ଇଗ୍ନୋର ୩୨ତମ ସମାବର୍ତନ ଉତ୍ସବ
ଆଜି ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଏହାର ୩୨ତମ ସମାବର୍ତନ ଉତ୍ସବ ପାଳନକରିଛି । ଉତ୍ସବରେ ୧୩୧ଟି ପାଠ୍ୟକ୍ରମରେ ମୋଟ ୬୫୭୯ ଜଣଙ୍କୁ ଡିଗ୍ରୀ ମିଳିଛି । ଓଡ଼ିଶା ଆଂଚଳିକ ଶାଖା ଅନ୍ତର୍ଗତ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସୁଶ୍ରୀ ପ୍ରଜ୍ଞା ପାରମିତାଆଚାର୍ଯ୍ୟଙ୍କୁ ଜାତୀୟ ସ୍ତରରେ ସ୍ୱର୍ଣ୍ଣ ପଦକ ମିଳିଛି ।ସମାରୋହରେ କଟକର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ଡ. ଶ୍ରୀକ୍ରିଷ୍ଣ ଦେବରାଓସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଶିକ୍ଷାର ମୂଳ ଉଦ୍ଦେଶ୍ୟ ହେଉଛି ଭଲ ମଣିଷ ହେବା ଏବଂ ସମାଜର ହିତ ସାଧନ କରିବା । ଶିକ୍ଷା ଦ୍ୱାରା ବ୍ୟକ୍ତି ଅନ୍ତର୍ନିହିତ ଗୁଣାବଳୀର ଅନ୍ୱେଷଣ ଓ ବିକାଶ ସାଧନ କରିବା ପାଇଁ ସକ୍ଷମ ହେବା ଆବଶ୍ୟକ ବୋଲି ଡ. ରାଓ କହିଥିଲେ । ସେ ସମାବର୍ତନ ସମାରୋହରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଜ ନିଜ କ୍ଷେତ୍ରରେ ସମାଜର ସେବାକରିବା ପାଇଁ ପ୍ରବର୍ତାଇଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ବରିଷ୍ଠ ପୁଲିସ ଅଧିକାରୀ ଡ. ସୁଧାଂଶୁ ଷଡଙ୍ଗୀ କହିଥିଲେ ସାମ୍ପ୍ରତିକ ପରିସ୍ଥିତିରେ କେବଳ ଶିକ୍ଷା ଦ୍ୱାରା ହିଁ ପରିବର୍ତନ ସମ୍ଭବ । ଏହି ଉତ୍ସବକୁ ଏଲ କେ ଦେବତା ପରିଚାଳନା କରିଥିଲେ । ଇଗ୍ନୋ ଭୁବନେଶ୍ୱର ଆଂଚଳିକଶାଖାର ନିର୍ଦ୍ଦେଶକ ଡ. ମନୋଜ କୁମାର ଦାସଙ୍କ ତତ୍ୱାବଧାନରେ ଏହି ସମାବର୍ତନ ଉତ୍ସବ ଆୟୋଜିତ ହୋଇଥିଲା ।


