ବଟେଶ୍ୱରଙ୍କ ପୀଠରେ ମକର ମେଳା ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାଶ):ପବିତ୍ର ମକର ସଂକ୍ରାନ୍ତି ଅବସର ରେ ପୁରୀ ଜିଲ୍ଲା ବାଲିଦୋକାନ ଠାରେ ଅବସ୍ଥିତ ବାବା ବଟେଶ୍ୱରଙ୍କ ପୀଠ ଠାରେ ମକର ବୁଡ଼ ତଥା ମକର ମେଳା ମହା ସମାରୋହରେ ପାଳିତ ହୋଇ ଯାଇଛି। ପ୍ରାତଃ ରୁ ବାବାଙ୍କ ବିଭିନ୍ନ ପୂଜା ନୀତି ପାଳନ ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା। ନିକଟସ୍ଥ ୬ଟି ଗ୍ରାମ ଗୋଧନପଡା, ଛଡାସିହଁ, କାକରପୁଟ, ରଇତିଶାହି, ଗୟଳ ଓ ଖନ୍ଦୋଳ ଗ୍ରାମର ଆରାଧ୍ୟ ଦେବ ସ୍ୱ ସ୍ୱ ସୁସଜ୍ଜିତ ବିମାନରେ ମହାଦେବଙ୍କ ପ୍ରାଙ୍ଗଣରେ ପହଞ୍ଚିବାପରେ ଯଥାବିଧି ପୂଜା ଆରମ୍ଭ ହୋଇଥିଲା। ଅପରାହ୍ନ ରେ ମହାଦେବଙ୍କ ମକର ମିଳନ ନୀତି ଆୟୋଜିତ ହୋଇଥିଲା। ମନ୍ଦିର ଚୁଡାରେ ପୂଜାପଣ୍ଡା ମାନେ ନୂତନ ପତାକା ବାନ୍ଧିବା ସହିତ ଠାକୁର ମାନଙ୍କୁ ମକର ଚାଉଳ ଭୋଗ ଲାଗି କରାଯାଇଥିଲା। ମକର ଚାଉଳ ଭୋଗ ହେବା ପରେ ଠାକୁର ମାନେ ମନ୍ଦିର ପରିକ୍ରମା କରି ନିଜ ନିଜ ମନ୍ଦିର କୁ ସ୍ୱ ସ୍ୱ ବିମାନ ଯୋଗେ ଫେରିଥିଲେ। ଶ୍ରଦ୍ଧାଳୁ ମାନଙ୍କୁ ଠାକୁର ଙ୍କୁ ଲାଗି ମକର ଚାଉଳ ବଣ୍ଟନ କରା ଯାଇଥିଲା। ଏହି ଅବସରରେ ମନ୍ଦିର ପରିସରରେ ମେଳା ମଧ୍ୟ ପଡ଼ିଥିଲା। ସ୍ଥାନୀୟ ଅଞ୍ଚଳ ର ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ପାଇଁ ଆସିଥିଲେ । ଏହି ମକର ଉତ୍ସବକୁ ଛଡାସିଂହ ର ବ୍ରାହ୍ମଣ ମାନେ ପରିଚାଳନା କରିଥିବା ବେଳେ ବଟେଶ୍ୱର ଉନ୍ନୟନ କମିଟି ପକ୍ଷରୁ ସହଯୋଗ କରାଯାଇଥିଲା। ଏହି ଅବସରରେ ୪ ରାତି ମୁକ୍ତାକାଶ ମଞ୍ଚ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।