ସାପଚାଷ
କ୍ଷେତବାଡ଼ିରେ ଲୋକେ ବିଭିନ୍ନ ଚାଷ କରିଥାନ୍ତି । କପା, ଝୋଟ, ବିଭିନ୍ନ ପନିପରିବା ଲଗାଇ ପରିବାର ପ୍ରତିପୋଷଣ କରିଥାନ୍ତି । ମାତ୍ର କେବେ ଶୁଣିଛନ୍ତି କ୍ଷେତରେ କେବଳ ସାପ ଚାଷ କରାଯାଏ ବୋଲି । ବିଶ୍ୱାସ ଲାଗୁ ନ ଥିଲେ ବି ସତ । ଚାଇନାରେ ଏମିତି କ୍ଷେତ ରହିଛି, ଯାହାକୁ ସାପଙ୍କ କ୍ଷେତ କୁହାଯାଏ । ଗୋଟିଏ ଗାଁର ଲକ୍ଷେ ଲୋକ କେବଳ ଏହି କ୍ଷେତ ଉପରେ ନିର୍ଭର କରନ୍ତି । ଏଥିପାଇଁ ଏହି କ୍ଷେତର ନାମକରଣ ଏପରି ହୋଇଛି । ଏହି ଗାଁର ଲୋକେ ୩୦ ଲକ୍ଷରୁ ଊଦ୍ଧ୍ୱର୍ ସାପ ପାଳିଛନ୍ତି । ତାହା ପୁଣି ବିଷଧର ସାପ । କେବଳ ଘରେ ସାପ ପାଳିବା ଗ୍ରାମବାସୀଙ୍କ ଉଦ୍ଦେଶ୍ୟ ନୁହେଁ । ଆଉ ଏକ ଉଦ୍ଦେଶ୍ୟ ହେଲା ସାପଙ୍କ ପ୍ରଜନନ କରାଇବା । ଏହା ଦ୍ୱାରା ଗ୍ରାମବାସୀ ବହୁତ ଟଙ୍କା ରୋଜଗାର କରୁଛନ୍ତି ।
ଏହି ଗାଁରେ ହଜାରେ “ସ୍ନେକ୍ ଫାର୍ମ’ ରହିଛି । ଏଠାରେ କିଙ୍ଗ୍କୋବ୍ରା, ଅଜଗର ପରି ବିଷଧର ସାପ ଚାଷ କରାଯାଉଛି । ଏଠାକାର ଲୋକେ କେବଳ ଗୋଟିଏ ସାପକୁ ବାଦ୍ ଦେଲେ ଅନ୍ୟ କୌଣସି ସାପକୁ ଡରନ୍ତିନାହିଁ । ଏହି ସାପର ନାମ “ଫାଇଭ୍ ଷ୍ଟେପ୍’ । ଏହି ସାପ ଯାହାକୁ କାମୁଡ଼ିବ ସେ ଲୋକ ମାତ୍ର ପାଞ୍ଚ ପାଦ ଗଲା ପରେ ନିଶ୍ଚିତ ମୃତ୍ୟୁବରଣ କରିବ । ତେଣୁ ଏହି ସାପକୁ ଡରିଥାନ୍ତି । ଏହାବ୍ୟତୀତ ସାପର ବିଷରୁ ବିଭିନ୍ନ ଔଷଧ ତିଆରି କରାଯାଉଛି । ଯାହାର ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା । ଫଳରେ ସାପଚାଷ କରି ଗ୍ରାମବାସୀ ବହୁତ ଟଙ୍କା ରୋଜଗାର କରୁଛନ୍ତି ।


