ଏରସମା- ବାଲିକୁଦା ନିର୍ବାଚନ ମଣ୍ଡଳୀ ମଇଦାନରେ ଶେଷଦେବ
ଭୁବନେଶ୍ବର, (ଯୁଗାବ୍ଦ ନ୍ୟୁଜ):ନବେ ଦଶକରୁ କଂଗ୍ରେସ ହଟାଓ, ଛାତ୍ର ରାଜନୀତିରେ ରାଜନୈତିକ ଜୀବନ ଆରମ୍ଭ କରିଥିବା ପରବର୍ତ୍ତୀ ଜୀବନରେ ଉଭୟ ବାମ ଗଣତାନ୍ତ୍ରିକ ରାଜନୀତିରେ ସମୟ ଦେଇ ପରେ ସଂପୂର୍ଣ୍ଣ ଭାବେ କୃଷକ ଆନ୍ଦୋଳନରେ ଝାସ୍ ଦେଇ ବାରମ୍ବାର ଜେଲ୍ ଯାଇଥିବା ଓ ସରକାରଙ୍କ ତରଫରୁ ବହୁ ମିଥ୍ୟା ମକଦମାର ଶରବ୍ୟ ହୋଇଥିବା ଶ୍ରୀ ନନ୍ଦ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ପୂର୍ବରୁ ତୀବ୍ର ଜନଆନ୍ଦୋଳନ ମାଧ୍ୟମରେ ଚାଷୀ, ବେକାରୀ ଓ ଗରିବି ଜନତାର ନ୍ୟାୟ ପୂର୍ଣ୍ଣ ଦାବୀ ହାସଲର ଭରଷା ରଖିଥିବା ଶ୍ରୀ ନନ୍ଦ ଏଥର ଇଭିଏମ୍ ମେସିନକୁ ପରିବର୍ତ୍ତନର ଅସ୍ତ୍ର ଭାବେ ଆପଣାଇଛନ୍ତି। ନବନିର୍ମାଣ କୃଷକ ସଂଗଠନ ତରଫରୁ ରାଜ୍ୟ କାର୍ଯ୍ୟାଳୟରେ ଘୋଷିତ ପ୍ରାର୍ଥୀ ତାଲିକାରେ ତାଙ୍କୁ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ନାମ ଘୋଷଣା ହୋଇଛି। ନାମ ଘୋଷଣା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାକ୍ଷାତକାର ଦେଇ ଶ୍ରୀ ନନ୍ଦ କହିଛନ୍ତି ଯେ, ଆମେ ସଂସଦୀୟ ରାଜନୀତି ପ୍ରତି ବର୍ଷ ବର୍ଷ ଧରି ଅନାଗ୍ରହ ପ୍ରକାଶ କରିଥିଲେ। କିନ୍ତୁ ଚାଷୀମାନଙ୍କ ନ୍ୟାୟ ସଂଗତ ଦାବୀ ନେଇ ଅହିଂସକ ଉପାୟରେ ଆନ୍ଦୋଳନ କଲା ବେଳେ ସରକାର ଯେଭଳି ବର୍ଷ ବର୍ଷ ଧରି ଆମକୁ ଭୁବନେଶ୍ବରରେ ପୂରାଇ ଦେଲେ ନାହିଁ ତାହାହିଁ ଆମକୁ ପ୍ରତ୍ୟକ୍ଷ ରାଜନୀତିରେ ଭାଗ ନେବା ପାଇଁ ବାଧ୍ୟ କରିଛି। ମୁଁ ଏଥର କେବଳ ଚାଷୀ ପ୍ରସଙ୍ଗ ନେଇ ନିର୍ବାଚନକୁ ଓହ୍ଲାଉନାହିଁ। ବରଂ ପୂରା ବ୍ୟବସ୍ଥାର ପରିବର୍ତ୍ତନ ଏବଂ ଆମ ବ୍ୟବସ୍ଥା କିଭଳି ଜନତାଙ୍କୁ ଗଣତନ୍ତ୍ରର ତନ୍ତ୍ରରେ ତ୍ରସ୍ତ ନକରି ଜନତା ସେବାରେ ନିୟୋଜନ ହେବ ସେଭଳି ରାଜନୀତିର ଇସ୍ତାହାର ଧରି ମଇଦାନକୁ ଓହ୍ଲାଇବୁ। ଶାସକର କଳ, ବଳ, ଅପକୌଶଳ ବିରୁଦ୍ଧରେ ଜନଶକ୍ତିକୁ ଜାଗ୍ରତ କଲେ ନିର୍ବାଚନ ମଇଦାନରେ କିଭଳି ପ୍ରାର୍ଥୀ ଜିତି ପାରିବେ ଓ କେବଳ ଖଣ୍ଡେ ଖଣ୍ଡେ ଭଲ ଭୋଟରେ ଗୋଟେ ଭଲ ନ୍ୟାୟପୂର୍ଣ୍ଣ ଉତ୍ତରଦାୟୀ ଶାସନ ବ୍ୟବସ୍ଥା ଆସି ପାରିବ ସେ କଥା ଭୋଟରଙ୍କୁ ବୁଝାଇବୁ। ଯାହା କେଜ୍ରିଓ୍ବାଲ, ରେବନ୍ତ ରେଡ୍ଡୀ ଓ ଜଗନ ରେଡ୍ଡୀଙ୍କ ପରି ଭଲ ଶାସନ ଦେଇ ପାରିବ। ଏଭଳି ପ୍ରଚାର ଆମେ ନିର୍ବାଚନରେ କରିବୁ। ୨ ମାସ ଧରି ତୃଣମୂଳ ତୋଫାନି ଅଭିଯାନରେ ଲୋକେ ଏଭଳି ବିଚାରକୁ ଆଖିବୁଜା ସମର୍ଥନ ଦେଇଛନ୍ତି ଏରସମା-ବାଲିକୁଦାର ଶତାଧିକ ଗାଁରେ ଏଭଳି ଅଭିଯାନ ଶ୍ରୀ ନନ୍ଦ ଚଳାଇଛନ୍ତି। ଆମେ ଜନତାକୁ ପୂରା ବିଶ୍ବାସ ଦେଇଛୁ ଯେ, ଏ ଦେଶ ସେମାନଙ୍କର, ଏଦେଶର ସମସ୍ତ ଅର୍ଥ ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ରୋଜଗାରର ଗ୍ୟାରେଣ୍ଟିରେ ଖର୍ଚ୍ଚ ହେବ। ଏଭଳି ଏକ ବ୍ୟବସ୍ଥା ପରିବର୍ତ୍ତନର ସ୍ବପ୍ନରେ ନିର୍ବାଚନ ମଇଦାନକୁ ଶ୍ରୀ ନନ୍ଦ ଓହ୍ଲାଇଛନ୍ତି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।


