ମା ନୀଳମଣି ଦୁର୍ଗାଙ୍କ ଦିନିକିଆ ପ୍ରସିଦ୍ଧ ଠାକୁରାଣୀ ପର୍ବ ଉଦଯାପିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଖଞ୍ଜା ସାହିଠାରେ ଥିବା ପ୍ରସିଦ୍ଧ”ନୀଳମଣି ଦୁର୍ଗା”ମାଙ୍କ ଦିନିକିଆ ଠାକୁରାଣୀ ପର୍ବ ମହା ଆଡ଼ମ୍ବରରେ ପାଳିତ ହୋଇ ଉଦଯାପିତ ହୋଇଯାଇଛି. ଗତକାଲି ସକାଳୁ ମାଙ୍କୁ ପ୍ରଥମେ ସମ୍ପୂର୍ଣ୍ଣ ନୀତି ଅନୁସାରେ ଅସ୍ଥାୟୀ ଭାବେ ପ୍ରତିଷ୍ଠା କରାଯାଇଥିଲା। ପରେ ତାଙ୍କର ପୂଜାର୍ଚ୍ଚନା ମଧ୍ୟ ଅନୁଷ୍ଠିତ ହେଇଥିଲା। ମାଙ୍କୁ ସହରରେ ଥିବା ଦେବୀ ପୀଠ ଗୁଡ଼ିକୁ ଭ୍ରମଣରେ ନିଆଯାଇ ସେଠାରେ ପୂଜା ପୂଜି କରାଯାଇଥିଲା। ଭ୍ରମଣ ସମୟରେ ବାଦ୍ୟର ତାଳେ ତାଳେ ସାରା ଅଞ୍ଚଳ ଦୁଲୁକି ଉଠିଥିଲା। ସନ୍ଧ୍ୟା ସମୟରେ ମାଙ୍କର ଘଟକୁ ସମ୍ପୂର୍ଣ୍ଣ ଭାବେ ସୁସଜ୍ଜିତ କରାଯାଇଥିଲା। ଅଞ୍ଚଳକୁ ଆଲୋକ ମାଳରେ ସଜା ଯାଇଥିଲା। ଦର୍ଶନ ପାଇଁ ଦୂର ଦୁରନ୍ତରୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା। ମାଙ୍କ ବିଗ୍ରହ ଖଞ୍ଜା ସାହି ମଧ୍ୟ ଭାଗରେ ଥିବା ଏକ ବହୁ ପୁରାତନ ଓସ୍ତ ଗଛ ମୂଳରେ ଏକ ଛୋଟ ମନ୍ଦିର ଭିତରେ ପୂଜା ପାଏ। ଏହି ପର୍ବ ପ୍ରତି ୩ବର୍ଷରେ ଥରେ ଅନୁଷ୍ଠିତ ହୁଏ। ପ୍ରତି ପରିବାରର ସମ୍ପର୍କୀୟ ମାନେ ଏଥିରେ ସାମିଲ ହେବାକୁ ବିଭିନ୍ନ ସ୍ଥାନରୁ ଆସନ୍ତି। ଏହି ମା ଭାରି ପ୍ରତ୍ୟକ୍ଷ ବୋଲି ସାଧାରଣରେ ବିଶ୍ବାସ ରହିଛି। ସହରର ଏହା ଏକ ପୁରାତନ ପୀଠ ବୋଲି କୁହାଯାଏ ଏହି ଦିନ ସାରା ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଭାବ ସୃଷ୍ଟି କରିଥିଲା। ପାରଳାଖେମୁଣ୍ଡି ସହରରେ ଏପରି ଠାକୁରାଣୀ ପର୍ବ ସହରକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥାଏ। ଖଞ୍ଜା ସାହିର ଏହି ପର୍ବ ପାରଳା ସଂସ୍କୃତିର ଏକ ନିଆରା ପରମ୍ପରା ଅଟେ।