ଅଦରକାରୀ ସାମଗ୍ରୀରେ ୧୪ ଇଞ୍ଚର ଜଗନ୍ନାଥ ମୁର୍ତ୍ତିଙ୍କ ପ୍ରତିମୂର୍ତ୍ତି ନିର୍ମାଣ କଲେ ବି-ଟେକ ଛାତ୍ରୀ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ରାତି ପାହିଲେ ରଥଯାତ୍ରା । ରଥଯାତ୍ରାକୁ ନେଇ ବିଶ୍ୱବାସୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଲାଣି । ସେପଟେ ରଥଯାତ୍ରା ପାଇଁ ପୁରୀରେ ରଥ ଆଉ ପଥ ଦୁହେଁ ପ୍ରସ୍ତୁତ ହୋଇ ସାରିଲେଣି । ଅଣସର ବେଦୀରୁ ଆସି ନବ ଯୌବନ ବେଶରେ ଦର୍ଶନ ଦେଇଛନ୍ତି ଶ୍ରୀ ଜିଉ । ରବିବାର ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ବିଭିନ୍ନ ବାଦ୍ୟ ବାଜଣାର ତାଳେ ତାଳେ ପହଣ୍ଡି ହୋଇ ରଥ ଉପରକୁ ବିଜେ କରିବେ ମହାବାହୁ । ଶନିବାର ଶ୍ରୀ ଜିଉଙ୍କ ନବ ଯୌବନ ବେଶ ଦର୍ଶନ ଅବସରରେ ଛତ୍ରପୁର ସହରର ଦେବୀ ନଗର ସାହିର ବି-ଟେକ ଛାତ୍ରୀ ଶୁଭସ୍ମିତା ପଣ୍ଡା ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ଚର୍ଚ୍ଚାରେ ରହିଥିବା ଦେଖିବାକୁ ମିଳିଛି । ବିଭିନ୍ନ ପ୍ରକାର ଅଦରକାରୀ ସାମଗ୍ରୀରେ ବ୍ୟବହାରରେ ଶୁଭସ୍ମିତା ୧୪ ଇଞ୍ଚ ଉଚ୍ଚତାର ଶ୍ରୀ ଜଗନ୍ନାଥ ଓ ବଳଭଦ୍ର ମୂର୍ତ୍ତି ନିର୍ମାଣ କରିଥିବା ବେଳେ ତାଙ୍କ ଦ୍ୱାରା ନିର୍ମିତ ଦେବୀ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ରହିଛି ୧୧ ଇଞ୍ଚ । ଏହି ମୂର୍ତ୍ତି ନିର୍ମାଣ କରିବା ପାଇଁ ତାଙ୍କୁ ଦୁଇ ଦିନ ସମୟ ଲାଗିଥିବା ସେ କହିଛନ୍ତି । ଶୁଭଶ୍ମିତା ପାରଳା ମହାରାଜ ଇଞ୍ଜିନିୟରିଂ ସ୍କୁଲର ବି -ଟେକ ଛାତ୍ରୀ । ବାପା ସୁରେନ୍ଦ୍ର ପଣ୍ଡାଙ୍କ ସହ ଯୋଗରେ ଶୁଭଶ୍ମିତା ଏହି ମୂର୍ତ୍ତି ନିର୍ମାଣ କରି ସହରରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି