କୃଷକ ସଭା ପକ୍ଷରୁ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ବିକ୍ଷୋଭ
ବାଲେଶ୍ୱର, (ସରୋଜ ପଣ୍ଡା):ଅଖିଳ ଭାରତ କୃଷକ ସଭାର ବାଲେଶ୍ୱର ଜିଲ୍ଲା କମିଟି ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାହ୍ନରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ଶହଶହ କୃଷକ ବିକ୍ଷୋଭ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୯ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ବର୍ଷିୟାନ କୃଷକନେତା କୈଳାସ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସଂପାଦକ ଅଭୟ ସାହୁ ଓ କୃଷକ ସଭାର ସର୍ବଭାରତୀୟ ଉପସଭାପତି ଆଶୀଷ କାନୁନ୍ଗୋ ସେମାନଙ୍କ ବକ୍ତବ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ କୃଷିନୀତିକୁ ଦୃଢ଼ ସମାଲୋଚନା କରିଥିଲେ । କର୍ପୋରେଟ୍ ହାଉସ୍ ତଥା ପୁଞ୍ଜିପତିଙ୍କ ସ୍ୱାର୍ଥରକ୍ଷା କରିବା ପାଇଁ ଉଭୟ ସରକାର ଉଦ୍ୟମ ଚଳାଉଛନ୍ତି । କୃଷି ଓ କୃଷକର ସ୍ୱାର୍ଥ ରକ୍ଷା ପାଇଁ କୃଷକ ସଭା ଲଗାତର ଆନ୍ଦୋଳନ କରୁଛି । ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ୍ ପ୍ରତି ୩ହଜାର ଟଙ୍କା, ବରିଷ୍ଠ କୃଷକ ଓ କୃଷିଶ୍ରମିକମାନଙ୍କୁ ମାସିକ ୫ ହଜାର ଟଙ୍କା ପେନସନ୍, ଚାଷୀ ଓ ଭାଗଚାଷୀମାନଙ୍କ ଠାରୁ ସରକାର ମଣ୍ଡି ଜରିଆରେ ସମସ୍ତ ଧାନ କ୍ରୟ କରିବା, ସବୁ ବ୍ଲକ୍ରେ ଶୀତଳଭଣ୍ଡାର ପ୍ରତିଷ୍ଠା, ଜଙ୍ଗଲ ଜମିରେ ବାସ କରୁଥିବା ଆଦିବାସୀ ଓ ଭୂମିହୀନଙ୍କୁ ଜମିର ପଟ୍ଟା, ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥର ଦରବୃଦ୍ଧିରେ ଅଙ୍କୁଶ ଲଗାଇବା ଓ ପଞ୍ଚାୟତ ସ୍ତରରେ ଗୋଶାଳା ପ୍ରତିଷ୍ଠା ପ୍ରଭୃତି ଦାବି ପୂରଣ ପାଇଁ ବିକ୍ଷୋଭ ସମାବେଶରେ କୃଷକ ନେତାମାନେ ଦୃଢ଼ ଦାବି କରିଥିଲେ । ଆସନ୍ତା ଡିସେମ୍ବର ୪ ତାରିଖ ଦିଲ୍ଲୀରେ କୃଷକମାନଙ୍କର ମହାସମାବେଶକୁ ସଫଳ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା । ଏହି ସମାବେଶରେ ଜିଲ୍ଲା କୃଷକ ସଭାର ସଂଯୋଜକ ଭାଗବତ ପ୍ରତିହାରୀ, ଜିଲ୍ଲା ସଂପାଦକ ସନ୍ତୋଷ କୁମାର ବିଶ୍ୱାଳ ଓ ପୁରୁଷୋତ୍ତମ ସେଠୀ ପ୍ରମୁଖ ଉଦ୍ବୋଧନ ଦେଇ କୃଷକ ଓ ଶ୍ରମିକମାନେ ଅଧିକ ସଂଗଠିତ ହେବାକୁ ଆହ୍ୱାନ ଦେଇଥିଲେ ।କୃଷକ ସଭାର ରାଜ୍ୟ ଉପସଭାପତି ନିରଞ୍ଜନ ବାରିକଙ୍କ ନେତୃତ୍ୱରେ ଗୌରାଙ୍ଗ ପାଣିଗ୍ରାହୀ ଓ ଗାୟତ୍ରୀ ପଣ୍ଡା ପ୍ରମୁଖ ପ୍ରତିନିଧି ଦଳ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କୁ ଦାବିପତ୍ର ପ୍ରଦାନ କରି ଜିଲ୍ଲାସ୍ତରରେ ଶୀତଳ ଭଣ୍ଡାର, ଫସଲର ସୁରକ୍ଷା ପାଇଁ ଗୋରୁଗାଇ ଓ ଷଣ୍ଢମାନଙ୍କ ପାଇଁ ଗୋଶାଳା ପ୍ରତିଷ୍ଠା ପ୍ରଭୃତି ଦାବି ଉପରେ କାର୍ଯ୍ୟାନୁଷ୍ଠାନ ନିମିତ୍ତ ପ୍ରତିଶ୍ରୁତି ଦେଇଥିବାର ପ୍ରତିନିଧିମାନେ ପ୍ରକାଶ କରିଥିଲେ । ବାଲେଶ୍ୱର ରେଳଷ୍ଟେସନରୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଫାଟକ ସମ୍ମୁଖରେ ପହଞ୍ôଚଥିଲା । ଶୋଭାଯାତ୍ରା ଓ ବିକ୍ଷୋଭ ସମାବେଶରେ ବିଜୟ ସ, ମାନସ ମହାପାତ୍ର, ମାୟାଧର ନାୟକ, ଭଗବାନ ପଣ୍ଡା, ଜତିନ୍ ପାତ୍ର, ସୁହାଗୀ ମାଝୀ, ନିହାର ଜେନା, ଶଶିକାନ୍ତ ପଣ୍ଡା, ଦେବେନ୍ଦ୍ର ଜେନା, ସୁଧିର ମହାନ୍ତି, ତପନ ସିଟ୍, ଅଳକ ମିଶ୍ର, ଶ୍ୟାମସୁନ୍ଦର ଜେନା, ଆଶୁତୋଷ ପରିଡ଼ା, ଜୟନ୍ତ ମହାନ୍ତି, ବେଣୁଧର ବାରିକ, ଗୋପୀନାଥ ହେମ୍ବ୍ରମ୍ ଓ ହରେକୃଷ୍ଣ ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ । ଅନାମ ପ୍ରସାଦ ବାରିକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।