ଏକବିଂଶତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳାର ଶେଷ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜାନୁଆରୀ ୬ତାରିଖରୁ୧୩ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁଥିବା ଏକବିଂଶତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳାର ଶେଷ ପ୍ରସ୍ତୁତି ବୈଠକ ମାଧପୁର ସ୍ଥିତ ଉପଦେଷ୍ଟା ଡଃ ବିରଜା ରାଉତରାୟଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ସଭାପତି ଅକ୍ଷୟ ପାଣିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ବର୍ଷ କଥାକାର ଚିତ୍ତରଞ୍ଜନ ଚିରଞ୍ଜିତ୍ଙ୍କୁ ପୁସ୍ତକ ମେଳା ‘ଯୁବ ସାହିତ୍ୟ ପୁରସ୍କାର-୨୦୨୪’ ପ୍ରଦାନ କରାଯିବା ସହିତ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ରାପଡା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କୁ ‘କେମ ସେବା ସମ୍ମାନ’ରେ ଏବଂ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନିରଞ୍ଜନ ମେକାପଙ୍କୁ ‘କେମ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯିବ ବୋଲି ଉପଦେଷ୍ଟା ଡଃ. ବିରାଜା ରାଉତରାୟ ସୂଚନା ଦେଇଛନ୍ତି । ମେଳାରେ ଜାତୀୟସ୍ତରୀୟ ଖ୍ୟାତନାମା ପୁସ୍ତକ ପ୍ରକାଶନ ସଂସ୍ଥା ସହିତ ରାଜ୍ୟର ପ୍ରତିଷ୍ଠିତ ପୁସ୍ତକ ପ୍ରକାଶନ ସଂସ୍ଥା ଗୁଡିକ ଯୋଗ ଦେବେ ବୋଲି କେମ୍ର ସମ୍ପାଦକ ଜାହିଦ୍ ଖାଁ ପ୍ରକାଶ କରିଛନ୍ତି । ଏହି ପୁସ୍ତକ ମେଳାରେ ସବୁଦିନ ବିଶିଷ୍ଟ ସାହିତ୍ୟିକ, ଲେଖକ, ବୈଜ୍ଞାନିକ, ପରିବେଶବିତ୍ ଓ ପକ୍ଷୀ ବିଶାରଦ, ସଂସ୍କୃତି ପ୍ରେମୀମାନେ ଯୋଗଦେଇ ସେମାନଙ୍କର ମତାମତ ପ୍ରଦାନ କରିବେ ବୋଲି ବିଶିଷ୍ଟ କବି ନିରାକାର ଦାସ କହିଥିଲେ । ଚଳିତ ବର୍ଷ ଅନୁଷ୍ଠାନର ମୁଖପତ୍ର ‘କେନ୍ଦ୍ରାପଡ଼ା ପରିକ୍ରମା\’ରେ ଜୈବ ବିବିଧତା କ୍ଷେତ୍ରରେ ପ୍ରସିଦ୍ଧ ଆନ୍ତର୍ଜାତୀୟ ଅଭୟାରଣ୍ୟ ଭିତରକନିକା ଏହି ଜିଲ୍ଲାର ଗୌରବ ବୃଦ୍ଧି କରିଥିବାରୁ ଏହା ଉପରେ ତଥ୍ୟଭିତ୍ତିିକ ଗବେଷଣାଧର୍ମୀ ଆଲେଖ୍ୟମାନ ସ୍ଥାନୀତ ହୋଇଛି ଓ ଏହାକୁ ଉଦ୍ଘାଟନୀ ଦିବସରେ ଲୋକାର୍ପିତ କରାଯିବ ବୋଲି ସଭାପତି ସୂଚନା ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଶିବ ନାରାୟଣ ସାମଲ, ତାରିଣୀ ପାଟ୍ଟଯୋଶୀ, କ୍ଷିରୋଦ କର, ବଂଶୀଧର ମହାନ୍ତି, ଦିଲ୍ଲୀପ ସାହୁ, ହିମାଂଶୁ ଦାସ, ସୌମ୍ୟରଞ୍ଜନ ପଟ୍ଟନାୟକ, ଉମାକାନ୍ତ ଜେନା, ଅରୁଣ ସାହୁ, ସରୋଜକାନ୍ତ ସାହୁ, ପ୍ରଦ୍ୟୁମ୍ନ ବେହୁରା, ଲକ୍ଷ୍ମୀକାନ୍ତ ନାୟକ, ଶାନ୍ତନୁ ମଲ୍ଲିକ, ବିକାଶ ସ୍ୱାଇଁ, ଅମ୍ରିନ ସାହାଦତ୍, ପ୍ରତାପ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।


