ଫେସ୍ବୁକ୍ରେ ଝିଅଙ୍କୁ ପ୍ରପୋଜ କରୁଥିଲେ…
ଆଜିକାଲି ଯୁବପିଢ଼ି ସୋସାଲ ମିଡ଼ିଆରେ ଏତେ ମାତ୍ରାରେ ଜଡ଼ିତ ହୋଇଯାଉଛନ୍ତି ଯେ ଅନ୍ୟ ଜଣଙ୍କ ସହ କଥା ହେବାବେଳେ କେତେବେଳେ ଯେ ପ୍ରେମ ହୋଇଯାଉଛି ଜାଣିପାରୁ ନାହାନ୍ତି। ତେବେ ଫେସ୍ବୁକ୍ ଭଳି ସୋସାଲ ମିଡ଼ିଆରୁ ଚିହ୍ନା ପରିଚୟ ହୋଇ ପ୍ରେମ ହୋଇଗଲା ପରେ ଅନେକେ ବୁଝି ପାରି ନ ଥାନ୍ତି ପ୍ରପୋଜ କେମିତି କରିବେ। ଯେମିତିକି ଝିଅଟି ନା କହି ପାରିବ ନାହିଁ। ଯଦି ଆପଣ ମଧ୍ୟ ଏଭଳି ଅସୁବିଧାରେ ପଡ଼ିଛନ୍ତି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଏଠାରେ ଏମିତି କେତେକ ଟିପ୍ସ ଦିଆଯାଇଛି, ଯାହାକୁ ଆପଣାଇଲା ପରେ ଝିଅଟି ଆପଣଙ୍କୁ ମନା କରିପାରିବ ନାହିଁ।
ଫେସ୍ବୁକ୍ ଆକାଉଣ୍ଟ
ଫେସ୍ବୁକ୍ ଆକଉଣ୍ଟ ତିଆରି କଲାବେଳେ ଫେକ୍ ଆକାଉଣ୍ଟ ତିଆରି କରନ୍ତୁ ନାହିଁ। ଏହାକୁ ଧ୍ୟାନରେ ରଖନ୍ତୁ। ଫେକ୍ ଆକାଉଣ୍ଟ ସମ୍ପର୍କରେ ଜାଣିବା ପରେ ଝିଅମାନେ ଅଧିକ ରାଗିଯାନ୍ତି। ନିଜ ଆକାଉଣ୍ଟରେ ଭାବିଚିନ୍ତି ଫଟୋ ଦିଅନ୍ତୁ। କାରଣ ଏଥିରେ ଆପଣଙ୍କ ବ୍ୟକ୍ତିତ୍ବ ପ୍ରଦର୍ଶିତ ହୁଏ।
କଥା ଆରମ୍ଭ କରନ୍ତୁ
ଝିଅଙ୍କ ସହ କଥା ହେବା ସମୟରେ ଯେତିକି ଦରକାର ସେତିକି ପ୍ରଶଂସା କରନ୍ତୁ। ମାତ୍ରାଧିକ ପ୍ରଶଂସା କରିବା ଦ୍ବାରା ଝିଅଟି ବିରକ୍ତ ହୋଇଯାଏ। ଯଦି ଝିଅଟିକୁ ପୂର୍ବରୁ ଜାଣିଛନ୍ତି, ତେବେ ନର୍ମାଲ ଯେମିତି କଥା ହୁଅନ୍ତି ସେମିତି ହୁଅନ୍ତୁ। କଥା ହେବା ସମୟରେ ଆପଣଙ୍କ ମନ କଥା ଟିକେ ଟିକେ ସୂଚନା ଦେବାକୁ ଚେଷ୍ଟା କରନ୍ତୁ। ଏଥିସହିତ ଉକ୍ତ ଝିଅଙ୍କ ମନରେ ଆପଣଙ୍କ ପାଇଁ କ’ଣ ଅଛି, ତାହା ମଧ୍ୟ ଜାଣିବାକୁ ଚେଷ୍ଟା କରନ୍ତୁ।
ବିଶ୍ବାସ ଜିତନ୍ତୁ
କୌଣସି କଥାକୁ ନେଇ ଝିଅଟିକୁ ମିଛ କହନ୍ତୁ ନାହିଁ। ଯଦି ଆପଣ ତାଙ୍କୁ କିଛି ବି ମିଛ କହୁଛନ୍ତି, ତେବେ ପ୍ରପୋଜ କଲାବେଳେ ସମସ୍ୟା ହୋଇପାରେ। ତେଣୁ ସୋସାଲ ମିଡ଼ିଆରେ କଥା ହେବା ସମୟରେ ସବୁବେଳେ ତାଙ୍କୁ ସତ କହନ୍ତୁ। ତାଙ୍କ ବିଶ୍ବାସ ଜିତିବାକୁ ଚେଷ୍ଟା କରନ୍ତୁ।
ଫୋନ୍ ନମ୍ବର ମାଗନ୍ତୁ ନାହିଁ
ଅନେକ ସମୟରେ ଦେଖାଯାଏ ଫେସ୍ବୁକ୍ରେ ଚାଟିଂ କରିବାର କିଛି ଦିନ ପରେ ପୁଅମାନେ ଫୋନ୍ ନମ୍ବର ମାଗିଥାନ୍ତି। ଆପଣଙ୍କୁ ଏହି ଅଭ୍ୟାସ ସମସ୍ୟାରେ ପକାଇପାରେ। ଏହାଦ୍ବାରା ସାମ୍ନାରେ ଥିବା ଝିଅ ଭାବିଥାନ୍ତି ଯେ ଆପଣ ସିରିୟସ ନୁହନ୍ତି। ତେଣୁ ସେ ଆପଣଙ୍କ ସହ କଥା ହେବା ପରିବର୍ତ୍ତେ ଅଣଦେଖା କରିବେ।
ବ୍ୟକ୍ତିଗତ କଥା ହୁଅନ୍ତୁ ନାହିଁ
ଫେସ୍ବୁକ୍ରେ କଥା ହେବାବେଳେ ଧୀରେ ଧୀରେ କଥା ଆଗକୁ ବଢ଼ାନ୍ତୁ। ଯେଉଁ ଝିଅଙ୍କୁ ଆପଣ ପସନ୍ଦ କରୁଛନ୍ତି, ତାଙ୍କ ସହ ବ୍ୟକ୍ତିଗତ ଆଲୋଚନା କରନ୍ତୁ ନାହିଁ। ଏହାଫଳରେ ଝିଅମାନେ ଶୀଘ୍ର ବୋର୍ ହୋଇଯାନ୍ତି ଓ ଆପଣଙ୍କ ସହ ଆଗକୁ କଥା ହେବାକୁ ସଙ୍କୋଚ ପ୍ରକାଶ କରନ୍ତି।