ଗଜପତିରେ ସମସ୍ତ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଲା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ୨ ବିଧାନସଭା ନିର୍ବାଚନ ମଣ୍ଡଳୀ ମୋହନା ଏବଂ ପାରଳାଖେମୁଣ୍ଡିରୁ ମୋଟ ୧୯ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ଶୁକ୍ରବାର ଦାଖଲ ହୋଇଥିବା ନାମାଙ୍କନପତ୍ରର ଯାଞ୍ଚ ପରେ ସମସ୍ତ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ ରହିଥିବା ଜଣାଯାଇଛି। ଆସନ୍ତା ୨୯ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିନ ରହିଛି | ମୋହନା ବିଧାନସଭା ଆସନ ପାଇଁ ୮ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ | ପ୍ରାର୍ଥିପତ୍ର କାଏମ ରହିଥିବା ପ୍ରାର୍ଥୀ ହେଲେ ବିଜେଡିର ଅନ୍ତର୍ଯ୍ୟାମୀ ଗମାଙ୍ଗ, ବିଜେପିର ପ୍ରଶାନ୍ତ କୁମାର ମଲ୍ଲିକ, କଂଗ୍ରେସର ଦାଶରଥ୍ ଗମାଙ୍ଗ, ମାନସ ଲୋକଶକ୍ତି ଦଳର ଜହନ ମଲ୍ଲିକ ଏବଂ ସ୍ବାଧୀନ ପ୍ରାର୍ଥୀ ମୋଜେଶ ଦଳବେହେରା, ଦଣ୍ଡାସୀ ଖଣ୍ଡୁଆଳ, ରୁବେନ ମଣ୍ଡଳ ଓ ପୂର୍ଣ୍ଣ ଚନ୍ଦ୍ର ଗମାଙ୍ଗ | ସେହିପରି ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ୧୧ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ଏହି ଆସନ ପାଇଁ ବିଜେଡିର ଙ୍ଗ ରୂପେଶ କୁମାର ପାଣିଗ୍ରାହୀ, ବିଜେପିର କେ.ନାରାୟଣ ରାଓ, କଂଗ୍ରେସର ବିଜୟ କୁମାର ପଟ୍ଟନାୟକ, ଫରୱାର୍ଡ ବ୍ଲକର ପି. ମୂରଲୀ କ୍ରିଷ୍ଣା, ଆପ ଦଳର ମନୋଜ ବଡନାୟକ, ଇଣ୍ଡିଆ ପ୍ରଜାବନ୍ଧୁ ପାର୍ଟିର ଆମୋଦ କୁମାର ବଦ୍ଧନ, ମାନସ ଲୋକଶକ୍ତି ଦଳର ପବିନ୍ଦ୍ର ସିଂ ଏବଂ କେବଳ ଜଣେ ମାତ୍ର ମହିଳା ପ୍ରାର୍ଥୀ ଭାବେ ନ୍ୟାସନାଲ ଆପନୀ ପାଟର ପ୍ରୀତିଲତା ପଟ୍ଟନାୟକ। ତେବେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ନିର୍ବାଚନ ରଣାଙ୍ଗନରେ କେଉଁ ପ୍ରାର୍ଥୀ ଲଢିବେ ସେନେଇ ଚୂଡାନ୍ତ ତାଲିକା ୨୯ ତାରିଖରେ ପ୍ରକାଶ ପାଇବ । ଜିଲ୍ଲାର ଏହି ଦୁଇ ବିଧାନସଭା ଆସନରେ ପ୍ରାୟତଃ ପ୍ରାର୍ଥୀ ପ୍ରଚାର ପାଇଁ ସଜବାଜ ହେଉଛନ୍ତି I ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ପ୍ରଚାର ଆରମ୍ଭ କରିଦେଇଛନ୍ତି।


