ଗୁଣି ସନ୍ଦେହରେ ମହିଳାଙ୍କୁ ବାସନ୍ଦ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଗୁଣି ସନ୍ଦେହରେ ଜଣେ ମହିଳାଙ୍କୁ ବିଭିନ୍ନ ଭାବେ ନିର୍ଯାତନା ଦେବା ସହ ସାମାଜିକ ବାସନ୍ଦ କରିଥିବା ସୂଚନା ମିଳିଛି. ଏହି ଜିଲ୍ଲାର ଲୁହାଖୁଣ୍ଟି ଗ୍ରାମର କନ୍ଧ ସମ୍ପ୍ରଦାୟର ମହିଳା ସଜନୀ ରଇତଙ୍କୁ ଗ୍ରାମବାସୀମାନେ ମାନସିକ ନିର୍ଯାତନା ଦେବା ସହ ଗ୍ରାମରୁ ବାସନ୍ଦ କରିଥିବା ଅଭିଯୋଗ କରି ସେ ଗତକାଲି ଆର.ଉଦୟଗିରି ଥାନାର ଦ୍ବାରସ୍ଥ ହୋଇଛନ୍ତି। ଏଠାରେ ସୂଚନାଯୋଗ୍ୟଯେ,କିଛି ଦିନ ତଳେ ଲୁହାଖୁଣ୍ଟି ଗ୍ରାମର ଜଣେ ୫୭ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ଯାଇଥିଲା । ମୃତ୍ଯୁ ପୂର୍ବରୁ ସଜନୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା. ଉତ୍ତେଜନାବଶତଃ ସଜନୀ ସେହି ବ୍ୟକ୍ତିଙ୍କୁ ତତେ ଦେଖିଦେବି, ତତେ ଛାଡ଼ିବିନି ବୋଲି କହିଥିଲେ. ଦୁର୍ଭାଗ୍ୟବଶତଃ କିଛି ଦିନ ପରେ ତାଙ୍କର ମୃତ୍ୟୁ ହେବା ପରେ ଗ୍ରାମବାସୀ ସଜନୀଙ୍କୁ ଗୁଣି କରୁଥିବା ସନ୍ଦେହ କରିଛନ୍ତି। ଏଣୁ, ତାଙ୍କୁ ଗ୍ରାମରୁ ବାସନ୍ଦ କରିଛନ୍ତି। ତିନି ପିଲାଙ୍କୁ ନେଇ କୁଆଡ଼େ ଯିବେ ବୋଲି ସଜନୀ ଥାନାର ସହାୟତା ଚାହିଁଥିଲେ। ଏ ନେଇ ଥାନାଧିକାରୀ କଳ୍ପଲତା ପ୍ରଧାନ, ତହସିଲଦାର ଜ୍ୟୋତିର୍ମୟ ଦାସ ଲୁହାଖୁଣ୍ଟି ଗ୍ରାମକୁ ଯାଇ ଲୋକଙ୍କୁ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ଵାସରୁ ଦୂରେଇ ରହିବା ପାଇଁ ବୁଝାଇବା ସହ ଏହି ଘଟଣାର ଆପୋଷ ସମାଧାନ କରିବା ପାଇଁ ମୋହନା ତହସିଲଦାର ଓ ଥାନା ଅଧିକାରୀ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି ।


