ଦିନକ ପରେ ଇଂରାଜୀ ନବବର୍ଷ ଗୋଲାପ ଫୁଲର ଚାହିଦା ବଢୁଛି

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ୨୦୨୪ ମସିହା ଶେଷ ହୋଇ ଆରମ୍ଭ ହେବାକୁ ଯାଉଛି ଇଂରାଜୀ ନବବର୍ଷ ୨୦୨୫। ଅର୍ଥାତ ଆଉ ମାତ୍ର ଦିନକ ପରେ ବୁଧବାର ପଡୁଛି ଇଂରାଜୀ ନବବର୍ଷ ୨୦୨୫ । ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ଆଖପାଖ ଅଞ୍ଚଳର ଆବାଳ ବୃଦ୍ଧ ବନିତାଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଛି । ପ୍ରତ୍ୟେକ କ୍ୟାଲେଣ୍ଡର ବର୍ଷ ଶେଷ ହୋଇ ପୁଣି ଏକ ନୂତନ ବର୍ଷ ଆସିବା ପାଇଁ ଏକ ନିୟମିତ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଏହି ଇଂରାଜୀ ନୂତନ ବର୍ଷକୁ ସ୍ୱାଗତ ଜଣାଇବା ପାଇଁ ବିଭିନ୍ନ ମହଲରେ ଉତ୍କଣ୍ଠା ଓ ଉତ୍ସାହ ଲାଗି ରହିଛି । ଇଂରାଜୀ ନବବର୍ଷ ୨୦୨୫ର ଅବ୍ୟହିତ ପୂର୍ବରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ନବବର୍ଷର ଶୁଭେଛା ବାର୍ତ୍ତା ପ୍ରେରଣ ଆରମ୍ଭ ହୋଇଗଲାଣି । ନବବର୍ଷର ଏହି ଅଗ୍ରୀମ ଶୁଭେଛା ବ୍ୟତୀତ ସମସ୍ତେ ଅପେକ୍ଷା କରିଥାନ୍ତି ନବବର୍ଷର ଆଗମନକୁ । ବିଶେଷକରି ଡିସେମ୍ବର ମାସ ୩୧ ତାରିଖ ରାତି ୧୨ଟା ପରେ ନବବର୍ଷର ଶୁଭେଛା ଆଦାନ ପ୍ରଦାନ ଅଧିକ ମହତ୍ୱ ରଖିଥାଏ । ତେଣୁ ୩୧ ତାରିଖ ବିଳମ୍ବିତ ରାତିରୁ ନବବର୍ଷର ଉତ୍ସବ ପାଳନ ସହ ଶୁଭେଛା ବାର୍ତ୍ତା ପ୍ରେରଣ ଅଧିକ ସକ୍ରିୟ ହୋଇଉଠିଛି । ଇଂରାଜୀ ନବବର୍ଷରେ ନିଜର ବନ୍ଧୁ, ପରିବାର, ଆତ୍ମୀୟ ସ୍ୱଜନ ଓ ଉପରିସ୍ଥ ଅଧିକାରୀଙ୍କୁ ଶୁଭେଛା ଜଣାଇବାକୁ ଅଧିକାଂଶ ବ୍ୟସ୍ତ ହୋଇ ଉଠିଥାନ୍ତି । ନବବର୍ଷର ଶୁଭେଛା ଜଣାଇବା ପାଇଁ ହିଞ୍ଜିିଳିକାଟୁ ପୌରାଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ଥିବା ଫୁଲ ଦୋକାନ ଗୁଡିକରେ ସ୍ୱତନ୍ତ୍ର ଭାବେ ଫୁଲତୋଡା ତିଆରି କରିବା ଲାଗି ଅର୍ଡ଼ର ଦିଆଯାଇଥିବା ଦେଖିବାକୁ ମିଳୁଛି । ନବବର୍ଷର ପ୍ରଥମ ଦିନକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ଲାଗି ଚାଲିଛି ବ୍ୟାପକ ପ୍ରସ୍ତୁତି । ପ୍ରିୟଜନକୁ ନୂତନ ବର୍ଷରେ ଫୁଲ ଉପହାର ଦେଇ ଶୁଭ ମନାସିବା ପାଇଁ ସମସ୍ତଙ୍କ ଠାରେ ଦେଖା ଦେଇଛି ଆଗ୍ରହ । ଗ୍ରାହକଙ୍କ ଆଗ୍ରହକୁ ଦେଖି ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ଆଖପାଖ ଅଞ୍ଚଳର ଫୁଲ ଦୋକାନ ଗୁଡ଼ିକରେ ବର୍ତ୍ତମାନ ଠାରୁ ଭଳିକି ଭଳି ସୁଗନ୍ଧିତ ଏବଂ ସୁନ୍ଦର ଫୁଲ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଇଂରାଜୀ ନବବର୍ଷ ପାଳନ ଅବସରରେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ଥିବା ମକମଲ୍ଲୀ ଓ ରଜନୀଗନ୍ଧା ଫୁଲଚାଷୀ ମାନଙ୍କ ଠାରେ ଫୁଲ ବ୍ୟବସାୟୀ ମାନଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳୁଛି । ବିଶେଷ କରି ଫୁଲତୋଡା ପାଇଁ ଗୋଲାପ ଓ ମକମଲ୍ଲୀ ଫୁଲର ଚାହିଦା ଅଧିକ ରହିଥିବା ଜଣାପଡିଛି । ଗୋଲାପ ଫୁଲ ଗୋଟାକୁ ୨୫ରୁ ୩୦ଟଙ୍କାରେ ବିକ୍ରି କରାଯାଉଥିବା ଜଣାପଡିଛି ।

ନୂଆଁବର୍ଷ ପାଇଁ ଜମୁଛି ବଣଭୋଜି : ଆମିଷ ଦର ଆକାଶଛୁଆଁ
ହିଞ୍ଜିଳିକାଟୁ, ୨୯।୧୨(ଶେଷଦେବ ସାହୁ) : ଇଂରାଜୀ ନବବର୍ଷ ପାଳନ ପାଇଁ ବିଶେଷକରି ଯୁବପିଢିଙ୍କ ମନରେ ବେଶ ଉନ୍ମାଦନା ଦେଖାଯାଉଛି । ୧୮ରୁ ୩୦ ବର୍ଷ ବୟସ ପର୍ଯ୍ୟନ୍ତ ଯୁବପିଢି ଏହି ନବବର୍ଷର ଅବ୍ୟାହତ ପୂର୍ବରୁ ଏବେଠୁ ମତୁଆଲା ହୋଇଛନ୍ତି । ପିକନିକ୍‌, ପାର୍ଟି, ବଣଭୋଜି ସାଙ୍ଗକୁ ବଣଭୋଜି ମଉଜମସ୍ତି କରିବାରେ ସମୟ ଅତିବାହିତ କରିବା ଯୁବପିଢିଙ୍କ ପ୍ରଥମ ପସନ୍ଦ ହୋଇଛି । ଏଥି ସକାଶେ ଡ଼ିସେମ୍ବର ମାସ ଆରମ୍ଭରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପିକନିକ୍ ସ୍ପଟ ସିଲେକ୍ସନ ସାଙ୍ଗକୁ ସେଠାରେ କଣ ବଣଭୋଜିରେ କଣ କଣ ଆଇଟମ ହେବ ତାହା ଏଜେଣ୍ଡାରେ ପ୍ରଥମ ସ୍ଥାନ ପାଉଛି । ଆମିଷ ଖିଆ ବାରରେ କରାଯାଉଥିବା ବଣଭୋଜିରେ ମାଛ, ଚିକେନକୁ ପ୍ରାୟତଃ କେହି ପସନ୍ଦ କରୁନଥିବା ଜଣାପଡ଼ିଛି । ପ୍ରାୟତଃ ସମସ୍ତଙ୍କ ପସନ୍ଦ ଖାସି ମାଂସ (ମଟନ) । ବଣଭୋଜି ବା ଫିଷ୍ଟ ହେବ ତ କେବଳ ମଟନ ହେବ । ଏଥିପାଇଁ ଆଗୁଆ ଖାସିମାଂସ ଅର୍ଡ଼ର ଦିଆଯାଉଛି । ଖାସି ବେପାରୀ ମାନେ ମଧ୍ୟ ଏହାର ଭରପୁର ସୁଯୋଗ ନେଉଛନ୍ତି । ନୂତନ ବର୍ଷରେ ଚାହିଦା ଅଧିକ ଥିବାରୁ କିଲୋ ପ୍ରତି ୬ ଶହରୁ ସାଢେ ୬ଶହ ଟଙ୍କାରେ ବିକ୍ରି ହେଉଥିବା ମଟନ ୭ ଶହରୁ ୮ଶହ ଟଙ୍କାରେ ବିକ୍ରି ହେଉଥିଲେ ମଧ୍ୟ ମଟନ ଦୋକାନରେ ମାଂସ କିଣିବା ଲାଗି ଗ୍ରାହକଙ୍କ ଲମ୍ବା ଲାଇନ ଲାଗିଥିବାର ଦେଖିବାକୁ ମିଳୁଛି । ଅନୁରୂପ ଭାବେ ଚିକେନ ଓ ମାଛ ଦର ମଧ୍ୟ ପୂର୍ବାପେକ୍ଷା ଅଧିକ ଥିବାର ଜଣାପଡ଼ିଛି । ମଙ୍ଗଳବାର ଜିରୋ ନାଇଟ୍ ପାଳନ ହେଉଥିବା ବେଳେ ଇଂରାଜୀ ନୂତନ ବର୍ଷ ବୁଧବାର ଦିନ ପାଳନ କରାଯିବ । ଉଭୟ ଜିରୋନାଇଟ ଓ ଇଂରାଜୀ ନବବର୍ଷ ଆମିଷ ଖାଇବା ବାରରେ ପଡୁଥିବାରୁ ଜିରୋନାଇଟ ପାଳନ ସ‌ହ ହିଞ୍ଜିଳିକାଟୁ ପୌରାଞ୍ଚଳ ଅତ୍ୟାଧୁନିକ ଆମିଷ ବଜାରରେ ଗ୍ରାହକଙ୍କ ଅସମ୍ଭବ ଭିଡ ରହିବା ଆଶଙ୍କା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ