ହାଇକୋର୍ଟରେ ବିକ୍ରି ହୋଇଥିବା କନିକା ରାଜପରିବାର ଜମିକୁ ସରକାରୀ ଖାତାକୁ ଫେରାଇବା ପ୍ରସଙ୍ଗ

କଟକ, (ଯୁଗାବ୍ଦ ନ୍ୟୁଜ):ବିକ୍ରି ହୋଇଥିବା କନିକା ରାଜ ପରିବାରର କେତେକ ଜମିକୁ ସରକାରୀ ଖାତାକୁ ଫେରାଇବା ପାଇଁ ରାଜକନିକା ତହସିଲଦାରଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ଦାୟର ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି । ଏଥିସହ ଏହା ଉପରେ ସ୍ଥିତାବସ୍ଥା ଜାରି ପାଇଁ ହାଇକୋର୍ଟ ଏକ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଛନ୍ତି । ଫଳରେ ଜମି କ୍ରୟ କରିଥିବା ବ୍ୟକ୍ତିଙ୍କୁ ହାଇକୋର୍ଟରୁ ସାମୟିକ ଆଶ୍ୱସ୍ତି ମିଳିଛି । ରାଜ୍ୟ ସରକାର, ରାଜସ୍ୱ ପର୍ଷଦ ସଭ୍ୟ, କେନ୍ଦ୍ରାପଡ଼ା ଜିଲ୍ଲାପାଳ, ରାଜକନିକା ତହସିଲଦାର ତଥା ରାଜସ୍ୱ ଅଧିକାରୀଙ୍କୁ ମାମଲାରେ ଜବାବ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁଜିତ କୁମାର ନାୟକଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ ରାଧାକ୍ରିଷ୍ଣ ପଟ୍ଟନାୟକ ଏପରି ନିର୍ଦ୍ଦେଶ ଦେଇଛନ୍ତି । ୨୦୨୫, ଜାନୁଆରି ୨୫କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମାମଲାରୁ ପ୍ରକାଶ ଭୂସଂସ୍କାର ଆଇନ ପ୍ରଣୟନ ହେବା ପରେ ୧୯୭୪ରେ ଓଏଲଆର ସିଲିଂ କେସ୍‌ ଆରମ୍ଭ ହୋଇଥିଲା । ରାଜସ୍ୱ ପର୍ଷଦଙ୍କ ନିର୍ଦ୍ଦେଶକ୍ରମେ ୨୦୦୪ରେ ଉପରୋକ୍ତ ସିଲିଂ କେସ୍‌ ଫଏସଲା ହୋଇ ଜମି ସରକାରଙ୍କ ହାତକୁ ଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ରାଜସ୍ୱ ପର୍ଷଦ ଦ୍ୱାରା ୨୦୧୩ରେ ଖାରଜ କରାଯାଇଥିଲା। ସାନି ବିଚାର ପାଇଁ ରାଜକନିକା ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ହାଇକୋର୍ଟ ମଧ୍ୟ ୨୦୨୪, ଜାନୁଆରି ୩ ସୁଦ୍ଧା ୧୯୭୪ର ଓଏଲଆର ସିଲିଂ କେସରେ କ୍ରେତାଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇ ଫଏସଲା କରିବାକୁ ଗତ ୨୦୨୩, ସେପ୍ଟେମ୍ବର ୧୧ରେ ଏକ ମାମଲାରେ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଆବେଦନକାରୀ କ୍ରେତାଙ୍କୁ ପକ୍ଷ ରଖିବାକୁ ସୁଯୋଗ ନଦିଆଯାଇ ଜମିକୁ ସରକାରୀ ଖାତାକୁ ଫେରାଇବା ପାଇଁ ତହସିଲଦାରଙ୍କ ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ କ୍ଷୀରୋଦ କୁମାର ରାଉତ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ସୁରେନ୍ଦ୍ର ରାଉଥ, ଜୟନ୍ତୀ ନାୟକ, ସବିତା ବରାଳ, ପ୍ରୀତିନନ୍ଦା ପଟ୍ଟନାୟକ ସହାୟତା କରୁଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ