା ଶୋଇବା ପାଇଁ ଖଟ ନ ଥିଲେ ମଧ୍ୟ ୧୦୦ ଖଟ ସନ୍ତୋଷି ଜେନେରାଲ ଷ୍ଟୋର ମୋହନା ରୁ କିଣା ଯାଇଛି ଦର୍ଶାଇ ବିଲ୍ କରାଯାଇଛି। ଯାହାକି ବିଦ୍ୟାଳୟ ୨୦୨୧-୨୨ ଅଡିଟ ରିପୋର୍ଟ ରେ ଦର୍ଶାଯାଇଛି। ସଂପାଦକ ଦଣ୍ଡାସି ସାହୁ ଙ୍କ ଭାଗ୍ୟଲତା ଷ୍ଟୋର ମୋହନା ରୁ ୧ ବର୍ଷ ହେଲାଣି ବନ୍ଦ ହୋଇଯାଇଥିଲେ ମଧ୍ୟ ସେଠାରୁ ରାସନ୍ ଜିନିଷ କିଣାଯାଇଛି ଦର୍ଶାଇ ମିଥ୍ୟା ଜିଏଷ୍ଟି ବିଲ ଭାଉଚର କରି ଅର୍ଥ ହଡ଼ପ କରୁଛନ୍ତି। ଇତ୍ୟାଦି ବହୁ ଅଭିଯୋଗ ପରେ ବିଭାଗୀୟ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ସମେତ ବିଭିନ୍ନ ପ୍ରଶାସନିକ ଅଧିକାରୀ ତଦନ୍ତ କରିଛନ୍ତି ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ମୋହନା ଅଞ୍ଚଳବାସୀ ଅଭିଯୋଗ କରି ବର୍ତ୍ତମାନ ଗଜପତି ଜିଲ୍ଲାରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ନୂତନ ଜିଲ୍ଲାପାଳ ବିହିତ ତଦନ୍ତ ଦ୍ୱାରା ଉପଯୁକ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ନିବେଦନ କରିଛନ୍ତି.


