କମ୍ ଚାଉଳ ବଣ୍ଟନକୁ ନେଇ ଉତ୍ତେଜନା:ପିଇଓ ଏବଂ ସମିତି ସଭ୍ୟ ମୁହାଁମୁହିଁ
ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଚୂଡ଼ାକୁଟି ପଞ୍ଚାୟତ ଅଧିନସ୍ଥ ବିଦ୍ୟାଧରପୁର ଛକ ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସରୋଜ ନାୟକଙ୍କ ଉପସ୍ଥିତିରେ ଡିଲରଙ୍କ ଜରିଆରେ ଚାଉଳ ବଣ୍ଟନ ଚାଲିଥିଲା।ହିତାଧିକାରୀଙ୍କ ନାମ କଟିବା ଓ କମ୍ ପରିମାଣରେ ଚାଉଳ ଦିଆଯାଉଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ଚୂଡ଼ାକୁଟି ପଞ୍ଚାୟତ ସମିତି ସଭ୍ୟ ଜ୍ଞାନରଞ୍ଜନ ମହାକୁଡ଼ ଘଟଣାସ୍ଥଳରେ ପହଞ୍ଚି ପିଇଓ ସରୋଜ ନାୟକଙ୍କୁ ପଚାରି ଥିଲେ। ସରକାରୀ ନିୟମ ଅନୁସାରେ ବଡ଼ ଲୋକଙ୍କୁ ୭କିଲୋ ଏବଂ ଛୁଆଙ୍କୁ ୩ କିଲୋ ୫୦୦ କରି ଦେବା ପାଇଁ ସରକାର ଘୋଷଣା କରିଛନ୍ତି। ପୂର୍ବ ତାଲିକାରୁ କେତେକ ହିତାଧିକାରୀଙ୍କ ନାମ କଟିବା ଏବଂ ୬ ଏବଂ ୩ କିଲୋ ନିର୍ଦ୍ଧାରିତ ପରିମାଣଠାରୁ କମ୍ ଚାଉଳ ଦିଆଯାଉଥିବା ନେଇ ଅଭିଯୋଗ କରିଛନ୍ତି। କାହା ନିର୍ଦ୍ଦେଶରେ ହିତାଧିକାରୀଙ୍କ ନାମ ତାଲିକାରୁ ବାଦ୍ ପଡ଼ିଲା ଏବଂ ଚାଉଳ କମ୍ ପରିମାଣରେ କାହିଁକି ଦିଆଯାଉଛି ସେ ନେଇ ପ୍ରଶ୍ନ ଉଠାଇଥିଲେ। ଏହାକୁ କେନ୍ଦ୍ର କରି ସମିତି ସଭ୍ୟ ଓ ପିଇଓଙ୍କ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ଯୁକ୍ତିତର୍କ ଓ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି।ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ପରେ ଘଟଣାସ୍ଥଳରୁ ପିଇଓ ଛାଡ଼ି ଚାଲିଯାଇଥିଲେ। ଫଳରେ ଚାଉଳ ବଣ୍ଟନ ପ୍ରକ୍ରିୟା ଅଧାରେ ବନ୍ଦ ହୋଇଥିବା ସୂଚନା ମିଳିଛି।ତେବେ ହିତାଧିକାରୀଙ୍କ ନାମ ବାଦ୍ ପଡ଼ିବା ଓ କମ୍ ପରିମାଣରେ ଚାଉଳ ଦିଆଯାଇଥିବା ଅଭିଯୋଗର ପ୍ରକୃତ କାରଣ କ’ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଦିଆଯିବ ବୋଲି ସମିତି ସଭ୍ୟ ସୂଚନା ଦେଇଛନ୍ତି।ତେବେ ଖବର ଲେଖିବା ପର୍ଯ୍ୟନ୍ତ ବିଡ଼ିଓ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଯୋଗାଯୋଗ କଲେ ମଧ୍ୟ ଯୋଗାଯୋଗ ହୋଇ ପାରିଲାନାହିଁ।


