ହଜି ଯାଉଛି କି ଆମ ଗହ୍ମା ପୂଜା

ରାକ୍ଷୀ ପୂର୍ଣ୍ଣିମା ଆସିଲା ମାନେ ଆପେ ଆପେ ମନକୁ ଭାସି ଆସେ ଗହ୍ମା ପୂଜା। ସେ ଦିନର ସକାଳଟା ଅଲଗା ଥିଲା। ସକାଳୁ ସକାଳୁ ଦେଖୁ ସମସ୍ତଙ୍କ ଦାଣ୍ଡରେ ମାଟିର ଗହ୍ମା ସୁସଜ୍ଜିତ ହୋଇ ଶୋଭା ପାଉଥାଏ। ଲାଲ ମାଟିର ପ୍ରଲେପ ଉପରେ ଧଳା ଝୋଟି ଦିଆଯାଇଥାଏ। ଲାଲ, ହଳଦିଆ ରଙ୍ଗର ଫୁଲରେ ସଜା ଯାଇଥାଏ ଗହ୍ମାକୁ। ଚାରିପାଖେ ଧୂପ, ଦୀପର ଗନ୍ଧ। ଘର ଘରେ ପିଠା, ପଣାର ସୁଗନ୍ଧ।

ସେମିତି ଗାଁ ଗାଁ ରେ ହେଉଥିଲା ବଡ଼ ବଡ଼ ସାର୍ବଜନୀନ ଗହ୍ମା। ଗହ୍ମା ସମ୍ମୁଖରେ ଦୁଇଟି ବାଡ଼ି ପୋତା ହୋଇ ତା’ରେ ବିଭିନ୍ନ ଜିନିଷ ବନ୍ଧା ଯାଉଥିଲା – ପେନସିଲ, କମ୍ପାସ, ପେନ, ସ୍କେଲ, ରବର, ଗ୍ଲାସ, ବିସ୍କୁଟ, ମଗ ଓ ବଡ଼ ବଡ଼ ଗହ୍ମା ରେ
ସାଇକେଲ, ଫ୍ରିଜ, ଟିଭି, ୱାସିଙ୍ଗ ମେସିନ ଏମିତି କେତେ କଣ, ଗହ୍ମା ଉପରେ ଠିଆ ହୋଇ ଲମ୍ଫ ଦେଇ ଯିଏ ଯେଉଁ ଜିନିଷ ଛୁଇଁଲା, ସେ ଜିନିଷ ତା’ର ହୋଇଯାଉଥିଲା। ଏଇ ଖେଳ ପାଇଁ ପିଲାମାନେ ଦଳ ବାନ୍ଧି ଘର ଘର ବୁଲି ପଇସା ମାଗୁଥିଲେ। ସେ ମଜା, ସେ ଉତ୍ସାହ ଆଜି ଭାବିଲେ ବି ମନ ଖୁସି ହୋଇଯାଏ।
ଘରେ ଘରେ ଦାଣ୍ଡରେ ଶୋଭା ପାଉଥିବା ଗହ୍ମା ଆଗରେ ବଡ଼ ଠାକୁରଙ୍କୁ ପିଠା ପଣା ଦେଇ ପୂଜା କରାଯାଉଥିଲା। ଗାଈ ମାନଙ୍କ ଦେହ ସାରା ହଳଦୀ ପାଣିରେ ଗୋଲ, ଗୋଲ ଛପା ଦିଆଯିବା ସହ ଶିଙ୍ଗରେ ହଳଦୀ ଲଗାଇ, ଫୁଲ ପିନ୍ଧାଇ ପୂଜା କରାଯାଉଥିଲା।
କାରଣ ଗହ୍ମା ହେଉଛନ୍ତି କୃଷି ଓ ପଶୁଧନର ପ୍ରତୀକ। ଏହା ଦ୍ୱାରା ଗୋମାତା ପ୍ରତି ଥିବା ସମ୍ମାନ ର ଭାବନା ଦର୍ଶାଉ ଥିଲା,
ସମାଜରେ ସ୍ନେହ, ଶ୍ରଦ୍ଧା ତଥା ବନ୍ଧୁତ୍ୱର ଭାବ ସୃଷ୍ଟି ହୋଇ ଏକ ଆନ୍ଦର ପରିବେଶ ସୃଷ୍ଟି ହେଉଥିଲା।
ଗହ୍ମା ପୂର୍ଣ୍ଣିମା ହିଁ ରାକ୍ଷୀ ପୂର୍ଣ୍ଣିମା। ଏହି ଦିନ ଭଉଣୀମାନେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କର ସୁରକ୍ଷା ଓ ଦୀର୍ଘାୟୁ କାମନା କରନ୍ତି। ଭାଇ ବି ଭଉଣୀକୁ ସ୍ନେହ ଓ ସୁରକ୍ଷାର ପ୍ରତିଶ୍ରୁତି ଦିଅନ୍ତି। ଭାଇ-ଭଉଣୀ ସମ୍ପର୍କର ଏଇ ପବିତ୍ର ବନ୍ଧନ ଗହ୍ମା ପୂଜାକୁ ଆହୁରି ସ୍ୱତନ୍ତ୍ର କରିଥାଏ।
କିନ୍ତୁ ଆଜିର ଟେକନୋଲଜି ଯୁଗରେ ସବୁ କିଛି ଧୀରେ ଧୀରେ ବଦଳି ଯାଉଛି। ଦାଣ୍ଡରେ ଆଉ ମାଟି ଗହ୍ମା ଦିଶୁନି। ପିଲାମାନେ ଆଉ ଘର ଘର ବୁଲି ପଇସା ମାଗୁନାହାନ୍ତି। ମୋବାଇଲ୍ ରେ “ହ୍ୟାପି ରାକ୍ଷୀ” ମେସେଜ୍ ପଠାଇ ଦେଉଛନ୍ତି। ସାର୍ବଜନୀନ ଗହ୍ମା ବି ବିରଳ ହୋଇଯାଉଛି।
ପ୍ରଶ୍ନ ଉଠୁଛି କ’ଣ ସତରେ ହଜି ଯିବ କି ଆମ ଗହ୍ମା ପୂଜା? କ’ଣ ସେ ଦିନର ମାଟି ଗନ୍ଧ, ପିଲାଙ୍କ ହସ, ଗାଁର ମିଳନ ସବୁ ସ୍ମୃତି ହୋଇଯିବ କି?
ଆସନ୍ତୁ ଆମେ ଆମର ଏଇ ସଂସ୍କୃତିକୁ ବଞ୍ଚାଇ ରଖିବା। ପୁଣି ଥରେ ଦାଣ୍ଡରେ ଗହ୍ମା ସଜାଇବା, ପିଲାମାନଙ୍କୁ ଗହ୍ମାର କାହାଣୀ କହିବା। କାରଣ ପର୍ବ କେବଳ ପୂଜା ନୁହେଁ, ଏଇଆ ହେଉଛି ଆମର ପରିଚୟ, ଆମର ମୂଳ,ସମାଜରେ ସମସ୍ତଙ୍କୁ ବାନ୍ଧି ରଖିବାର ଏକ ପର୍ବ.

ଦୁର୍ଗା ମାଧବ ପାଣିଗ୍ରାହୀ (କାବୁ)
ଗଞ୍ଜାମ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ