ଇନ୍ଟାକ୍ ତରଫରୁ ପ୍ରାଚୀନ କଳା ଓ ଭାସ୍କର୍ଯ୍ୟର ଉତ୍ଥାନ ନିମନ୍ତେ କର୍ମଶାଳା
ବାଲେଶ୍ୱର, (ସରୋଜ ପଣ୍ଡା):ବିଲୁପ୍ତପ୍ରାୟ ଆମର ପ୍ରାଚୀନ କଳା ଓ ଭାସ୍କର୍ଯ୍ୟର ପୁନରୁଦ୍ଧାର ନିମନ୍ତେ ଇନ୍ଟାକ୍ ବାଲେଶ୍ୱର ଚାପ୍ଟର ତରଫରୁ ‘କଳାକ୍ଷେତ୍ର’ରେ ଏକ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆମର ଭବିଷ୍ୟତ ବଂଶଧରଙ୍କ ସଚେତନତା ଓ ତାଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ନିମନ୍ତେ ଏହି କାର୍ଯ୍ୟକ୍ରମର ଅଭିପ୍ରାୟ । ଜାତୀୟ ସ୍ତରରେ ଅନୁଷ୍ଠିତ ହେଉଥିବା ଏହି କର୍ମଶାଳାରେ ବାଲେଶ୍ୱର ସ୍ଥିତ ୧୨ଟି ବିଦ୍ୟାଳୟର ୪୯ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଆଦିବାସୀ ସଂସ୍କୃତିର ପଟ୍ଟଚିତ୍ରମାନ ଅଙ୍କନ କରିଥିଲେ । ଏ ସମ୍ବନ୍ଧରେ ପିଲାମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ କଳାକ୍ଷେତ୍ରର ଶିକ୍ଷକ ଶ୍ରୀ ଆକାଶ ବାଲ୍ମିକୀ ଏବଂ ଶିକ୍ଷୟିତ୍ରୀ ଆର୍ଯ୍ୟପ୍ରଜ୍ଞା ବାସବଦତ୍ତା । ଏହି ଅଙ୍କିତ ପଟ୍ଟଚିତ୍ର ମଧ୍ୟରୁ ଶ୍ରେଷ୍ଠ ୩ଟି ଚିତ୍ର ଇନ୍ଟାକ୍ର ମୁଖ୍ୟାଳୟ ନୂଆଦିଲ୍ଲୀକୁ ପଠାଇ ଦିଆଯାଇ ଉତ୍କୃଷ୍ଟମାନର ୧ମ, ୨ୟ ଓ ୩ୟ ଭାବେ ବିବେଚନା ପରେ ଏହି ପ୍ରତିଯୋଗୀମାନଙ୍କୁ ସଂସ୍ଥା ତରଫରୁ ପୁରସ୍କୃତ କରାଯିବ । ଗତ ୨ଦିନ ୨୬ ଓ ୨୭-୦୮-୨୦୨୩ ଧରି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ପ୍ରତିଯୋଗୀମାନଙ୍କୁ ଶେଷଦିନରେ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା ।୨ଦିନର ଏହି କର୍ମଶାଳାର ପ୍ରଥମ ଦିବସରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ ସମାଜ ବାଲେଶ୍ୱର ସଂସ୍କରଣ ମୁଖ୍ୟ ଶ୍ରୀ ମଧୁସୂଦନ ଦାସ । ବାଲେଶ୍ୱର ଇନ୍ଟାକ୍ ଚାପଟର୍ ମୁଖ୍ୟ ପୁରୋଧା କନ୍ଭେନର୍ ଶ୍ରୀ ଉଦୟ ରଞ୍ଜନ ଦାସ, ସହ କନଭେନର ଶ୍ରୀ ନିକୁଞ୍ଜ ବିହାରୀ ଦାସ ଓ ସୁଶ୍ରୀ ଅର୍ଚ୍ଚନା ନନ୍ଦୀ ଏହି ମହତ୍ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଏହାକୁ ସୁପ୍ତରୁ ଜାଗ୍ରତ ଅବସ୍ଥାରେ ପରିଣତ କରିବାକୁ ପ୍ରେରଣା ପ୍ରଦାନ କରିଥିଲେ । ଇନ୍ଟାକ୍ର ଅନ୍ୟତମ ସଭ୍ୟମାନଙ୍କ ମଧ୍ୟରୁ ଶ୍ରୀ ସତ୍ୟନାରାୟଣ ନନ୍ଦ, ଭାବଗ୍ରାହୀ ମହାନ୍ତି, ଅଖିଳ କୁମାର ଦାସ, ଯଶୋଦା ନନ୍ଦନ ଆଶ୍, ଦେବାଶିଷ ମିଶ୍ର, ଶିତିକଣ୍ଠ ଦିକ୍ଷିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗର ହାତ ବଢ଼ାଇଥିଲେ ।


