ଛୁରାମାଡରେ ଜଣେ ଗୁରୁତର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ଅନ୍ତର୍ଗତ କଲ୍ଯାଣପୁର ତୋଟା ଛକ ନିକଟରେ ମଙ୍ଗଳବାର ଦିନ ଜଣେ ବ୍ଯକ୍ତିଙ୍କ ଉପରେ ଛୁରାମାଡ ହୋଇଛି।ଆହତ ଜଣକ ବୀର ଲକ୍ଷ୍ମୀନାରାୟଣ ପୁର ଗ୍ରାମର ବିପ୍ର ଚରଣ ପଣ୍ଡା (୬୦) ବୋଲି ଜଣାପଡିଛି।ଦିନ ପ୍ରାୟ ୧୦ ଘଣ୍ଟା ସମୟରେ ସେ ନିଜ ଗ୍ରାମରୁ କଲ୍ଯାଣପୁର ଆସୁଥିବା ବେଳେ ଏକ ବାଇକରେ ଦୁଇଜଣ ଯୁବକ ତାଙ୍କ ନିକଟରେ ପହଞ୍ଚି ଅତର୍କିତ ଆକ୍ରମଣ କରିଥିବା କୁହାଯାଇଛି।ଏଥିରେ ବିପ୍ରଙ୍କ ଗଳାର ଦୁଇଟି ସ୍ଥାନରେ ଗଭୀର କ୍ଷତ ଲାଗିଥିବା ଦେଖାଯାଇଛି।ସେ ରାସ୍ତା କଡରେ ଆହତ ଅବସ୍ଥାରେ ପଡିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରି ଦିଆଯାଇଥିଲା।କିଏ ଏବଂ କାହିଁକି ଏଭଳି ଆକ୍ରମଣ କରିଛି ତାହା ସ୍ପଷ୍ଟ ହୋଇପାରିନଥିବା ବେଳେ ଆକ୍ରମଣ ସଂକ୍ରାନ୍ତରେ ଥାନାରେ କୌଣସି ରିପୋର୍ଟ ପହଞ୍ଚି ନଥିବା ଆଇଆଇସି ଦିପ୍ତିରଞ୍ଜନ ବେହେରା ପ୍ରକାଶ କରିଛନ୍ତି।