ଫକୀର ମୋହନ ମେଡିକାଲ କଲେଜରେ ବ୍ୟାପକ ଅବ୍ୟବସ୍ଥା

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ଫକୀର ମୋହନ ମେଡିକାଲ କଲେଜରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ଆଜି ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ତଥା ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ସଦର ବିଜେପିର ଏକ ପ୍ରତିନିଧି ଦଳ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ବାଲେଶ୍ୱର ଜିଲ୍ଲାର ଜୀବନରେଖା କୁହାଯାଉଥିବା ମୁଖ୍ୟ ଚିକିତ୍ସାଳୟ ପକୀର ମୋହନ ମେଡିକାଲ କଲେଜ ଉପରେ ବାଲେଶ୍ୱର ସହରର ସମେତ ଆଖପାଖ ବହୁ ଅଞ୍ଚଳର ଲୋକେ ନିଜର ଚିକିତ୍ସା ପାଇଁ ନିର୍ଭରଶୀଳ । ବାଲେଶ୍ୱର ମେଡିକାଲ କଲେଜ ଘୋଷଣା ହେବା ପରେ ସାଧାରଣରେ ଅତ୍ୟନ୍ତ ଖୁସି ହୋଇଥିବା ବେଳେ ଆଜି ଏହାକୁ ୬ ବର୍ଷ ବିତି ଯାଇଥିଲେ ମଧ୍ୟ ରୋଗୀଙ୍କୁ ମେଡିକାଲ କଲେଜ ସ୍ତରର ଚିକିତ୍ସା ମିଳୁନାହିଁ ଯାହା ଅତ୍ୟନ୍ତ ଦୁଃଖଦ ବିଷୟ ।ତେଣୁ ଆଜି ସଦର ବିଜେପି ସାଧାରଣ ଗରିବ ଲୋକମାନଙ୍କ ଚିକିତ୍ସାରେ ସୁଧାର ଏବଂ ସୁବିଧା ପାଇଁ ପାଞ୍ଚୋଟି ବିନ୍ଦୁ ମେଡିକାଲ ସୁପରିଟେଣ୍ଡେଣ୍ଟ ସମ୍ମୁଖରେ ଉପସ୍ଥାପନ କରି ସମସ୍ୟାର ସମାଧାନ ପାଇଁ କହିଛନ୍ତି । ଉକ୍ତ ଦାବୀ ଗୁଡିକ ମଧ୍ୟରେ ରୋଗୀଙ୍କ ପାଇଁ ହୋଇଥିବା ୟୁନିଟ ଅନୁଯାୟୀ ବେଡ ବ୍ୟବସ୍ଥାକୁ ହଟାଇ ସମସ୍ତ ବେଡକୁ ରୋଗୀଙ୍କ ପାଇଁ ଉପଲବ୍ଧ କରାଇବା, ଅଲଟ୍ରାସାଉଣ୍ଡ ଟେଷ୍ଟ ଦିଗରେ ପାରଦର୍ଶିତା ଏବଂ ସମୟାନୁବର୍ତ୍ତିତାକୁ ପ୍ରାଧାନ୍ୟ ଦେଇ ରୋଗୀଙ୍କୁ ଉତ୍ତମ ସେବା ପ୍ରଦାନ କରିବା, ଅସ୍ଥିଶଲ୍ୟ ବିଭାଗ ଏବଂ ମହିଳା ଓ ପ୍ରସୂତି ବିଭାଗରେ ସଠିକ କାଉନସିଲିଂ କରିବା ସହ ରୋଗୀଙ୍କ ସମ୍ପର୍କୀୟଙ୍କୁ ସଠିକ କାଉନସିଲିଂ କରିବା ଦିଗରେ ଅଧିକ ଯତ୍ନବାନ ହେବା, ମେଡିସିନ ୱାର୍ଡରେ ଜରୁରୀକାଳୀନ ବ୍ୟବସ୍ଥା ଓ ସରଞ୍ଜାମକୁ ଉପଲବ୍ଧ କରାଇବା ସହ ହୃଦରୋଗ ବିଭାଗକୁ ଅଧିକ କ୍ରିୟାଶୀଳ କରାଇବା ଓ ମେଡିକାଲର ସ୍ୱଚ୍ଛତା ଏବଂ ପରିମଳ ବ୍ୟବସ୍ଥା ବିଷୟରେ ଗମ୍ଭୀର ଭାବେ ଚିନ୍ତା କରି ୨୪ ଘଣ୍ଟିଆ ସ୍ୱଚ୍ଛତା କରାଇବା ପାଇଁ ପଦକ୍ଷେପ ନେବା । ବାଲେଶ୍ୱର ଜନସାଧାରଣଙ୍କ ସ୍ୱାର୍ଥ ନିହିତ ଉପରୋକ୍ତ ବିନ୍ଦୁ ଗୁଡିକୁ ଆସନ୍ତା ୧୦ ଦିନ ମଧ୍ୟରେ ପୂରଣ ନକରିଲେ ଲୋକଙ୍କ ସ୍ୱାର୍ଥ ପାଇଁ ବାଧ୍ୟ ହୋଇ ଭାରତୀୟ ଜନତା ପାର୍ଟି, ସଦର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଗଣତାନ୍ତ୍ରିକ ପଦ୍ଧତିରେ କଡା ବିରୋଧ କରିବ ବୋଲି ଶ୍ରୀ ଦତ୍ତ ଚେତାବନୀ ଦେଇଛନ୍ତି ।ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ସୀତାକାନ୍ତ ସ୍ୱାଇଁ, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ଅନନ୍ତ ନାୟକ, ରାଜେନ୍ଦ୍ର ଚାଟାର୍ଜୀ, ସୌଭାଗ୍ୟ ମାନସ ନାୟକ, ଦୁର୍ଗା ବେହେରା, ସୌରଭ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ