ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇପ୍ରୁ ପାଣି ଝରି ଫସଲ ନଷ୍ଟ ଅଭିଯୋଗ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ଅଧିବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଭରତପୁର ଗ୍ରାମର ଫୋରପୋଲ ଛକ ନିକଟରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ପାଇପ୍ ଫାଟି ଯାଇଥିବାରୁ ଜଳ ଯୋଗାଣ ସମୟରେ ସେଥିରୁ ପାଣି ଲିକ ହୋଇ ଚାଷ ଜମିରେ ପାଣି ଜମି ରହି ଫସଲ ନଷ୍ଟ ହୋଇଯାଉଛି । ଫଳରେ ସେହି ଜମିରେ ଚାଷ କରାଯାଇଥିବା ଧାନ ଫସଲକୁ ଅମଳ କରିବାରେ ଗୁରୁତର ବାଧା ସୃଷ୍ଟି ହେବା ସହିତ ଅନାବଶ୍ୟକ ଭାବେ ଅଧିକ ପାଣି ବିଲରେ ଜମି ରହୁଥିବାରୁ ଆବଶ୍ୟକ ପରିମାଣରେ ଧାନ ଫସଲ ଫଳୁ ନାହିଁ । ଫଳରେ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ଚାଷୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନେକ ସମୟରେ ଚାଷୀମାନଙ୍କ ଫସଲ ସଂପୂର୍ଣ୍ଣ ଉଜୁଡି ଯାଉଥିବା ବେଳେ ସେମାନେ ସେମାନଙ୍କ ପରିବାର ଚଳାଇବାକୁ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏସମ୍ପର୍କରେ ଚାଷୀମାନେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ବାରମ୍ବାର ଲିଖିତ ଭାବେ ଜଣାଇଥିଲେବି ଅଦ୍ୟାବଧି ବିଭାଗ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ସେମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତେଣୁ ଏହି ସମସ୍ୟାର ଯଥାଶୀଘ୍ର ସମାଧାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀଙ୍କ ପକ୍ଷରୁ ନକୁଳାନନ୍ଦ ବେହେରା, ପ୍ରବୋଧ କୁମାର ଦାସ, ଦେବେନ୍ଦ୍ର କୁମାର ମହାନ୍ତି, ରସାନନ୍ଦ ଦାଶ, ପ୍ରକାଶ ଚନ୍ଦ୍ର ଦାସ, ସୁଧିର ମଳିକ, ଅଲେଖ ପ୍ରସାଦ ଦାସ, ସରୋଜକାନ୍ତ ପତି, ଶିବ ପ୍ରସାଦ ଦାସ, ମନୋଜ କୁମାର ମହାନ୍ତି, ବିମଳାକାନ୍ତ ଚୈାଧୁରୀ, ସମିର ରାଉତ, ପ୍ରଭାକର ରାଉତ, ନିଖିଳରଞ୍ଜନ ଦାଶ, ଶ୍ରୀଧର ମହାନ୍ତି, ବିଜୟ ବେହେରା, ଶତ୍ରୁଘ୍ନ ଦାସ, ନିରୋଦ ଦାସ, ଭରତ ଚନ୍ଦ୍ର ସାହୁ, ଆକୁଳାନନ୍ଦ ବେହେରା, ପ୍ରଭାକର ସେଠୀ ପ୍ରମୁଖ ଶତାଧିକ ଚାଷୀ ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଛନ୍ତି ।