ନିଆରା ପରମ୍ପରା ରଥାରୁଢ଼ ହେବାକୁ କଳାଠାକୁର ଆସନ୍ତି ପାଲିଙ୍କିରେ
ନିମାପଡ଼ା,(ସନ୍ତୋଷ ଦାଶ):ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥାଏ ଘୋଷଯାତ୍ରା। ତେବେ ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ତୁଳସୀପୁର ବ୍ରାହ୍ମଣ ଶାସନରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ଏକ ନିଆରା ଢଙ୍ଗରେ। ଏହି ଗ୍ରାମରେ ଆଜକୁ ୬୦ ବର୍ଷରୁ ଉର୍ଦ୍ଧ ହେବ ପାଳିତ ହୋଇ ଆସୁଛି ରଥଯାତ୍ରା। ତେବେ ଉକ୍ତ ଗ୍ରାମର ଗ୍ରାମବାସୀ ମାନେ ରଥ ନିର୍ମାଣ କରି ସାରିବା ପରେ ଯାଇ ପହଞ୍ଚନ୍ତି ଗ୍ରାମ ଠାରୁ ୩/୪ କିଲୋମିଟର ଦୂର ପ୍ରାଚୀନଦୀ କୂଳ ବନ୍ଦେଶ୍ୱର ଗ୍ରାମରେ।ସେଠାରେ ପୂଜାପାଇ ଆସୁଥିବା ପ୍ରଭୁ ଶ୍ରୀ ଗୁରୁଦେବ ଠାକୁରଙ୍କୁ ନବବସ୍ତ୍ର ପିନ୍ଧାଇ, ପୁଷ୍ପ, ଅଳଙ୍କାରରେ ଭୂଷିତ କରାଇ, ତାଙ୍କ ନିକଟରେ ଅନ୍ନପ୍ରସାଦ ଭୋଗ ଲାଗି କରାଇ ଏକ ସୁସଜ୍ଜିତ ପାଲିଙ୍କିରେ ବାଣ ଫୁଟାଇ, ବାଜା ବଜାଇ ଶୋଭାଯାତ୍ରାରେ ନିଜ ଗାଁକୁ ଆଣି ରଥାରୁଢ଼ କରାଇବା ପରେ ଗାଁରେ ରଥଯାତ୍ରା ଅନୁଷ୍ଠିତ ହୁଏ। ଡାହୁକ ଗୀତ, ଘଣ୍ଟ ମୃଦଙ୍ଗ,
ହରିବୋଲ ହୁଳହୁଳି ଶବ୍ଦରେ ରଥ ଗଡିଥାଏ ଗାଁ ଦାଣ୍ଡ ରେ। ଠାକୁର ଘର ଘର ଭୋଗ ଖାଇ ଶେଷରେ ପହଞ୍ଚନ୍ତି ଗାଁର ଆରାଧ୍ୟା ଦେବୀ ମା କନକ ଦୂର୍ଗାଙ୍କ ମନ୍ଦିରରେ। ସେହି ଦେବୀ ପୀଠ ୯ଦିନ ପାଇଁ ପାଲଟିଯାଏ ଶ୍ରୀ ଗୁଣ୍ଡିଚା ମନ୍ଦିର ଭାବେ। ନେତ୍ରୋତ୍ସବ ଦିନ ଗାଁର ମହିଳା ମାନେ ମନ୍ଦିରକୁ ଶୁଦ୍ଧ ଜଳରେ ଧୁଆ ଧୋଇ କରି ପରିଷ୍କାର କରି ଦେଇଥାନ୍ତି। ବାହୁଡା଼ ଯାତ୍ରା ପର୍ଯ୍ୟନ୍ତ ମା କନକ ଦୂର୍ଗାଙ୍କ ମନ୍ଦିରରେ ଅବସ୍ଥାନ କରୁଥିବା ଶ୍ରୀ ଗୁରୁଦେବ ଠାକୁରଙ୍କ ନିକଟରେ ଗ୍ରାମବାସୀ ମାନେ ପାଳି କରି ଅନ୍ନ ପ୍ରସାଦ,ଖରି ଭୋଗ ଲାଗି କରିଥାନ୍ତି। ବାହୁଡା଼ ଯାତ୍ରା ଦିନ ଶ୍ରୀ ଗୁରୁଦେବଙ୍କୁ ରଥାରୁଢ଼ କରି ଗ୍ରାମବାସୀମାନେ
ଗାଁ ଶେଷ ମୁଣ୍ଡକୁ ନେଇଥାନ୍ତି। ବାଟରେ ମାଉସୀ ମା ଘର ଭାବେ ପରିଚିତ ଲଳିତ ଶତପଥୀଙ୍କ ପରିବାର ପକ୍ଷରୁ ପ୍ରସ୍ତୁତ ପୋଡ଼ପିଠା ଭୋଗ ଠାକୁରଙ୍କୁ ଅର୍ପଣ କରାଯାଏ। ରଥ ଉପରେ ସୁନାବେଶ, ଅଧରପଣା ନୀତି ପାଳନ ହୋଇଥାଏ। ନିଳାଦ୍ରୀ ବିଜେ ଦିନ ଠାକୁରଙ୍କୁ ପାଲିଙ୍କିରେ ବସାଇ ଏକ ଶୋଭାଯାତ୍ରାରେ ତାଙ୍କ ବନ୍ଦେଶ୍ୱର ସ୍ଥିତ ମନ୍ଦିରକୁ ନେଇ ଗ୍ରାମବାସୀ ମାନେ ଛାଡି ଆସିଥାନ୍ତି। ୯ଦିନ ପାଇଁ ତୁଳସୀପୁର ବ୍ରାହ୍ମଣ ଶାସନ ପାଲଟିଯାଏ ଦ୍ୱିତୀୟ ଶ୍ରୀ କ୍ଷେତ୍ର। ରଥଯାତ୍ରା ପାଇଁ ଗାଁଟି ଉତ୍ସବ ମୁଖର ହୋଇପଡେ। ବନ୍ଦେଶ୍ୱର ଗ୍ରାମର ଠାକୁର ଶ୍ରୀ ଗୁରୁଦେବ ପାଲିଙ୍କିରେ ତୁଳସୀପୁର ଗ୍ରାମକୁ ଯାଇ ରଥଯାତ୍ରା କରି ପୁଣି ସ୍ଵ ମନ୍ଦିରକୁ ଫେରିଆସିବା ଏକ ନିଆରା ପରମ୍ପରା ଭାବେ ରହି ଆସିଛି କାହିଁ କେତେ କାଳରୁ।