ଓଡ଼ିଶାବାସୀଙ୍କୁ ବିଶ୍ୱସନୀୟ ବିକଳ୍ପ ଯୋଗାଇ ଦିଆଯିବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନବୀନଙ୍କ ଅପାରଗ ଓ ଭ୍ରଷ୍ଟାଚାର ସରକାରର ଅନ୍ତ ଘଟାଇବା ପାଇଁ ବିଶେଷକରି ନବୀନଙ୍କ କୁଶାସନ ଆମେ କାହିଁକି ସହିଲୁ ଏଥିନେଇ ନବନିର୍ମାଣ ସ୍ୱରାଜ ସରକାରର ଆବାହକ ଅକ୍ଷୟ କୁମାର ଅଗଷ୍ଟ ୯ରୁ ୧୫ କ୍ରାନ୍ତି ଦିବସରୁ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଲୋୟର ପିଏମ୍‌ଜିରେ ଚାଲିଥିବା ଅନଶନ ଷଷ୍ଠ ଦିନରେ ପହଞ୍ôଚଛି । ପିଏମ୍‌ଜିରେ ଅନଶନ ବସିଥିବା ଶ୍ରୀ କୁମାରଙ୍କ ଅନଶନସ୍ଥଳରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ବିଶିଷ୍ଟ ଅଧିବକ୍ତା ଶିବାନନ୍ଦ ରାୟ ଅନଶନସ୍ଥଳରେ ଯୋଗଦେଇ ତାଙ୍କ ବକ୍ତ୍ୟବ୍ୟରେ କହିଲେ ଯେ, ଓଡ଼ିଶା ଶାସନରେ ଢେର ବିସଙ୍ଗତି ଓ ଦୁର୍ନୀତି ବିରୁଦ୍ଧରେ ନବନିର୍ମାଣ ସଂଗଠନ ନିରନ୍ତର ଅଭିଯାନ ଚଳାଇଛି । ଅକ୍ଷୟ କୁମାରଙ୍କ ଜନଚେତନା ପାଇଁ ଉଦ୍ଦିଷ୍ଟ ଏହି ପ୍ରାୟଶ୍ଚିତ ଅନଶନ ବ୍ୟର୍ଥ ଯିବ ନାହିଁ । ଅଧିବକ୍ତା କ୍ଷୀରୋଦ ରାଉତ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଆମ ସମ୍ବିଧାନରେ ଆମକୁ ଯେତିକି ଅଧିକାର ଦିଆଯାଇଛି, ତାକୁ ଯଦି ନିର୍ବାଚିତ ସରକାରମାନେ ନିଷ୍ଠାର ସହ ପାଳନ କରନ୍ତେ, ତାହେଲେ ଜନସାଧାରଣଙ୍କ ସ୍ଥିତିରେ ସୁଧାର ଆସିପାରନ୍ତା । ବିଶେଷକରି ସମ୍ବିଧାନରେ ଭ୍ରାତୃତ୍ୱ ସମାନତା ଉପରେ ଯେଉଁ ଗୁରୁତ୍ୱ ଦିଆଯାଇଛି, ସେଥିରୁ ଭ୍ରାତୃତ୍ୱ କଥାକୁ ସରକାର ଏବଂ ଜନସାଧାରଣ ବିଶେଷ ଗୁରୁତ୍ୱ ଦେବା ଜରୁରୀ । ଯଦି ଏଡ଼େବଡ଼ ଦେଶରେ ବିଭିନ୍ନ ବର୍ଗଙ୍କ ମଧ୍ୟରେ ଭ୍ରାତୃତ୍ୱ ନରୁହେ ତେବେ ଦେଶରେ ଏକତା ଓ ସଂହତି ବିପନ୍ନ ହେବ । ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ ଅନଶନସ୍ଥଳରେ ଉଦ୍‌ବୋଧନ ଦେଇ କହିଲେ ଯେ, ନବୀନ ସରକାରରେ ଯେଉଁ ମିଛ ପ୍ରଚାର ଚାଲିଛି, ତାକୁ ଯଦି ଲୋକେ ନ ବୁଝିବେ, ଓଡ଼ିଶା ଧ୍ୱଂସ ଆଡ଼କୁ ମୁହାଁଇବ । ସରକାରଙ୍କ ମାଗଣା ମୋବାଇଲ ବଣ୍ଟା ଯୋଜନା ଉପରେ କହିଲେ ଯେ, ଓଡ଼ିଶାରେ ଚାଷୀମାନଙ୍କୁ ଦୁଇକୋଟି ଟଙ୍କାର ମୋବାଇଲ ମାଗଣାରେ ଦିଆଯାଇଥିଲା ବେଳେ ଏହି ପ୍ରଚାର ଓ ସଭାରେ ୪୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ଯୋଜନା ଏହିଭଳି ଚାଲିଛି । ବିଶିଷ୍ଟ ସାମାଜିକ କର୍ମୀ ଓ ପ୍ରାଉଟିଷ୍ଟ କାହ୍ନୁଚରଣ ବେଉରା ତାଙ୍କ ବକ୍ତବ୍ୟରେ ଜନସାଧାରଣଙ୍କୁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଦିଆନଯାଇ କିଭଳି ଛୋଟ ଛୋଟ ସାହାଯ୍ୟ କରି ସେହି ଫନ୍ଦିରେ ଲୋକଙ୍କୁ ପକାଯାଇଛି ଓ ସେଥିରୁ ଉଦ୍ଧାର ପାଇଁ ଆମେ ସମସ୍ତେ ସାମୂହିକ ଚେତନାରେ ଉଦ୍‌ବୁଦ୍ଧ ହୋଇ ଲଢେଇ କରିବା ଜରୁରୀ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିଶା ନିବାରଣ ନେତା ଅର୍ଜୁନ ସାମନ୍ତରାୟ, ଇଂ ବିକାଶ ମହାକୁଡ଼, ଆଳୟ ସାମନ୍ତରାୟ, ରାଜନେତା କୈଳାସ ମୁଖି, ଆରଟିଆଇ କର୍ମୀ ପ୍ରତାପ ମହାନ୍ତି, ଦିବ୍ୟଜ୍ୟୋତି ନାୟକ, ରମେଶ କର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ନବନିର୍ମାଣ ସଂଗଠନର ପୁରୁଣା ସାଥୀ ସ୍ନେହାଂଶୁ ଜେନା ବୈପ୍ଲବିକ ସଙ୍ଗୀତ ଗାନ କରିଥିଲେ । ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ସଭା ସଞ୍ଚାଳନ କରିଥିଲେ ।ଅକ୍ଷୟ କୁମାର ଅନଶନସ୍ଥଳରେ ବକ୍ତବ୍ୟ ରଖି ଆସନ୍ତା କାଲି ସ୍ୱାଧୀନତା ଦିବସକୁ ଲୋୟର ପିଏମ୍‌ଜିରେ ରାଜ୍ୟସ୍ତରୀୟ ଭାବେ ପାଳନ କରାଯିବ ଓ ସ୍ୱାଧୀନତା ସଂଗ୍ରାମୀମାନେ ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ସଂଗ୍ରାମ କରିଥିଲେ, ତାହାକୁ ସାକାର କରାଯିବାକୁ ଶପଥ ନିଆଯିବା ସହ ନବୀନ ସରକାର ବିରୁଦ୍ଧରେ ଏକ ବିଶ୍ୱସନୀୟ ବିକଳ୍ପ ରାଜ୍ୟବାସୀଙ୍କୁ ଯୋଗାଇ ଦେବାକୁ ସଂକଳ୍ପ ନିଆଯିବ ବୋଲି କହିଥିଲେ । ଆଜିର ଅନଶନସ୍ଥଳରେ ରାଜ୍ୟ ସହ ସଂଯୋଜକ ନିମାଇଁ ରାୟ, ଈଶ୍ୱର ପ୍ରଧାନ, ବିଚିତ୍ର ପଣ୍ଡା, ଦୀନେଶ ଦାସ, ନାଗେଶ୍ୱର ଚାନ୍ଦ, ରଙ୍କନାଥ ପାତ୍ର, ବ୍ରହ୍ମାନନ୍ଦ ଦାସ, ଅନନ୍ତ ପାଲ, ବିଜୟ ଜେନା, ଜଗନ୍ନାଥ ସାହୁ, ବାଙ୍କା ପ୍ରଧାନ, କୁନ୍ତଳା ଗୁରୁ, ମୀନା କୁମାରୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ