ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିବ ଓଡ଼ିଶା ଏଲିମେଣ୍ଟାରୀ ଶିକ୍ଷକ ସଂଘ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଏଲିମେଣ୍ଟାରୀ ବିଦ୍ୟାଳୟମାନଙ୍କରୁ ଠିକା ନିଯୁକ୍ତି ଉଚ୍ଛେଦ, ଏଲିମେଣ୍ଟାରୀ ବିଦ୍ୟାଳୟରେ ଅଦ୍ୟାବଧି ନିଯୁକ୍ତି ସମସ୍ତ ଶିକ୍ଷକମାନଙ୍କୁ ମୂଳ ନିଯୁକ୍ତି ଠାରୁ କାର୍ଯ୍ୟକାଳକୁ ଗଣନା କରି ସ୍ଥାୟୀ କରାଯାଇ ପଦୋନ୍ନତି, ଗ୍ରାଚୁଇଟି ତଥା ସମସ୍ତ ସରକାରୀ ସୁବିଧା ପ୍ରଦାନ, ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ଦୀର୍ଘ ୧୭ ବର୍ଷ ଧଣି କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ, କର୍ମଚାରୀମାନଙ୍କର ଚାକିରି ସ୍ଥାୟୀ କରି, ଚାକିରି ସର୍ତ୍ତାବଳୀ ପ୍ରଦାନ, ୨୦୦୧ ମସିହାରୁ ଡି.ପି.ଇ.ପି-୧ରେ ନିଯୁକ୍ତ ପାରା ଶିକ୍ଷକମାନଙ୍କୁ ୨୦୦୯ ମସିହା ଠାରୁ କନିଷ୍ଠ ଶିକ୍ଷକ ଭାବେ ଗଣନା କରି ଏଲିମେଣ୍ଟାରୀ ଶିକ୍ଷକର ମାନ୍ୟତା ପ୍ରଦାନ, ଉଚ୍ଚ ଯୋଗ୍ୟତାଧାରୀ ଏଲିମେଣ୍ଟାରୀ ଶିକ୍ଷକ (ବି.ଇଡି/ଏମ୍.ଇଡି) ମାନଙ୍କୁ ବିଭାଗୀୟ ପରୀକ୍ଷା ଜରିଆରେ ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପଦୋନ୍ନତି ଏବଂ ପୁରୁଣା ପେନସନ ପୁନଃ ପ୍ରଚଳନ ଆଦି ୭ ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିବ ବୋଲି ଶନିବାର ଭୁବନେଶ୍ୱରସ୍ଥିତ ଶିକ୍ଷକ ମହାସଂଘ କାର୍ଯ୍ୟାଳୟରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଏଲିମେଣ୍ଟାରୀ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ପ୍ରବୀଣ କୁମାର ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ଶ୍ରୀ ଦାସ କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାରୁ ଠିକା ନିଯୁକ୍ତି ଉଚ୍ଛେଦ କରାଗଲା ବୋଲି ଘୋଷଣା କରିଥିଲେ ମଧ୍ୟ ଓଡ଼ିଶା ଏଲିମେଣ୍ଟାରୀ ଶିକ୍ଷକମାନଙ୍କୁ ସ୍ଥାୟୀ ନିଯୁକ୍ତି ବଦଳରେ ଠିକାରେ ୨୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି, ମାତ୍ର ନାମ ଦେଇଛନ୍ତି ସ୍କିମାଟିକ ଶିକ୍ଷକ । ଓଡ଼ିଶା ଏଲିମେଣ୍ଟାରୀ ଶିକ୍ଷକମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତିଯୋଗୁ ଏହ ସମ୍ଭବ ହୋଇପାରୁ ନାହିଁ । ତେଣୁ ଖୁବ୍ କମ୍ ଦିନ ମଧ୍ୟରେ ରାଜ୍ୟ ସରକାର ଯଦି ଏଲିମେଣ୍ଟାରୀ ଶିକ୍ଷକମାନଙ୍କ ୭ ଦଫା ଦାବି ପୂରଣ ନ କରନ୍ତି, ତେବେ ବାଧ୍ୟ ହୋଇ ସଂଘ ସେପ୍ଟେମ୍ବର ୨୮ ତାରିଖ ଠାରୁ ବିଧାନସଭା ସମ୍ମୁଖରେ ଧାରଣାକୁ ଓହ୍ଳାଇବ ବୋଲି ନିଷ୍ପତ୍ତି ନିଆଯାଇଛି ।ଏହି ସାମ୍ବାଦିକ ସମ୍ମିଳନୀରେ ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ଉପଦେଷ୍ଟା ତଥା ବିଶ୍ୱ ଶିକ୍ଷକ ସଂଗଠନର ସଭାପତି ଡଃ ଅମୀୟ କୁମାର ମହାନ୍ତି, ଯୁଗ୍ମ ସମ୍ପାଦକ ବୃନ୍ଦାବନ ମହାପାତ୍ର, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ନାୟକ, ଓଡ଼ିଶା ଏଲିମେଣ୍ଟାରୀ ଶିକ୍ଷକ ସଂଘର ସଭାପତି ଧନଞ୍ଜୟ ନାୟକ, ଯୁଗ୍ମ ସମ୍ପାଦକ ପ୍ରିୟମ୍ବଦା ଆଚାର୍ଯ୍ୟ, ପ୍ର୍ରିୟତମା ଜେନା, ବାସୁଦେବ ମଳିକ, ସଲିଳ କୁମାର ପଟ୍ଟନାୟକ, ନର୍ମଦା ରାଉତ, ହେମନ୍ତ କୁମାର ସିଂ, ସୁରେଶ କୁମାର ଚୌଧୁରୀ, ସୁବ୍ରତ କୁମାର ବଡ଼ଜେନା, ବ୍ରହ୍ମାନନ୍ଦ ପରିଡ଼ା, ସୁରେଶ କୁମାର ଲିମା, ଦୁର୍ଯ୍ୟୋଧନ ପରିଡ଼ା, ଜିତେନ୍ଦ୍ର କୁମାର ନାୟକ, ମହାସଂଘ କୋଷାଧ୍ୟକ୍ଷ ସୁରେଶ ବିଶ୍ୱାଳ, ବିଧୁଭୂଷଣ ପଟ୍ଟନାୟକ, ମଙ୍ଗୁଳି ଚରଣ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।


