ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ଶାଖା ପକ୍ଷରୁ ଋଣ ମେଳା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): କେନ୍ଦ୍ର ସରକାରଙ୍କ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଆନୁକୂଲ୍ୟରେ ମଙ୍ଗଳବାର ଦିଗପହଣ୍ଡି ସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ପକ୍ଷରୁ ଏମଏସଏମଇ ଋଣ ପ୍ରଦାନ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ୟାଙ୍କ ଶାଖା ପ୍ରବନ୍ଧକ ପୁଲିନ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ଏନ୍ଏସି ଅଧ୍ଯକ୍ଷ ପ୍ରଫୁଲ ପଣ୍ଡା , ଷ୍ଟେଟବ୍ୟାଙ୍କ ମୁଖ୍ୟ ପ୍ରବନ୍ଧକ ସୁନୀତା ରଥ , ଆଞ୍ଚଳିକ ପ୍ରବନ୍ଧକ ହରିକ୍ରିଷ୍ଣା ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ବ୍ୟବସାୟର ଅଗ୍ରଗତି ଏବଂ ନୂତନ ବ୍ଯବସାୟ ପ୍ରତିଷ୍ଠାନ ଖୋଲିବା କ୍ଷେତ୍ରରେ ବ୍ୟବସାୟୀଙ୍କୁ ବ୍ୟାଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ମୁଦ୍ରା ଓ ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନାରେ ଋଣ ଯୋଗାଇ ଦିଆଯିବ ବୋଲି ଅତିଥିବୃନ୍ଦ ଉପସ୍ଥିତ ଗ୍ରାହକ ଏବଂ ବ୍ୟବସାୟୀ ମାନଙ୍କୁ ବୁଝାଇଥିଲେ । ବ୍ୟାଙ୍କ ଶାଖା କ୍ଷେତ୍ରଅଧିକାରୀ ଜଗନ୍ନାଥ ପାତ୍ର ଙ୍କ ସଂଯୋଜନାରେ ବ୍ୟାଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୦ ଜଣ ଉଠା ଦୋକାନୀ , ୧୪ ଜଣ କ୍ଷୁଦ୍ର ଉଦ୍ୟୋଗୀ ଏବଂ ୮ ଜଣ ମଧ୍ୟମ ଉଦ୍ୟୋଗୀ ଙ୍କୁ ବ୍ଯବସାୟ ନିମନ୍ତେ ପ୍ରାୟ ୨ କୋଟି ଟଙ୍କା ଋଣ ମଞ୍ଜୁର କରାଯାଇଥିବା ଶାଖା ପ୍ରବନ୍ଧକ ସୂଚନା ଦେଇଥିଲେ । ବ୍ଯାଙ୍କ ଋଣ ଦେବା ସମୟରେ ଛୋଟ ବଡ଼ ବ୍ୟବସାୟୀଙ୍କୁ ଯେଭଳି ସହଯୋଗ କରି ଆସୁଛି ନିର୍ଦ୍ଧାରିତ ସମୟରେ ଋଣ ଟଙ୍କା ପରିଶୋଧକୁ ମଧ୍ୟ ସେମାନେ ଗୁରୁତ୍ଵ ଦେବାକୁ ଉପସ୍ଥିତ ବହୁସଂଖ୍ୟକ ବ୍ୟବସାୟୀଙ୍କୁ ସଚେତନ କରାଯାଇଥିଲା।