ବିଦ୍ୟୁତ୍ ନଥିଲେ ବ୍ୟାଙ୍କ ଶାଖା କାର୍ଯ୍ୟ ବନ୍ଦ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ପୁରୁଣା ବଜାରସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ବିଦ୍ୟୁତ୍ ନଥିବା ବେଳେ ସେବା କାର୍ଯ୍ୟ ବନ୍ଦ ରହୁଥିବା ଦେଖାଯାଇଛି । ପ୍ରକାଶ ଯେ, ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥ ତଥା ବନ୍ତ ସଦର ମହକୁମାରେ ଏହି ବ୍ୟାଙ୍କ ଗତ ୧୦ ବର୍ଷ ହେବ ପ୍ରତିଷ୍ଠା ହୋଇଥିଲା । ଏହି ବ୍ୟାଙ୍କ ଉପରେ ଅନ୍ୟୁନ ୧୦ରୁ ୧୫ ପଞ୍ଚାୟତର ଗ୍ରାହକ, ମହିଳା ସ୍ୱୟ ସହାୟକ ଗୋଷ୍ଠୀ, ଋଣୀ, ପଞ୍ଚାୟତ ସମିତି, ବିଭିନ୍ନ ଗ୍ରାମ ପଞ୍ଚାୟତ ଓ ସରକାରୀ, ବେସରକାରୀ ଚାକିରିଆ ମାନେ ନିର୍ଭର କରିଆସୁଛନ୍ତି । ଦୈନନ୍ଦିନ ଶହ ଶହ ଗ୍ରାହକ ଏଠାକୁ ସେବା ପାଇବା ପାଇଁ ଆସୁଛନ୍ତି । ମାତ୍ର ଏହି ବ୍ୟାଙ୍କରେ ଡିଜେଲ ଜେନେରେଟର(ଡି.ଜି) କିମ୍ବା ଇନର୍ଭଟର ନଥିବାରୁ ବିଦ୍ୟୁତ୍ ନଥିବା ବେଳେ ବ୍ୟାଙ୍କ କାର୍ଯ୍ୟ ଘଣ୍ଟା ଘଣ୍ଟା ଧରି ବନ୍ଦ ରହୁଛି । ଫଳରେ ଦୂରଦୂରାନ୍ତରୁ ଆସିଥିବା ଗ୍ରାହକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବୁଧବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ନଥିବାରୁ ୪ ଘଣ୍ଟା ଧରି ବ୍ୟାଙ୍କର କୌଣସି କାର୍ଯ୍ୟ ହୋଇପାରିନଥିଲା । ଫଳରେ ବହୁ ଗ୍ରାହକ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ବାହାରେ ଗରମରେ ଅପେକ୍ଷା କରିଥିବା ଦେଖାଯାଇଥିଲା । ଗୁରୁତର କାର୍ଯ୍ୟ ପାଇଁ ଅର୍ଥର ଆବଶ୍ୟକତା ଥିବା ବେଳେ ଗ୍ରାହକ ମାନେ ଆସି ବ୍ୟାଙ୍କରୁ ଟଙ୍କା ଉଠାଇ ନପାରି ହଇରାଣ ହେଉଥିବା ଦେଖାଯାଇଥିଲା । ଏସମ୍ପର୍କରେ ଶାଖା ପରିଚାଳକଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେଇନଥିଲେ । ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟର କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି ।


