ଘରୁ ଘରୁ ସଂଗ୍ରହ ହେଲା ଗୁଆ ଓ ଅକ୍ଷତ, ସାମିଲ ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଯୁଗ୍ମ ସଚିବ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । କୋଟି କୋଟି ଓଡିଆଙ୍କ ମଉଡମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଭବ୍ୟ ଉତ୍ସବରେ ଯେପରି ପ୍ରତିଟି ଓଡିଆ ଯୋଡି ହୋଇ ଦିବ୍ୟ ଅନୁଭବର ସାନିଧ୍ୟ ଲାଭ କରିପାରିବେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଜୟ ଜଗନ୍ନାଥ ଅର୍ପଣ ରଥ ମାଧ୍ୟମରେ ପୁରପଲ୍ଲୀରୁ ସଦର ସମସ୍ତ ଅଞ୍ଚଳ ପରିକ୍ରମା କରି ପ୍ରଭୁ ଜଗନ୍ନାଥଙ୍କୁ ସମର୍ପଣ ଉଦ୍ଦେଶ୍ୟରେ ପ୍ରତି ଘରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯାଉଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ବ୍ଳକରେ ଗତ ୬ ତାରିଖ ଏବଂ ପୌରାଞ୍ଚଳରେ ଗତ ୯ ତାରିଖ ଠାରୁ ଏହି ଅର୍ପଣ ରଥର ପରିକ୍ରମା ଯାତ୍ରା ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି । ଗୁରୁବାର ପୌରାଞ୍ଚଳର ୨ଟି ରଥ ୱାର୍ଡ ନଂ – ୬, ୭ ଓ ୧୦ ପରିଭ୍ରମଣ କରି ଶ୍ରଦ୍ଧାଳୁଙ୍କ ଠାରୁ ଗୁଆ ଓ ଅକ୍ଷତ ସଂଗ୍ରହ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ର ସାମିଲ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଗ୍ରୀଟ୍ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଶିବରାମ ଗୌଡ, ଯୁବ ବିଜେଡି ସଭାପତି ସଞ୍ଜୟ ପଣ୍ଡା, ସମ୍ପାଦକ ପ୍ୟାରୀମୋହନ ପାଢି, ପୂର୍ବତନ ନଗରପାଳ ହୃଦୟାନନ୍ଦ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଅନୁରୂପ ଭାବେ ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ଗତ ୬ ତାରିଖ ଠାରୁ ଆରମ୍ଭ ହୋଇଥିବା ୩ଟି ଜଗନ୍ନାଥ ଅର୍ପଣ ରଥ ଗୁରୁବାର ସ୍ଥାନୀୟ ବ୍ଳକର ଡି.ପାଟପୁର, ପଲ୍ଲୀପଦ୍ମନାଭପୁର, ବଳରାମପୁର, ଚାନ୍ଦୁଲି, ଖଣ୍ଡରା ଗ୍ରାମ ପଞ୍ଚାୟତ ପରିଭ୍ରମଣ କରି ଶ୍ରଦ୍ଧାଳୁଙ୍କ ଠାରୁ ଗୁଆ ଓ ଅକ୍ଷତ ସଂଗ୍ରହ କରିଥିଲେ । ବିଡିଓ ସୁବ୍ରତ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଏଳା ସୁଦର୍ଶନ, ସଭ୍ୟା ବାଇ ଗିତାଞ୍ଜଳି, ପ୍ରିତି ସାହୁଙ୍କ ସମେତ ସଂପୃକ୍ତ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ୱାର୍ଡ ସଭ୍ୟ ଓ ପଞ୍ଚାୟତି ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ