ମହେନ୍ଦ୍ରଗିରି ପାଦଦେଶରେ ମହାବଳ ବାଘ ଶିକାର ଅନ୍ବେଷଣରେ ବୁଲୁଚି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲାରେ ବର୍ତ୍ତମାନ ବାଘ ଆତଙ୍କ ଦେଖାଦେଇଛି. ଏହି ଜିଲ୍ଲାର ମହେନ୍ଦ୍ର ବନାଞ୍ଚଳ ଏବଂ ମହେନ୍ଦ୍ରଗିରି ପାଦ ଦେଶରେ ଏକ ମହାବଳ ବାଘ ଶିକାର ଅନ୍ବେଷଣରେ ବିଚରଣ କରୁଥିବା ବନ ବିଭାଗ ତରଫରୁ ସୂଚନା ମିଳିଛି. ଶିକାର ଅନ୍ବେଷଣରେ ମହାବଳ ବାଘର ବିଚରଣକୁ ନେଇ ସାଧାରଣରେ ଭୟ ଓ ଆତଙ୍କ ସୃଷ୍ଟି ହେବା ସହ ସନ୍ଧ୍ୟା ପୂର୍ବରୁ ସମ୍ପକ୍ତ ଅଞ୍ଚଳରେ ଥିବା ବହୁ ଗ୍ରାମରେ ଲୋକେ ତାଟି କବାଟ ବନ୍ଦ କରି ଘରେ ରହିବାକୁ ବାଧ୍ୟ ହେଉଛନ୍ତି. ଘଟଣାରୁ ପ୍ରକାଶ ଗତ 3 ଦିନ ତଳେ ଗଜପତି ଜିଲ୍ଲାର ଗଣ୍ଡାହାତୀ ନିକଟସ୍ଥ ସନ୍ତୋଷପୁର ଗ୍ରାମରେ ଏକ ଗାଇକୁ କୌଣସି ବନ୍ୟଜନ୍ତୁ ଘୋଷାରି ନେଇ ମାରି ଖାଇଥିବାର ଦେଖାଯାଇଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ମହେନ୍ଦ୍ର ଵନାଞ୍ଚଳର ବନକର୍ମଚାରୀ ଏବଂ ପାରଳାଖେମୁଣ୍ଡି ଵନଖଣ୍ଡର ACF ଅଶୋକ କୁମାର ଵେହେରା ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କଲାପରେ ଏକ ଵାଘର ପାଦଚିହ୍ନ ଠାଵ କରିଥିଲେ । ପାଦଚିହ୍ନ ଗୁଡ଼ିକର ପ୍ଲାଷ୍ଟର ପେରିସ୍ ମାଧ୍ୟମରେ ଅନୁଧ୍ୟାନ କରାଯାଇଥିଲା। ସେହିଦିନ ଵାଘର ଅବସ୍ଥିତି ଜାଣିବା ପାଇଁ ସେହି ଆଖପାଖ ଅଞ୍ଚଳରେ ପାଞ୍ଚଗୋଟି ଟ୍ରାପ କ୍ୟାମେରା ଲଗାଯାଇଥିଲା । ଗତକାଲି ଶୁକ୍ରବାର ଦିନ ସକାଳୁ ଗୋଟିଏ କ୍ୟାମେରାରେ ଏକ ମହାବଳ ଵାଘର ଅବସ୍ଥିତି ଜଣାପଡିଛି। ଏଥିଯୋଗୁଁ ଉକ୍ତ ଅଞ୍ଚଳର ଆଖପାଖ ସମସ୍ତ ଗ୍ରାମବାସୀ ମାନଙ୍କୁ ବାଘ ବୁଲୁଥିବାର ସତର୍କ ସୂଚନା ଦିଆଯାଇଛି।ଗାଈ, ଗୋରୁ, ଛେଳି, ମେଣ୍ଢା ଇତ୍ୟାଦି ଗୃହପାଳିତ ପଶୁ ଗୁଡିକ ନିଜ ନିଜର ଗୁହାଳ ମଧ୍ୟରେ ବାନ୍ଧି ରଖିବାକୁ ଏବଂ ରାତ୍ର ସମୟରେ ବାହାରେ ନ ବୁଲିବାକୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ବନ ବିଭାଗ ତରଫରୁ ସତର୍କ ସୂଚନା ଦିଆଯାଇଛି। ବର୍ତ୍ତମାନ ପାରଳାଖେମୁଣ୍ଡି ଏବଂ ମହେନ୍ଦ୍ର ବନାଞ୍ଚଳର 2 ଅଧିକାରୀ ସମେତ ପାରଳାଖେମୁଣ୍ଡି ଏସିଏଫ ଅଶୋକ କୁମାର ବେହେରାଙ୍କ ନେତୃତ୍ୱରେ ବନ କର୍ମଚାରୀଙ୍କ ଏକ ସ୍କ୍ୱାଡ଼ ସମ୍ପୂକ୍ତ ଅଞ୍ଚଳରେ ସଜାଗ ରହି ବାଘର ସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି. ଏଠାରେ ଉଲେଖଯୋଗ୍ୟଯେ ଗଜପତି ଜିଲ୍ଲାର ବନ ବିଭାଗ ନଥିପତ୍ରରେ ମହାବଳ ବାଘ ନ ନଥିବା ଉଲ୍ଲେଖ ରହିଥିବା ବେଳେ ବର୍ତ୍ତମାନର ଏହି ମହାବଳ ବାଘଟି ଆସିଲା କେଉଁଠୁ ବୋଲି ସାଧାରଣରେ ପ୍ରଶ୍ନବାଚୀ ହୋଇଛି. ଅଞ୍ଚଳବାସୀଙ୍କ ସମେତ କିଛି ବନ କର୍ମଚାରୀ ଏହି ବାଘଟି ପଡୋଶୀ ଆନ୍ଧ୍ରର ଜଙ୍ଗଲରୁ ଆସିଥିବା ସନ୍ଦେହ କରୁଛନ୍ତି.