ଛାତ୍ରୀଙ୍କୁ ଅସଦାଚରଣ ମାମଲା ୨ ଶିକ୍ଷକ ନିଲମ୍ବିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ଦାରୁଭଦ୍ରା ପ୍ରାଥମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ସଂପୃକ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ଜଣେ ସହକାରୀ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ପ୍ରକାଶ ଯେ, ହିଞ୍ଜିଳିକାଟୁ ବ୍ଳକ ଦାରୁଭଦ୍ରା ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ବିଭିନ୍ନ ସମୟରେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କେଦାରନାଥ ସାହୁ ଓ ସହକାରୀ ଶିକ୍ଷକ ସୁଧିର ପାଣିଗ୍ରାହୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ ହୋଇ ଆସୁଥିଲା। ଗୁରୁବାର ଅପରାହ୍ନରେ ବିଦ୍ୟାଳୟ କାର୍ଯ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ସାହୁ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ବେଳେ ଗ୍ରାମର ଜଣେ ବ୍ୟକ୍ତି ଦେଖିଥିବା ଦାବି କରି ଗ୍ରାମବାସୀଙ୍କୁ ଜଣାଇଥିଲେ। ଘଟଣା ପରେ ଗ୍ରାମବାସୀ ଓ କିଛି ଅଭିଭାବକ ବିଦ୍ୟାଳୟ ପରିସରରେ ପହଞ୍ଚି ପାଟିତୁଣ୍ଡ କରିବା ସହ ଆନ୍ଦୋଳନ କରିଥିଲେ। ଖବର ପାଇ ଖବର ପାଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଶିଳ କୁମାର ପାତ୍ର, ଦୁର୍ବନ୍ଧ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଜୋତ୍ସ୍ନା ପାତ୍ର ବିଦ୍ୟାଳୟରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୂ ବୁଝାସୁଝା କରିଥିଲେ । ପରେ ୬୮ନଂ ଜିଲ୍ଲା ପରିଷଦ ସଭ୍ୟ ଏଳା ସୁଦର୍ଶନ, ସରପଞ୍ଚ ବିକାଶ ସେଠି ଓ ବିଦ୍ୟାଳୟ ପରିଚାଳନା କମିଟି କର୍ମକର୍ତ୍ତା ପହଞ୍ଚି ଏକ ଆଲୋଚନା ବୈଠକ ହୋଇଥିଲା । ଗ୍ରାମବାସୀ ଓ ଅଭିଭାବକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ବିଦ୍ୟାଳୟରୁ ବହିଷ୍କାର ଦାବି ରେ ଅଡ଼ି ବସିଥିଲେ। ଏଥି ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ନେଇ ପ୍ରତିଶୃତି ପରେ ଆନ୍ଦୋଳନ ଥମିଥିଲା । ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କେଦାରନାଥ ସାହୁ ଓ ସହକାରୀ ଶିକ୍ଷକ ସୁଧିର ପାଣିଗ୍ରାହୀଙ୍କୁ ନିଳମ୍ବିତ କରାଯାଇଛି ବୋଲି ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଗିରିଧର ସୂଚନା ପ୍ରଦାନ କରିଛନ୍ତି ।