ଆଗକୁ ବଢୁଛନ୍ତି ତମନ୍ନା
ଧୀରେ ଧୀରେ ସଫଳତାର ଶିଡ଼ି ଚଢ଼ିବାରେ ଲାଗିଛନ୍ତି ତମନ୍ନା । ରିଆଲିଟି ସୋ’ ପ୍ଳାଟଫର୍ମରୁ ସିନେମାରେ ସୁଯୋଗ ପାଇଥିବା ଏହି ନାୟିକାଙ୍କୁ ନିର୍ଦ୍ଦେଶକ ସଞ୍ଜୟ ନାୟକ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଜୋକର୍’ରେ ବ୍ରେକ୍ ଦେଇଥିଲେ । କିନ୍ତୁ ତାହା ଅଧାରେ ଅଟକି ଯାଇଥିଲା । ସେ ଯାହା ହେଉନା କାହିଁକି ତମନ୍ନା ଏବେ ଓଲିଉଡ୍ର ଜଣେ ଆଗଧାଡ଼ିର ନାୟିକା ଭାବେ ମାନ୍ୟତା ପାଇଛନ୍ତି । ସେ ଇତିମଧ୍ୟରେ ‘ଭାଇନା କ’ଣ କଲା ସେ’, ‘ନିଝୁମ୍ ରାତିର ସାଥୀ’, ‘ପ୍ରେମ୍ କୁମାର’, ‘ବ୍ଲାକ୍ମେଲ’, ‘ଗୋଲମାଲ୍ ଲଭ୍’ ଏବଂ ‘ପ୍ରେମ ତୋର ନଟି ନଟି’ ଆଦି ସିନେମାରେ ନାୟିକା ବନିସାରିଲେଣି । ଚଳିତ ବର୍ଷ ତମନ୍ନାଙ୍କର ମାତ୍ର ଦୁଇଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି । ଚଳିତ ବର୍ଷ ତମନ୍ନାଙ୍କ ଲାଗି ଏଥିପାଇଁ ଖାସ୍ ଯେ, ଏ ବର୍ଷ ତାଙ୍କୁ ଓଲିଉଡ୍ର ସୁପରଷ୍ଟାର୍ ବାବୁସାନଙ୍କ ସହ କାମ କରିବାର ସୁଯୋଗ ମିଳିଛି । ଆଗରୁ ସେ, ‘ପ୍ରେମ୍ କୁମାର’ରେ ଲୋକପ୍ରିୟ ନାୟକ ଅନୁଭବଙ୍କ ନାୟିକା ବନିଥିଲେ । ଆଉ ଏକ ବଡ଼ କଥା ହେଲା ୨୦୧୯ରେ ସେ ପ୍ରଥମ ଥର ଲାଗି ଓଲିଉଡ୍ର ଦୁଇ ଷ୍ଟାର ଡିରେକ୍ଟର ଅଶୋକ ପତି ଏବଂ ଏସ୍ କେ ମୁରଲୀଧରନଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି । ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଗୋଲ୍ମାଲ ଲଭ୍’ ଏବଂ ଏସ୍ କେ ମୁରଲୀଧରନଙ୍କ ନିର୍ଦ୍ଦେଶିତ ‘ପ୍ରେମ ତୋର ନଟି ନଟି’ରେ ନଜର ଆସିଥିଲେ ତମନ୍ନା । ଆଉ ଏକ ଉଲ୍ଲେଖଯୋଗ୍ୟ ଯେ, ‘ଗୋଲମାଲ ଲଭ୍’ ପରେ ତମନ୍ନାଙ୍କୁ ଟପ୍ ନାୟିକାର ମାନ୍ୟତା ମିଳିଛି ।


