ଏସ୍‌ସିବି ମେଡିକାଲରେ ଦେଢ଼ କୋଟି ଟଙ୍କା କେଳେଙ୍କାରୀ : ଦୁର୍ନୀତିର ଚେର ଭେଦିପାରୁନି ପୋଲିସ

କଟକ, (ଓ୍ବାଇଏନଏସ): ଏସ୍‌ସିବି ମେଡିକାଲରେ ଟିଏ, ଡିଏ, ଲିଭ୍ ସାଲାରି କେଳେଙ୍କାରୀ ଚେର ଭେଦ କରିପାରୁନି ପୁଲିସ । ଦେଢ଼ କୋଟି ଟଙ୍କା ଚଳୁ ହୋଇଥିବାର ଅଡିଟ୍ ରିପୋର୍ଟକୁ ପୁଲିସ ଦୀର୍ଘ ୨୦ ଦିନରୁ ଅଧିକ ସମୟ ହେବ ଅନୁଧ୍ୟାନ କରୁଥିଲେ ହେଁ ତଦନ୍ତରେ ବିଶେଷ ଅଗ୍ରଗତି ହୋଇପାରିନାହିଁ । କେବଳ ଘରୋଇ ଡାଟା ଏଣ୍ଟ୍ରି ଅପରେଟରକୁ ଗିରଫ କରିବା ଛଡ଼ା ପୁଲିସ ଆଉ ବିଶେଷ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିନାହିଁ । ଉକ୍ତ ଘଟଣାରେ ପୁଲିସର ତଦନ୍ତ କହିଲେ, ଡ୍ରଇଁ ଡିସ୍ବୋଜାଲ୍ ଅଫିସର(ଡିଡିଓ) ଓ ଆକାଉଣ୍ଟାଣ୍ଟ୍କୁ ୩/୪ ଥର ଡାକି ପଚରା ଉଚରା କରିଛି । ଏହା ବ୍ୟତୀତ ପୁଲିସ ଏହି ଘଟଣାରେ ବିଶେଷ କିଛି ଆଖିଦୃଷ୍ଟିଆ ପଦକ୍ଷେପ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିନାହିଁ ।ଅପରପକ୍ଷରେ ମେଡିକାଲ ଅଧୀକ୍ଷକଙ୍କ ପକ୍ଷରୁ ଚାଲିଥିବା ପ୍ରଶାସନିକ ତଦନ୍ତରେ ମଧ୍ୟ କାହା ବିରୋଧରେ ଅଦ୍ୟାବଧି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ହେବ ଏସ୍‌ସିବି ମେଡିକାଲ କର୍ମଚାରୀଙ୍କ ଟିଏ, ଡିଏ ବାବଦରେ ଦେଢ଼ କୋଟି ଟଙ୍କା ହରିଲୁଟ୍ ହୋଇଥିଲେ ହେଁ ଦାୟିତ୍ୱରେ ଥିବା ଅଫିସର କିମ୍ବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ଚର୍ଚ୍ଚାର ବିଷୟ ହୋଇଛି । କେଳେଙ୍କାରୀ ପ୍ରମାଣ ଏଜି ଅଡିଟ୍ ଟିମ୍ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦେଇସାରିଥିଲେ ହେଁ ଏତେ ବଡ଼ ଦୁର୍ନୀତି ଘଟଣାକୁ କର୍ତ୍ତୃପକ୍ଷ ହାଲୁକା ଭାବେ ନେବା ଅନ୍ୟ କର୍ମଚାରୀ ଓ ବିଭାଗୀୟ ବିଶେଷଜ୍ଞମାନଙ୍କୁ ତାଜୁବ୍ କରିଛି । ମେଡିକାଲ କର୍ତ୍ତୃପକ୍ଷ ଓ ପୁଲିସର ତଦନ୍ତରେ ଶିଥିଳତାର କାରଣ ବୁଝାପଡ଼ୁନାହିଁ ବୋଲି ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଅନ୍ୟପକ୍ଷରେ ଘରୋଇ ଠିକା ସଂସ୍ଥାର ଡାଟା ଏଣ୍ଟ୍ରି ଅପରେଟର ଟିଏ, ଡିଏ ଆର୍ଥିକ ସହାୟତାକୁ ଆବେଦନକାରୀ କର୍ମଚାରୀଙ୍କ ଆକାଉଣ୍ଟ୍କୁ ପଠାଇବା ବଦଳରେ ନିଜ ଆକାଉଣ୍ଟ୍କୁ ଅନେକ ସମୟରେ ନେଉଥିଲେ । ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ହେବ ସେ ୧ କୋଟି ୪୦ ଲକ୍ଷରୁ ଅଧିକ ଟଙ୍କା ନେଇ ଆତ୍ମସାତ କରିଥିବାର ଅଡିଟ୍ରେ ଧରାପଡ଼ିଥିଲା । ଏହି ଘଟଣା ଏଜି ଅଡିଟ୍ ଧରିବା ପରେ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ୍ରମେ ଅର୍ଥ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଅଡିଟ୍ ଏହାର ଖୋଳତାଡ଼ କରୁଛି । ତେବେ ଟିଏ, ଡିଏ ବାବଦରେ କର୍ମଚାରୀଙ୍କ ନାଁରେ ପ୍ରସ୍ତୁତ ହେଉଥିବା ବିଲ୍ରେ ଏଚ୍ଆର୍ଏମ୍ଏସ୍ ପୋର୍ଟାଲ୍‌ରେ ଗୋଟିଏ ଆକାଉଣ୍ଟ୍ ନମ୍ବର ଅପଲୋଡ୍ ହୋଇଥିବା ବେଳେ ଆଇଏଫ୍ଏମ୍ଏସ୍ ପୋର୍ଟାଲ୍‌ରେ ଆଉ ଏକ ଆକଉଣ୍ଟ୍ ନମ୍ବର ଉଲ୍ଲେଖ ରହିଛି । କର୍ମଚାରୀମାନଙ୍କ ଟିଏ, ଡିଏ ବିଲ୍, ଟ୍ରେଜେରୀ ପଠାଯାଉଥିବା ବିଲ୍ ଓ ଡ୍ରଇଁ ଡିସବୋଜାଲ୍ ଅଫିସର(ଡିଡିଓ)ଙ୍କ ସାର୍ଟିଫିକେଟ୍ ପ୍ରଦାନରେ ତାଳମେଳ ନାହିଁ । ସ୍ପେସାଲ୍ ଅଡିଟ୍‌ରେ ଏପରି ଅନେକ କେଳେଙ୍କାରୀ ଧରାପଡ଼ିଛି । ସରକାରୀ କର୍ମଚାରୀଙ୍କ ଦରମା ବିଲ୍ ଓ ଅନ୍ୟାନ୍ୟ ସରକାରୀ ଆର୍ଥିକ ସୁବିଧା ପ୍ରଦାନ ଲାଗି ବ୍ୟବହାର ହେଉଥିବା ଦୁଇଟି ଯାକ ପୋର୍ଟାଲ୍ ଘରୋଇ ସଂସ୍ଥାର ଡାଟା ଏଣ୍ଟ୍ରି ଅପରେଟରର ନିୟନ୍ତ୍ରଣରେ ଥିଲା। ଆଇଏଫ୍ଏମ୍ଏସରେ ପୋର୍ଟାଲ୍‌ରେ ଟ୍ରେଜେରୀକୁ ପଠାଯାଉଥିବା ବିଲ୍‌ରେ ଡିଡିଓଙ୍କ ଡିଜିଟାଲ୍ ଦସ୍ତଖତ ଡାଟା ଏଣ୍ଟ୍ରି ଅପରେଟର ଅଭିଯୁକ୍ତ ଦୀନେଶ ନିୟନ୍ତ୍ରଣ କରୁଥିଲା । ଡିଡିଓଙ୍କ ଆଇଡିରେ ଥିବା ଆଇଏଫ୍ଏମ୍ଏସ୍‌ରେ ଜିଲ୍ଲା ଟ୍ରେଜେରୀକୁ ରୀତିମତ ପଠାଯାଉଥିବାର ଜଣାଯାଇଛି । ଏକ ଘରୋଇ ସଂସ୍ଥାର ଜଣେ ଠିକା ଡାଟା ଏଣ୍ଟ୍ରି ଅପରେଟର କିପରି ଡିଡିଓଙ୍କ ୟୁଜର ଆଇଡି ଏବଂ ପାସ୍ୱାର୍ଡ ବ୍ୟବହାର କରୁଥିଲା ଏହାର ଅଧିକ ତଦନ୍ତ ହେବା ଉଚିତ୍ ବୋଲି ହସ୍ପିଟାଲର ଜଣେ ଅଧିକାରୀ କହିଛନ୍ତି । ସେହିପରି ସରକାରୀ ଆର୍ଥିକ ବ୍ୟାପର କାଗଜପତ୍ର ଆକାଉଣ୍ଟ୍ କିପରି ଡାଟା ଏଣ୍ଟ୍ରି ଅପରେଟର ହାତରେ ଛାଡ଼ି ଦେଇଥିଲେ ତାହାର ମଧ୍ୟ ତଦନ୍ତ ହେବା ଉଚିତ୍ ବୋଲି କର୍ମଚାରୀ ମହଲରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ